Home ଓଡ଼ିଶା କରୋନା କଟକଣା ଯୋଗୁଁ – ସିଂହଦ୍ୱାର ସମ୍ମୁଖରେ ଶୁଭିଲାନି ଭକ୍ତଙ୍କ ବଡ଼ବଡ଼ୁଆ ଡ଼ାକ

କରୋନା କଟକଣା ଯୋଗୁଁ – ସିଂହଦ୍ୱାର ସମ୍ମୁଖରେ ଶୁଭିଲାନି ଭକ୍ତଙ୍କ ବଡ଼ବଡ଼ୁଆ ଡ଼ାକ

33

ପୁରୀ ୧୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଲୋକର ପର୍ବ ଦିପାବଳୀ କରୋନା କଟକଣା ଯୋଗୁଁ ଫିକା ପଡ଼ିଯାଇଛି। ସବୁ ବର୍ଷ ପରି ଚଳିତ ବର୍ଷ ସିଂହଦ୍ୱାର ସମ୍ମୁଖରେ କାଉଁରିଆ ଜଳାଇବା ମନାଥିବା ଯୋଗୁଁ ସିଂହଦ୍ୱାର ସମ୍ମୁଖରେ ଚଳିତ ବର୍ଷ ଶ୍ରଦ୍ଧାଳୁ ମାନଙ୍କର ବଡ଼ବଡ଼ୁଆ ଡ଼ାକ ଶୁଭିନଥିଲା। ସେହିପରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବାରଣ ଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନେ ସବୁ ବର୍ଷଭଳି ବାଈଶି ପାହାଚରେ ପ୍ରୟା ଶ୍ରାଦ୍ଧ ଦେବାରୁ ବଞ୍ଚିତ ହୋଇଥିଲେ। ପ୍ରଶାସନ ଦ୍ୱାରା ଉତ୍ତର ଦ୍ୱାର ନିକଟରେ ପ୍ରୟା ଶ୍ରାଦ୍ଧ ଦବା ପାଇଁ ସ୍ଥାନ ଚିହ୍ନଟ କରାଯାଇଥିବା ଯୋଗୁଁ ପୁରୀ ସହର ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ସେମାନଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ସହ ପିଣ୍ଡ ଦାନ କରିଥିଲେ। ପବିତ୍ର ଦିପାବଳୀ ଅମାବାସ୍ୟା ଅବସରରେ ଘରେ ଘରେ ଚଉରା ଗଛ ମୂଳେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ସହ କାଉଁରିଆ କାଠି ଜଳାଇ ବଡ଼ବଡ଼ୁଆ ଡ଼ାକିଥିଲେ। ଦିପାବଳୀ ଅମାବାସ୍ୟା ଅବସରରେ କେତେକ ବ୍ୟବସାୟ ପ୍ରତିଷ୍ଠାନର ନୂଆଖାତା ଓ ପୂଜା, ହୋମ ଆଦି କରାଯାଇଥିଲା। କରୋନା କଟକଣା ଅନୁଯାଇ ବିଭିନ୍ନ ଦେବୀ ମଣ୍ଡପରେ ମା’ କାଳୀଙ୍କ ମୁଣ୍ମମୟୀ ମୁର୍ତ୍ତୀ ପୂଜା କରାଯାଇଛି। ସହରରେ ଥିବା ଦେବୀ ପୀଠ ଦକ୍ଷିଣକାଳୀ ଓ ଶାମାକାଳୀ ମନ୍ଦିର ବନ୍ଦ ଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିରର ଦୁଆର ସମ୍ମୁଖରେ ଦର୍ଶନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ବାଣ ଫୁଟାଇବା ମନାଥିବା ଯୋଗୁଁ ସଂଧ୍ୟା ସମୟରେ ବାଣ ଫୁଟାର ଶବ୍ଦ ନଥିବାବେଳେ ରାତି ୧୦ଟା ପରେ କେତେକ ସ୍ଥାନରେ ବାଣ ଫୁଟାର ଶବ୍ଦ ଶୁଣିବାକୁ ମିଳିଥିଲା। ଆଇନ୍ ଶୃଙ୍ଖଳା ପାଇଁ ସହରରେ ବ୍ୟାପକ ପୋଲିସ୍ ମୃତୟନ କରାଯାଇଥିଲା। ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ସହରର ଜନଗହଳି ପୂର୍ଣ୍ଣ ରାସ୍ତା, ବଜାର ଓ ବେଳାଭୂମିରେ ସାମାଜିକ ଦୂରତା ଥିବା ଜଣାପଡ଼ୁନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.