Home ଜିଲ୍ଲା ପରିକ୍ରମା କାଠମୁଣ୍ଡା ଗ୍ରାମର ଅସନ୍ତୁଷ୍ଟ ଅଭିଭାବକଙ୍କ ବିଇଓ ଅଫିସ ଘେରାଉ

କାଠମୁଣ୍ଡା ଗ୍ରାମର ଅସନ୍ତୁଷ୍ଟ ଅଭିଭାବକଙ୍କ ବିଇଓ ଅଫିସ ଘେରାଉ

25

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ଧରି ବିଦ୍ୟାଳୟରେ ଅଚଳାବସ୍ଥା ଜାରିରହିଥିବାବେଳେ ଆଜି ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ପଂଚାୟତ କାଠମୁଣ୍ଡା ନୋଡ଼ାଲ ଉ.ପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଣ୍ଣପୁର୍ଣ୍ଣା ରାଉତଙ୍କ ବିଭିନ୍ନ ଅନିୟମିତତା କାର୍ଯ୍ୟସମ୍ପର୍କରେ ଗ୍ରାମବାସୀମାନେ ବିଇଓଙ୍କ ଠାରେ ଅଭିଯୋଗ କରିଥିଲେ । ବାରମ୍ବାର ଅଭିଯୋଗ କରି କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀମାନେ ଗତ ୨୯.୦୯.୨୦୨୧ରେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ପରେ ଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମେ ଗତ ୦୪.୧୦.୨୦୨୧ରେ ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟର ଦୁଇ ଏବିଇଓ ବିଦ୍ୟାଳୟରେ ପହଂଚି ଅନିୟମିତତା ସମ୍ପର୍କରେ ତଦନ୍ତ କରିଥିଲେ । ତଦନ୍ତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନୋମୁଖି କାର୍ଯ୍ୟହେତୁ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିବା ହୃଦୟଙ୍ଗମ କରି ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରି ସୁଚାରୁରୂପେ ଦାୟିତ୍ୱ ନିର୍ବାହ ପାଇଁ ନିକଟବର୍ତ୍ତି ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ଲିଖିତ ଆଦେଶପତ୍ର ପ୍ରଦାନ କରିଥିଲେ । ମାତ୍ର ଦୀର୍ଘ ତିନି ସପ୍ତାହ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ଶିକ୍ଷୟିତ୍ରୀ ଏଯାବତ୍ ଦାୟିତ୍ୱ ହସ୍ତାନ୍ତର ନକରି ନାନା ବିଶୃଙ୍ଖଳା ମାନ ସୃଷ୍ଟି କରୁଛନ୍ତି । ଏନେଇ ଅସନ୍ତୁଷ୍ଟ କାଠମୁଣ୍ଡା ଗ୍ରାମବାସୀ ଧାମନଗର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରାଉ କରିବା ସହ ବିଇଓ ଅନୁପସ୍ଥିତ ଥିବାରୁ ଜିଲ୍ଲାପାଳଙ୍କୁ ଭେଟିବାପାଇଁ ଧାମନଗର ଠାରୁ ଭଦ୍ରକ ଯାଇଥିବା ଜଣାଯାଇଛି । ତୁରନ୍ତ ଉପରୋକ୍ତ ଶିକ୍ଷୟିତ୍ରୀଙ୍କୁ ବଦଳିକରାନଗଲେ ଶହେରୁ ଉର୍ଦ୍ଧ୍ୱ ଅଭିଭାବକ ସେମାନଙ୍କ ପିଲାଙ୍କ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର ନେବାକୁ ସମୂହ ଆବେଦନ କରିବାକୁ ଧମକ ଦେଇଛନ୍ତି । କର୍ତ୍ତୁପକ୍ଷ ବିଶୃଙ୍ଖଳା ସୃଷ୍ଟିକାରିଣୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳିକରି ଘଟଣାର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.