Home ଓଡ଼ିଶା କାଉଡିଆଙ୍କ ପାଇଁ ଭାରୀଯାନ ବିପଦ : ଆରଡି ପୀଠ ଅଭିମୂଖେ ହଜାର ହଜାର ଭକ୍ତ

କାଉଡିଆଙ୍କ ପାଇଁ ଭାରୀଯାନ ବିପଦ : ଆରଡି ପୀଠ ଅଭିମୂଖେ ହଜାର ହଜାର ଭକ୍ତ

30

କେନ୍ଦ୍ରାପଡ଼ା, ୨୫ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଶ୍ରାବଣମାସର ସୋମବାର ଜଳାଭିଷେକ କରିବା ପାଇଁ କେନ୍ଦ୍ରାପଡ଼ା ଦେଇ ଆରଡ଼ି ପୀଠ(ଆଖଣ୍ଡଳମଣି ମନ୍ଦିର)କୁ ହଜାର ହଜାର କାଉଡିଆ ଯାଉଛନ୍ତି। ହେଲେ ଏବେ ସେମାନଙ୍କ ପାଇଁ ବିପଦ ସାଜିଛି ଭାରୀଯାନ। ଭାରୀଯାନଗୁଡିକ ସଠିକ ଢଙ୍ଗରେ ଗାଡି ଚଳାଉ ନାହାଁନ୍ତି। ଯାହା କାଉଡିଆମାନଙ୍କୁ ଭୟଭୀତ କରୁଛି ବୋଲି କେତେକ କାଉଡିଆ କହିଛନ୍ତି। ସେମାନେ କହିଛନ୍ତି ଅନ୍ତତଃ ପକ୍ଷେ ଶନିବାର ଓ ରବିବାର ପୋଲିସ ଓ ପ୍ରଶାସନ ପକ୍ଷରୁ ଭାରୀଯାନ ଚଳାଚଳ ଉପରେ ନିୟନ୍ତ୍ରଣ ରହିବା ଜରୁରୀ। ରାସ୍ତାରେ ପୋଲିସ ମୁତୟନ କରାଗଲେ ପୋଲିସ ଭାରୀଯାନକୁ ନିୟନ୍ତ୍ରଣ କରିବ। ଯାହା ଫଳରେ କାଉଡିଆମାନେ ସୁରକ୍ଷିତ ଭାବେ ଜଳାଭିଷେକ କରିବା ପାଇଁ ଶୈବପୀଠକୁ ଯାଇପାରିବେ। ଆଉ କେତେକ କାଉଡିଆ କହୁଛନ୍ତି ଭାରୀଯାନ ଚଳାଉଥିବା ଚାଳକମାନେ ମଦ୍ୟପାନ କରି ବେପରୁଆ ଭାବେ ଗାଡି ଚଳାଉଛନ୍ତି। ଏହା ଆମ ମନରେ ଭୟ ସଞ୍ଚାର କରୁଛି। ଆମେ ରାସ୍ତା କଡ଼ରେ ଯାଉଥିବା ବେଳେ ସେମାନେ ଯେଉଁ ଢଙ୍ଗରେ ଅନ୍ୟ ଗାଡିକୁ ଓଭରଟେକ କରୁଛନ୍ତି ତାହା ଆମ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ସେମାନଙ୍କ ଉପରେ ପ୍ରଶାସନର ନିୟନ୍ତ୍ରଣ ରହିବା ନିହାତି ଜରୁରୀ। ଏହା ନହେଲେ ଆମେ ମୃତାହତ ହେବୁ। ସହରର ଜଣେ ବୁଦ୍ଧିଜୀବୀଙ୍କ କହିବାନୁଯାୟୀ ଭାରୀଯାନ ଦ୍ୱାରା ଅତୀତରେ ଅନେକ ଦୁର୍ଘଟଣା ଘଟିଛି। ଯାହାଦ୍ୱାରା କାଉଡିଆମାନେ ମୃତାହତ ହୋଇଛନ୍ତି। ତେଣୁ ମାନସିକ ପୂରଣ ପାଇଁ ଜଳଲାଗି କରିବାକୁ ଆସୁଥିବା କାଉଡିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ ପୋଲିସ ଅଧିକାରୀମାନେ ଏ ନେଇ ପଦକ୍ଷେପ ଗ୍ରହଣ କଲେ କାଉଡିଆମାନଙ୍କ ଜୀବନ ବିପଦମୁକ୍ତ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.