Home ଜିଲ୍ଲା ପରିକ୍ରମା କରୋନା କଟକଣାରୁ ନିରାଡ଼ମ୍ବରରେ ସମ୍ପନ୍ନ ମାଆଙ୍କ ମହାଷ୍ଟମୀ ପୂଜା – ବିନା ଭକ୍ତରେ ଖାଁ ଖାଁ...

କରୋନା କଟକଣାରୁ ନିରାଡ଼ମ୍ବରରେ ସମ୍ପନ୍ନ ମାଆଙ୍କ ମହାଷ୍ଟମୀ ପୂଜା – ବିନା ଭକ୍ତରେ ଖାଁ ଖାଁ ପୂଜାମଣ୍ଡପ

30

ବାଲେଶ୍ୱର, ୨୪ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା କଟକଣା ମଧ୍ୟରେ ମାଆ ଦୁର୍ଗାଙ୍କ ଶାରଦୀୟ ମହାଷ୍ଟମୀ ପୂଜା ବେଶ୍ ଶ୍ରଦ୍ଧା ଓ ଭକ୍ତିର ସହ ଆଜି ସମ୍ପନ୍ନ ହୋଇଯାଇଛି। ତେବେ ଅନ୍ୟାନ୍ୟ ବର୍ଷ ଭଳି କୌଣସି ପୂଜା ମଣ୍ଡପରେ ଭକ୍ତଙ୍କର ଭିଡ଼ ନଥିଲା କିମ୍ବା ବ୍ରତଧାରୀ ଶ୍ରଦ୍ଧାଳୁମାନେ ଡାଲାଭୋଗ ଲାଗି କରିବାକୁ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ନଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ ମୁତାବକ ସାମାଜିକ ଦୂରତା ରକ୍ଷା ସହ କେବଳ ବିଧିରକ୍ଷାରେ ଚଳିତବର୍ଷ ସବୁଠି ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। କୌଣସି ପୂଜା ମଣ୍ଡପରେ ସୁଉଚ୍ଚ ୍େ‌ତାରଣ ଆକର୍ଷଣୀୟ ଆଲୋକମାଳା ନାହିଁ। ବ୍ରତଧାରୀମାନେ ନିଜ ନଜ ଘରେ ରହି ମାଆଙ୍କୁ ଆରଧନା କରିଛନ୍ତି। କାଁ ଭାଁ ଲୋକେ ପୂଜା ମଣ୍ଡପରୁ ପୁଜାଫୁଲ ଓ ବେଲପତ୍ର ଆଦି ନେଇ ଘରେ ପାଳନା କରିଛନ୍ତି। ସହର ବଜାରରେ ଜନଗହଳି ନାହିଁ କିମ୍ବା ସେମିତି ଜକାଜମକ ବି ନାହିଁ। ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତବର୍ଷ ଅଧିକାଂଶ ମଣ୍ଡପରେ ୪ଫୁଟ ଉଚ୍ଚତା ମଧ୍ୟରେ ମାଆଙ୍କ ମୃଣ୍ମୟ ମୂର୍ତ୍ତି ପୂଜା କରାଯାଉଥିବା ବେଳେ ବହୁ ସ୍ଥାନରେ କେବଳ ଘଟପୂଜା ହେଉଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପକ୍ଷରେ ଆବାହମାନ କାଳରୁ ଚଳିତ ଆସୁଥିବା ଶାରଦୀୟ ଦୁର୍ଗାପୂଜାର ବାଲେଶ୍ୱରର ଅନନ୍ୟ ପରମ୍ପରା ବୀରାଷ୍ଟମୀ ଓ ଦଶହରାରେ ପାଇକ ଆଖଡ଼ା ପ୍ରଦର୍ଶନକୁ ମଧ୍ୟ ଚଳିତବର୍ଷ ବ୍ୟାନ୍ କରାଯାଇଛି। ବୀରାଷ୍ଟମୀରେ ସହରସ୍ଥିତ ମାକଲପୁର ମହାବୀର ମନ୍ଦିରକୁ ବିଭିନ୍ନ ଅଞ୍ଚଳରୁ ଆଖଡ଼ା ଟିମ୍ ଆସି ବଜରଙ୍ଗବାଲିଙ୍କ ଆଗରେ ସଲାମୀ ଖେଳ ପ୍ରଦର୍ଶନ କରିଥା’ନ୍ତି ଓ ଦଶହରା ଦିନ ସିନେମାଛକଠାରେ ପ୍ରତ୍ୟେକ ଦଳ ବ୍ୟାପକ ଭାବେ ପ୍ରାଚୀନ ସମର କଳା ଦେଖାଇଥା’ନ୍ତି।୍ୱାତ୍ର ଆଜି ମହାଷ୍ଟମୀରେ ମହାବୀର ଆଖଡ଼ା ଟିମ ସମେତ ଅନ୍ୟ କେତେକ ଟିମ୍‌ର ସର୍ଦ୍ଦାର ତଥା ପୁରୁଖା ଖେଳାଳି ବିଧିରକ୍ଷା ପାଇଁ ସାମାନ୍ୟ ଖେଳ ପ୍ରଦର୍ଶନ କରିଥିଲେ। ମୋଟ ଉପରେ ମହାମାରୀ କରୋନା ଯୋଗୁଁ ଚଳିତ ବର୍ଷର ମାଆଙ୍କ ପୂଜା ରଙ୍ଗହୀନ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ଏମିତିକି ଶାରଦୀୟ ଦୁର୍ଗୋତ୍ସବର ଶେଷ ପର୍ଯ୍ୟାୟ ଭାବେ ଚଳିତ ବର୍ଷ ଭସାଣି ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି। ବିନା ସାଉଣ୍ଡରେ ନିର୍ଦ୍ଧାରିତ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ ସ୍ଥାନୀୟ ପ୍ରଶାସନ ଚୟନ ସ୍ଥାନରେ ମାଆଙ୍କୁ ବିସର୍ଜନ କରାଯିବାର ବ୍ୟବସ୍ଥା ହୋଇଛି। ଯାହା ବି ହେଉ ଏହି ମହାମାରୀ କରୋନା ଯୋଗୁଁ ଉତ୍କଳୀୟ ସଂସ୍କୃତିର ଗୋଟିଏ ପରେ ଗୋଟି ଉତ୍ସବ ଓ ପର୍ବପର୍ବାଣୀ କେବଳ ବିଧିରକ୍ଷାରେ ପାଳିତ ହୋଇ ଆସୁଥିବା ବେଳେ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଦୁଃଖ ଓ ନିରାଶର ଭାବନା ଦେଖାଦେଇଛି। କେଉଁଦିନ ଭେକ୍ସିନ୍ ବାହାରିବ ଓ କରୋନା ଭୂତାଣୁର ବିଲୟ ହେବ ତାହାକୁ ଅନାଇ ରହିଛି ଏହି ମାନବ ସମାଜ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.