Home କେନ୍ଦୁଝର କିଡିନିରୋଗରେ ଆକ୍ରାନ୍ତ ହଳଧରଙ୍କୁ ଚିକିତ୍ସା ସହାୟତା ମିଳିବ କେବେ ?

କିଡିନିରୋଗରେ ଆକ୍ରାନ୍ତ ହଳଧରଙ୍କୁ ଚିକିତ୍ସା ସହାୟତା ମିଳିବ କେବେ ?

38

ହାଟଡ଼ିହି, ୧୨ । ୪ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତ କାହାଳିଆଗଡିଆ ଗ୍ରାମର ହଳଧର ବେହେରା ଏବେ କିଡିନି ରୋଗରେ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି । ପାଖରେ ଅର୍ଥ ନଥିବାରୁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହୋଇ ସହାୟତା ପାଇଁ ଅର୍ାକୁଳ ନିବେଦନ କରୁଥିଲେବି ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ମିଳିପାରିଲାନି । ଏ ସମ୍ପର୍କରେ ଏକ ଖବର ଗତ ୧୯/୨ରେ ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ହାଟଡିହି ତହସିଲ ଓ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅଧିକାରୀମାନେ ତାଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚରା ଉଚୁରା କରିବା ସହିତ ସମସ୍ତ ଡାକ୍ତରଖାନାର କାଗଜପତ୍ର ଯାଞ୍ଚ କରିଥିଲେ । କିନ୍ତୁ ଆଜକୁ ଦୁଇମାସ ବିତିବାକୁ ବସିଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ପାଇପାରି ନାହାନ୍ତି । ଫଳରେ ନିଜ ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି ।
ଏଠାରେ ସୁଚନାଯୋଗ୍ୟ ଯେ ହଳଧର ବେହେରା ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । ସେ ୧୯୯୬ରେ ଏମ.ଏ ବିଇଡି ଶିକ୍ଷା ଲାଭ କରିସାରିବା ପରେ ଚାକିରି ନପାଇବାରୁ ଦିଲ୍ଲୀ ଯାଇ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଭାବେ କାମ କରିଥିଲେ । ଏପରିକି ସେ ନିଜସ୍ତ୍ରୀ ଓ ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ସେଠାରେ ରହିଥିଲେ । ସିକ୍ୟୁରିଟି କାମ ସହିତ ନିଜେ ଦୁଇଓଳି ଟିଉସନ କରି ଯାହା ପାଉଥିଲେ ସେଥିରେ ପରିବାରଟି ଚଳିଯାଉଥିଲା । ମାତ୍ର ଭାଗ୍ୟର ବିଡମ୍ବନା ଯେ ସେ ଗତ ୨୦୧୯ରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାପରେ ସେ କିଡିନି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଲା । ସେ ରାମ ମନୋହର ଲୋହିଆ ହସପିଟାଲ, ଆପୋଲୋ ହସପିଟାଲ, ଲାଲବାହାଦୁର ଶାସ୍ତ୍ରୀ ହସପିଟାଲ, ଧର୍ମଶାଳା ହସପିଟାଲ ପ୍ରଭୃତିରେ ଚିକିତ୍ସା କରାଉଥିଲେ । ତାଙ୍କ ପୁଅ ଏବେ ଯୁକ୍ତ ଦୁଇ ଓ ଝିଅ ଏବେ ଯୁକ୍ତ ୩ରେ ଅଧ୍ୟୟନ କରୁଥିବା ବେଳେ ସେ ଅସୁସ୍ଥତା ଯୋଗୁଁ ରୋଜଗାର ହରାଇ ବସିବାରୁ ବାଧ୍ୟହୋଇ ଗତ ମାର୍ଚ୍ଚ ମାସରେ ଘରକୁ ପଳାଇ ଆସିଥିଲେ । ଘରେ ତାଙ୍କର ଏକ ଚାଳଘର ବ୍ୟତିତ ଜମିବାଡି ଆଉ କିଛି ନାହିଁ । ଏପରିସ୍ଥିତିରେ ତାଙ୍କର ନିୟମିତ ଡାଇଲୋସିସି ପାଇଁ ମାସକୁ ୬ହଜାର ଆବଶ୍ୟକ ହେଉଛି । ଯାହା କିଛି ଧାର କରଜ କରିବା ସହିତ ମାଗଣ ଯାଚଣାରେ ଯାହା ମିଳୁଛି ସେଥିରେ ସେ ଭଦ୍ରକ ସ୍ଥିତ ଶୁଭମ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଦିଲ୍ଲୀରେ ରହି ଛୁଆମାନେ ପାଠ ପଢ଼ୁଥିବାବେଳେ ଏପଟେ ନିଜର ଶାରିରୀକ ଅସୁସ୍ଥତା ଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ପଡୁଛନ୍ତି । ଏପରିସ୍ଥିତିରେ କେହି ସ୍ୱେଚ୍ଛାସେବୀ ସଂଗଠନ କିମ୍ବା ସରକାରଙ୍କ ତରଫରୁ ଯଦି ଉକ୍ତ ପରିବାରକୁ ସହାୟତା ମିଳିପାରନ୍ତା ତେବେ ସେ ଭଲ ହୋଇ ନିଜ ପରିବାରକୁ ଧରି ଖୁସିରେ ଜୀବନ ବିତାଇପାରନ୍ତେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.