Home କଳାହାଣ୍ଡି କଳାହାଣ୍ଡି ବାସୀଙ୍କ ଭାବାବେଗକୁ ଧୋକା ଦେଲା ସେଲଭାମ ଏଡୁକେସନାଲ ଚେରିଟେବୁଲ ଟ୍ରଷ୍ଟ, ଜମି ମାଫିଆ କିଣିନେଲେ...

କଳାହାଣ୍ଡି ବାସୀଙ୍କ ଭାବାବେଗକୁ ଧୋକା ଦେଲା ସେଲଭାମ ଏଡୁକେସନାଲ ଚେରିଟେବୁଲ ଟ୍ରଷ୍ଟ, ଜମି ମାଫିଆ କିଣିନେଲେ ଟ୍ରଷ୍ଟ ମାଲିକଙ୍କ ଜମି  

44

କଳାହାଣ୍ଡି,ତା.୧୨.୧୨.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜାରିଙ୍ଗଠାରେ ମେଡିକାଲ କଲେଜ ସ୍ଥାପନ ହେବା ପରେ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିପାରିବ ବୋଲି ସମଗ୍ର ଜିଲ୍ଲାବାସୀ ଙ୍କ ବହୁ ଆଶା ଆକାଂକ୍ଷା ଥିଲା । ହେଲେ କଳାହାଣ୍ଡିବାସୀଙ୍କ ଭାବେବେଗ ସହ ଖେଳ ଖେଳି ମେଡିକାଲ କଲେଜ ସ୍ଥାପନ ଦାୟୀତ୍ୱ ନେଇଥିବା ସେଲଭାମ ଏଡୁକେସନାଲ ଚାରିଟେବୁଲ ଟ୍ରଷ୍ଟ ସମଗ୍ର ଜିଲ୍ଲାବାସୀଙ୍କୁ ଧୋକା ଦେଇଥିବା ପ୍ରମାଣିତ ହୋଇଯାଇଛି । ଫଳରେ ଜିଲ୍ଲାବାସୀଙ୍କ ଭାବାବେଗରେ ଜଡିତ ଆଶା ଆକାଂକ୍ଷା ଧୂଳିସାତ ହୋଇଯାଇଛି ।
ଅବହେଲିତ କଳାହାଣ୍ଡି ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ତତ୍କାଳୀନ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଉଦ୍ୟମ କ୍ରମେ ଭବାନୀପାଟଣା-ଜୁନାଗଡ ଏନଏଚ-୨୬   (ପ୍ରାକ୍ତନ ଏନଏଚ-୨୦୧) ରାସ୍ତା ପାଶ୍ୱର୍ ରେ ଜାରିଙ୍ଗ ଠାରେ ୨୫ ଏକର  ସରକାରୀ ଜମି ଲିଜ କେଶ ନଂ.୦୧/୨୦୦୬ ଅନୁସାରେ ପ୍ଲଟ ନଂ.୮୦୭/୯୧୯ ରେ ୨୨ ଏକର ଓ ପ୍ଲଟ ନଂ. ୨୩୫/୯୧୮ ରେ ୩ ଏକର  ଜମି ଚେୟାରମେନ, ସେଲଭାମ ଏଡୁକେସନାଲ ଚେରିଟେବୁଲ ଟ୍ରଷ୍ଟ ଙ୍କ ନାମରେ ଖାତା ନଂ.୨୨୭/୫୧ ଅନୁସାରେ ହସ୍ତାନ୍ତର କରାଯାଇ ଥିଲା । ସେହିପରି ପ୍ରସ୍ତାବିତ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପର୍ଯ୍ୟାପ୍ତ ସରକାରୀ ସହାୟତା ପାଣ୍ଠି ଯୋଗାଇ ଦିଆ ଯାଇଥିଲା । ତଦନୁସାରେ ସେଲଭାମ ଏଡୁକେସନାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ବିଲଡିଂ ସବୁ ନିର୍ମାଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଜଏନିଂ କରାଯାଇଥିଲା । ହେଲେ ମେଡିକାଲ କାଉନସିଲ ର ସମସ୍ତ ନିୟମାବଳୀ ପୂରଣ କରିପାରିନଥିବା ହେତୁ ସେହି କଲେଜ ବନ୍ଦ ହୋଇଯାଇଥିବା ଜଣାପଡିଛି । ବର୍ତମାନ ସେସଂକ୍ରାନ୍ତରେ କେଶ ଚାଲିଥିବା ମଧ୍ୟ ଜଣାପଡିଛି ।
