Home ଜିଲ୍ଲା ପରିକ୍ରମା କାର୍ ଧକ୍କାରେ କଲେଜ ଛାତ୍ରୀ ମୃତ, ଡ୍ରାଇଭର ଗିରଫ, ଅଞ୍ଚଳବାସୀଙ୍କ ସହିତ ଛାତ୍ରୀଙ୍କ ୩ଘଣ୍ଟା ଧରି...

କାର୍ ଧକ୍କାରେ କଲେଜ ଛାତ୍ରୀ ମୃତ, ଡ୍ରାଇଭର ଗିରଫ, ଅଞ୍ଚଳବାସୀଙ୍କ ସହିତ ଛାତ୍ରୀଙ୍କ ୩ଘଣ୍ଟା ଧରି ରାସ୍ତା ଅବରୋଧ

7

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ଠାରେ ସୋମବାର ସକାଳେ ଏକ କାର୍ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା କାର୍‌ଟିକୁ ଭଙ୍ଗାରୁଜା କରିଥିଲେ । ଏଥି ସହ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଅଞ୍ଚଳବାସୀଙ୍କ ସମେତ କଲେଜଛାତ୍ରୀମାନେ ସାମିଲ ହୋଇ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ତିହିଡ଼ି ଥାନା ଅଥିକାରୀ ପ୍ରସନ୍ନ କୁମାର ନାୟକ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ଜ୍ୟୋତିର୍ମୟ କର, ଅତିରିକ୍ତ ତହସିଲଦାର ନମିତା ଧଳ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା କରିଥିଲେ । ପ୍ରଶାସନ ପକ୍ଷରୁ ମୃତ ଛାତ୍ରୀଙ୍କ ପରିବାରକୁ ୨୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯଇଥିଲା । ପରେ ଉତ୍ୟକ୍ତ ଲୋକମାନେ ରାସ୍ତାରେ ହମ୍ପସ ନିର୍ମାଣ କରିବା ସହିତ ମୃତା ଛାତ୍ରୀ ପରିବାରକୁ ତୁରନ୍ତ ବୀମା ରାଶି ପ୍ରଦାନ କରାଯିବା ପାଇଁ ଦାବି କରିଥିଲେ । ତେବେ ପ୍ରଶାସନ ଏହି ଦାବି ତୁରନ୍ତ ପୁରଣ କରିବା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରି ଡ୍ରାଇଭର ପୀରହାଟ ଥାନା ଅଧୀନ ସାମନ୍ତରାୟପୁର ଗ୍ରାମର ଟୁଟୁ ଜେନାକୁ ଗିରଫ କରିଥିବା ଜଣାଯାଇଛି ।

ଏ ସମ୍ପର୍କରେ ପୁଲିସ ୯୯/୨୪ରେ ଏକ ମକଦ୍ଦମା ରୁଜୁ କରିଥିବା ଜଣାଯାଇଛି । ପ୍ରକାଶ ଯେ, ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ଖପରାବାଙ୍କ ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ପ୍ରଭାସିନୀ ନାୟକ ତାଳପଦା ମାଣିକଲାଲ କଲେଜକୁ ସାଇକେଲ ନେଇ ନନ୍ଦପୁର ବଜାର ଅତିକ୍ରମ କରି ପାଠ ପଢ଼ିବାକୁ ଯାଉଥିଲେ । ଏହି ସମୟରେ ଭଦ୍ରକ ରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ କାର୍ (ଓଆର ୦୨ ବିଏଲ ୫୬୬୦) ଛାତ୍ରୀଙ୍କୁ ନନ୍ଦପୁର ବଜାରରେ ଧକ୍କା ଦେଇଥିଲା । ଯାହାଫଳରେ ଛାତ୍ରୀଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତୁରନ୍ତ ସ୍ଥାନୀୟ ଲୋକେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ତିହିଡ଼ି ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ସରପଞ୍ଚ ପ୍ରେମଲତା ବିଶ୍ୱାଳ, ସମିତିସଭ୍ୟାଙ୍କ ପ୍ରତିନିଧି ସୂର୍ଯ୍ୟନାରାୟଣ ଭୋଇ, ତାଳପଦା କଲେଜ ଅଧ୍ୟାପକ ଅମର ନାୟକ, ସମାଜସେବୀ ସରୋଜ ନାୟକ, ବିକାଶ ନାଥ ପ୍ରମୁଖ ପହଞ୍ôଚ ପ୍ରଶାସନ ସହିତ ଆଲୋଚନା କରିଥିଲେ । ତିହିଡ଼ି ଥାନା ଏସଆଇ ପ୍ରଣବ ଗିରି, ଏଏସଆଇ ଦିଲୀପ ଦେହୁରୀ, କମଳାକାନ୍ତ ଶତପଥି, ଚିତ୍ତରଂଜନ ବାରିକ, ହାବିଲଦାର ନକୁଳ ସେନାପତି ପ୍ରମୁଖ ସଦଳବଳେ ଘଟଣା ସ୍ଥଳରେ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.