Home ଆମ ସଂସ୍କୃତି, କଳା ଓ ଐତିହ୍ୟ କିମ୍ବଦନ୍ତୀର ସ୍ୱର୍ଣ୍ଣାଭ ମୁକୁଟ ଭୀମରା ପାହାଡ଼

କିମ୍ବଦନ୍ତୀର ସ୍ୱର୍ଣ୍ଣାଭ ମୁକୁଟ ଭୀମରା ପାହାଡ଼

57

ନୟାଗଡ଼, ୨୯-୪(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ନୟାଗଡ଼-ଦଶପଲ୍ଲା ରାସ୍ତାର ଦଶପଲ୍ଲା ଠାରୁ ସାତ କିଲୋମିଟର ଦୂରରେ ଅବସ୍ଥିତ ପୁରୁଣା ଦଶପଲ୍ଲା ନିକଟରେ ଏକ ବୃହତକାର ପାହାଡ଼ ଦୃଶ୍ୟମାନ ହୁଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ପ୍ରକୃତି ଦ୍ନାରା ଗୋଟିଏ ପଥରରେ ଗଢା ବିଶାଳକାୟ ପଥର। ଯେଉଁ ପଥରକୁ ନେେଇ କିମ୍ବଦନ୍ତୀରେ ବିଭିନ୍ନ ରୋଚକ ମୂଳକ ଲୋକବାଣୀ ଶୁଣାଯାଏ। ଯାହାକୁ କୁହାଯାଏ ‘ଭୀମରା ପାହାଡ଼’। କଥିତ ଅଛି ପାଣ୍ଡବମାନେ ବନବାସ କାଳରେ ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପର୍ବତରେ ଶ୍ରୀକୃଷ୍ଣଙ୍କୁ ନବଗୁଞ୍ଜର ବେଶରେ ଦର୍ଶନ ପାଇ ଏହି ଭୀମରା ପାହାଡ଼ ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ। ଯାତ୍ରୀକାଳୀନ ଥକ୍କା ମେଂଟାଇବାକୁ ଯାଇ ପାଣ୍ଡବମାନେ ଏହି ପାହାଡ଼ ଉପରେ ବସି ପରବର୍ତ୍ତୀ ଯୋଜନା କରିଥିଲେ। ପଥର ଉପରେ ଚିହ୍ନିତ ଭୀମଙ୍କର ବିଶାଳ ପାଦଚିହ୍ନର ଏହାର ସତ୍ୟତା ପ୍ରତିବାଦନ କରେ। ଏହି କାରଣରୁ ଉକ୍ତ ପାହାଡ଼ର ନାମ ଭୀମରା ପାହାଡ଼ ନାମକରଣ ହୋଇଥିବା କିମ୍ବଦନ୍ତୀରୁ ଜଣାପଡ଼େ। ଏହି ପାହାଡ଼ର ଗୋଟିଏ ପଟେ ଅନେକ ଘୋଷରା ଚିହ୍ନ ଦେଖିବାକୁ ମିଳେ। କୀମ୍ବଦନ୍ତି କହେ ଭୀମ ରୋଷେଇ ସମୟରେ ବଡ଼ ବଡ଼ ହଣ୍ଡା ଏହିବାଟ ଦେଇ ଘୋଷାରି ଘୋଷାରି ଏହିବାଟେ ଉଠାଉଥିଲେ। ଅପରପାଶ୍ୱର୍ରେ ପଥରରୁ ପଦାଘାତ କଲେ ଝଣ୍ ଝଣ୍ ଶଦ୍ଦ ସୃଷ୍ଟି ହୁଏ। ଲୋକମୁଖରେ ଏବେବି ବିଶ୍ୱାସ ଅଛି ପାଣ୍ଡବମାନେ ସେମାନଙ୍କର ବାସନ ସରଞ୍ଜାମ ଏଇଠି ପୋତି ଦେଇ ଚାଲିଯାଇଥିଲେ। ଯାହାକି ଏପରି ଶଦ୍ଦ ସୃଷ୍ଟି ହେଉଥିବା କୁହାଯାଏ। ପାହାଡ଼ ଉପରୁ ପ୍ରକୃତିର ଦୃଶ୍ୟ ଏଠି ଅତ୍ୟନ୍ତ ମନୋରମ। ଅଦୂରରେ ହଗୁରୀ ଓ ମଇଁଷିଆ ଜଳଭଣ୍ଡାର ଦୃଶ୍ୟ ଏଠି ଜନମନ ହରଣ କରେ। ପାହାଡ଼ ଉପରୁ ତଳକୁ ଚାହିଁଲେ ସର୍ପିଳ ଗଚ୍ଛିରେ ଗତି କରୁଥିବା ପିଚୁ ସଡ଼କ ଏକ ବିରାଟ ଶାୟିତ ଅଜଜ୍ଞରର ଭ୍ରମ ସୃଷ୍ଟିକରେ। ଛୋଟ ଛୋଟ ଚାଷଜମି ଗୁଡ଼ିକରେ ସବୁଜ ସୁନ୍ଦର ଶସ୍ୟକ୍ଷେତ୍ର ଚାଦର ଘୋଡ଼େଇ ହୋଇଥିବା ପରି ଅନୁମେୟ ହୁଏ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ସିମେଂଟରେ ତିଆରି ଏକ ପ୍ରକାଣ୍ଡ ଭୀମମୂର୍ତ୍ତୀ ତିଆରି କରାଯାଇଛି। ବଣଭୋଜି ନିମନ୍ତେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଠାରେ ସବୁ ପ୍ରକାର ସୁବିଧା ରହିଛି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ଏଠାରେ ଏକ ମେଳା ଅନୁଷ୍ଠିତ ହୁଏ। ଯାହାକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଏଠାରେ ସମାଗମ ହୁଏ। ପ୍ରକୃତିର ଏ ଅପରୂପ ମନଲୋଭା ଦୃଶ୍ୟ ଥରେ ଦେଖିଲେ ମନରୁ ପାଶୋରି ହେବନି ବୋଲି ବହୁ ଦର୍ଶକ ମତବ୍ୟକ୍ତ କରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.