Home ଓଡ଼ିଶା କରୋନା ମୁକାବିଲା ନେଇ ସରକାର ହାତ ଟେକିଦେଲେ – ବର୍ତ୍ତମାନ ଜଗନ୍ନାଥ ହିଁ ଭରସା –...

କରୋନା ମୁକାବିଲା ନେଇ ସରକାର ହାତ ଟେକିଦେଲେ – ବର୍ତ୍ତମାନ ଜଗନ୍ନାଥ ହିଁ ଭରସା – ନିରଞ୍ଜନ ପଟ୍ଟନାୟକ

244

ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) – ବର୍ତ୍ତମାନ ଓଡିଶାର ସ୍ଥିତିକୁ ଦେଖି ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି। ସରକାର କିଭଳି ଭାବରେ କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ମୁଁ କିଛି ବୁଝି ପାରୁନି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ପ୍ରେସ୍ ବାର୍ତ୍ତା ମାଧ୍ୟମରେ କହିଛନ୍ତି। ବିଭିନ୍ନ କ୍ୱାରେନ୍‌ଟାଇନ୍ ସେଂଟର ବର୍ତ୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ। ଯେଉଁମାନେ କ୍ୱାରେନ୍‌ଟାଇନ୍‌ରୁ ଡିସ୍‌ଚାର୍ଜ ହୋଇ ଯାଉଛନ୍ତି, ସେମାନଙ୍କୁ ଯେଉଁ ୨ ହଜାର ଟଙ୍କା ଲେଖାଏଁ ଦେବାକଥା ତାହା ଦିଆଯାଉନାହିଁ। କ୍ୱାରେନ୍‌ଟାଇନ୍ ସେଂଟରରେ ବଗିଚା କାମ ଓ ରଙ୍ଗ କାମ କେତେ ବାଟ ଗଲା ତାହା କେହି କିଛି ଜାଣି ପାରୁନାହାନ୍ତି। ତେଣୁ କ୍ୱାରେନ୍‌ଟାଇନ୍ ସେଂଟର ଶୃଙ୍ଖଳିତ ଭାବେ ଚାଲୁନାହିଁ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ। ଯେଉଁ ପ୍ରବାସୀମାନେ ଫେରୁଛନ୍ତି, ସେମାନଙ୍କୁ ସରକାର କହିଥିଲେ କି ଚାଉଳ, ଡାଲି ଦେବେ ତାହା ମଧ୍ୟ ଦେଉନାହାନ୍ତି। ଯେଉଁ ଏନ୍‌ଆରଜିଏସ୍ କାର୍ଯ୍ୟ ଆରମ୍ଭ ହେବା କଥା ତାହା ମଧ୍ୟ କରାଯାଉ ନାହିଁ। ଖୁବ୍ କମ୍ ଦିନ ମଧ୍ୟରେ ବର୍ଷା ଦିନ ଆରମ୍ଭ ହୋଇଯିବ। ଲୋକ କେବେ କାମ କରିବେ? ସବୁଠାରୁ ଚିନ୍ତାର ବିଷୟ ଯେ ପ୍ଲେନ୍ ଆସୁଛି, ଟ୍ରେନ୍ ଆସୁଛି କିନ୍ତୁ ଆମ ସରକାର ଜାଣି ପାରୁନାହାନ୍ତି କି ଆମ ସରକାରଙ୍କୁ ଖବର ଦିଆଯାଉନାହିଁ। ଗତକାଲି ହଜାର ହଜାର ଲୋକ ଆସି ପହଂଚିଛନ୍ତି। ସେମାନଙ୍କ ଅବସ୍ଥା