ଅନ୍ୟପକ୍ଷରେ କଳାହାଣ୍ଡି ବାସୀଙ୍କ ଭାବେବେଗ ସହ ଜଡିତ ଏବଂ ସରକାରୀ ଜମି ଓ ପାଣ୍ଠି ଯୋଗାଇ ଦିଆଯାଇଥିବା ବେଳେ ଟ୍ରଷ୍ଟ ପକ୍ଷରୁ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା ଏବଂ ମେଡିକାଲ ଶିକ୍ଷାଦାନ ବ୍ୟବସ୍ଥା କରିବାରେ ଅବହେଲା କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାଫଳରେ ମେଡିକାଲ ଶିକ୍ଷାଲାଭ  ଏବଂ ଚିକିତ୍ସା ସେବା ପାଇବାରେ କଳାହାଣ୍ଡି ବାସୀ ବଂଚିତ  ହୋଇଯାଇଛନ୍ତି ।
ମେଡିକାଲ କଲେଜ ବନ୍ଦ ହେବାପରେ ବର୍ତମାନ ଜମି ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ସେହି ମୂଲ୍ୟବାନ ଜମି ସବୁ ଉପରେ ପଡିଥିବା ଦେଖାଯାଉଛି । ପ୍ରଥମ ପର୍ଯ୍ୟାୟରେ ମେଡିକାଲ କଲେଜ ପକ୍ଷରୁ ଷ୍ଟାଫ କ୍ୱାଟର ନିର୍ମାଣ କରାଯିବାକୁ ଏନଏଚ ପାଶ୍ୱର୍ସ୍ଥ ଜାରିଙ୍ଗ ସଂଲଗ୍ନିତ ଘଂଟବାହାଲି ମୌଜା ର ବୃନ୍ଦାବତୀ ସ୍ୱାମୀ- ରାମଦାସ ସାହୁ ଙ୍କ ଠାରୁ ଖାତାନଂ.୯୦ ମଧ୍ୟରୁ ନଅ (୯) ଏକର ଜମି  ସେଲଭାମ ଏଡୁକେସନାଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଙ୍କ ପତ୍ନୀ ସୋଫିଆ ରାଜି ଓ ତାଙ୍କ ପୁତ୍ର ମାନଙ୍କ ନାମରେ କିଣାଯାଇ ଖାତା ନଂ. ୧୫୧/୬୩ ରେ ରଖାଯାଇଥିଲା । ସେହି ନଅ ଏକର ଜମିକୁ ଜୁନାଗଡସ୍ଥିତ ଶଙ୍କରଲାଲ ଅଗ୍ରୱାଲ କିଣିନେଇ ଗତ ୨୦୨୦ ରେ ମ୍ୟୁଟେସନ ମରି ଖାତା ନଂ.୧୫୧/୭୭ ରେ ନିଜ ନାମରେ କରାଇନେଇଥିବା ଜଣାପଡିଛି । ଏନଏଚ-୨୬ ପାଶ୍ୱର୍ରେ ଥିବା ଏହି ଜମି ରେ ବର୍ତମାନ ପ୍ଲଟିଂ କରାଯାଇ ବିକ୍ରୀ କରିବାକୁ ଯୋଜନା କରାଯାଉଥିବା ଦେଖାଯାଉଛି ।
କଳାହାଣ୍ଡି ଜିଲ୍ଲାରେ ଅତୀତରେ ଚିଟଫଣ୍ଡ ଜମି, ଦେବୋତର ଜମି କୁ ମାଫିଆ ମାନଙ୍କ ଦ୍ୱାରା କିଣାଯାଇ ପ୍ଲଟିଂ କରାଯାଉଥିବା ଅନେକ ଅଭିଯୋଗ ହେଉଥିବା ବେଳେ ଜୁନାଗଡ ରେ ମଧ୍ୟ ମନ୍ଦିର ଜମିକୁ ହାତେଇ ନେଇ ପ୍ଲଟିଂ କରାଯାଇ ବିକ୍ରୀ କରାଯାଇଥିବା ଅଭିଯୋଗ ହୋଇଛି । ଏପରିସ୍ଥଳେ ଘଂଟବାହାଲିସ୍ଥ ଏହି ଜମି ଯଦିଓ ଟ୍ରଷ୍ଟ ମାଲିକ ସର୍ଦାର ରାଜାଙ୍କ ପରିବାର ଲୋକଙ୍କ ନାମରେଥିଲା, ତଥାପି ଏହା ମେଡିକାଲ କଲେଜର ଆନୁସଙ୍ଗିକ ବିଲଡିଂ ନିର୍ମାଣ ପାଇଁ ହିଁ ରଖାଯାଇଥିବା ବେଳେ ସେହି ଜମିକୁ ହସ୍ତାନ୍ତର କରିନେଇ ପ୍ଲଟିଂ କରାଯିବା କଳାହାଣ୍ଡି ଜିଲ୍ଲାବାସୀଙ୍କ ଭାବାବେଗ ପ୍ରତି କୁଠାରାଘାତ ନୁହେଁ କି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.