କହିଲେ ନସରେ। କିନ୍ତୁ ଆମ ସରକାର ତାହା ଜାଣି ପାରୁ ନାହାନ୍ତି। ଏବେ କ୍ୱାରେନ୍‌ଟାଇନ୍‌କୁ ୨୧ ଦିନ ପରିବର୍ତେ ୭ ଦିନ କରିଦିଆଯାଇଛି, ଏବେ ଅବସ୍ଥା କ’ଣ ହେବ? କେଉଁ ଅବସ୍ଥା ଆଡକୁ ବର୍ତ୍ତମାନ ଆମ ରାଜ୍ୟ ଯାଉଛି? କରୋନା ମୁକାବିଲା ନେଇ ବର୍ତ୍ତମାନ ସରକାର ଉପରକୁ ହାତ ଟେକି ଦେଇଛନ୍ତି। ପ୍ରଶାସନ କ’ଣ କରିବାକୁ ଚାହୁଁଛନ୍ତି କିଛି ବୁଝାପଡୁନି। ଆଜି ଓଡିଶା ସାଂଘାତିକ ପରିସ୍ଥିତିରେ ପହଂଚିଲାଣି। ଗୁଜୁରାଟକୁ ମଡର୍ଣ୍ଣ ରାଜ୍ୟ ଭାବେ କୁହାଯାଉଥିଲା। ବର୍ତ୍ତମାନ ମଧ୍ୟ ସେଠାକାର ପରିସ୍ଥିତି ସମାନ। ଆମ ପାଇଁ କେବଳ ଜଗନ୍ନାଥ ହିଁ ଭରସା। ଆଉ କେହି ନାହାନ୍ତି। ଜଗନ୍ନାଥ ଏଇ ଓଡିଶାବାସୀଙ୍କୁ ରକ୍ଷା କରନ୍ତୁ। ଏଥିରୁ ସରକାରଙ୍କର ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ମନୋବୃତି ନଥିଲା ପରି ଜଣାପଡୁଛି। ସରକାରଙ୍କର କୌଣସି ନିଷ୍ପତି ଠିକ୍‌ରେ ଚାଲୁନାହିଁ। ରାଜ୍ୟ ସରକାରଙ୍କ ଅନ୍‌ଲାଇନ୍ ମଦ ବିକ୍ରୀ ନିଷ୍ପତି ସଂପର୍କରେ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ ଲକ୍‌ଡାଉନ ଶେଷ ପର୍ଯ୍ୟନ୍ତ ମଦ ବିକ୍ରୀ ବନ୍ଦ କରିଥିଲେ ସରକାରଙ୍କର କ’ଣ କ୍ଷତି ହୋଇଥାନ୍ତା କାରଣ ଲକ୍‌ଡାଉନ ସମୟରେ ଏତେ କ୍ଷତି ହେଲାଣି, ଆଉ ୪/୫ ଦିନ ମଦ ବନ୍ଦ କରିଥିଲେ କ’ଣ ଅସୁବିଧା ହୋଇଥାନ୍ତା। ବର୍ତ୍ତମାନ ସମୟ ଆସିଛି ଓଡିଶାର ଜନସାଧାରଣ ମଦ ବିକ୍ରୀକୁ ବିରୋଧ କରିବା ପାଇଁ। ଏହି ସମୟରେ ସରକାରଙ୍କୁ ଏକ ସୁଯୋଗ ମିଳିଥିଲା ଯେ ଲୋକଙ୍କୁ ବିନା ମଦରେ ରଖି ଭବିଷ୍ୟତରେ ରାଜ୍ୟକୁ ସଂପୂର୍ଣ୍ଣ ନିଶା ନିବାରଣ କରିପାରିଥାନ୍ତେ। ଏହି କରୋନା ଏକ ଦୁର୍ଯୋଗ। କିନ୍ତୁ ସରକାରଙ୍କୁ ଏହି ସମୟରେ ବହୁତ ଗୁଡିଏ ଯେଉଁ ସୁଯୋଗ ମିଳିଥିଲା, ତାକୁ ଠିକ୍ ରୂପେ ବ୍ୟବହାର କରିପାରିଲେ ନାହିଁ କି ଶାସନକୁ ଶୃଙ୍ଖଳିତ କରିପାରିଲେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.