Home ଜିଲ୍ଲା ପରିକ୍ରମା କରୋନା ଆତଙ୍କରେ ସ୍ୟାଣ୍ଡ ରିସର୍ଟ ବନ୍ଦ ଯୋଗୁଁ ମୁଦୁଲିଗାଡ଼ିଆ ଲୋକେ ଦାନାପାଣି ଖୋଜୁଛନ୍ତି

କରୋନା ଆତଙ୍କରେ ସ୍ୟାଣ୍ଡ ରିସର୍ଟ ବନ୍ଦ ଯୋଗୁଁ ମୁଦୁଲିଗାଡ଼ିଆ ଲୋକେ ଦାନାପାଣି ଖୋଜୁଛନ୍ତି

93

ନୟାଗଡ଼, ୧୭ା୬:((ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରେନା ଆତଙ୍କରେ ସମସ୍ତେ ଆତଙ୍କିତ। କେହି ବାଦ ପଡ଼ୁନାହାନ୍ତି ଏହାର କବଳରୁ। ନୟାଗଡ଼ ଜିଲା ଗଣିଆ ବ୍ଳକ ଛାମୁଣ୍ଡିଆ ପଂଚାୟତ ମୁଦୁଲିଗାଡ଼ିଆର ମହାନଦୀ କୂଳରେ ହୋଇଥିବା ସ୍ୟାଣ୍ଡ ରିସର୍ଟ ବି ବାଦ ପଡ଼ିନି ଏହାର ପ୍ରଭାବରୁ। ଖାଁ ଖାଁ ହୋଇପଡ଼ିଛି ସ୍ୟାଣ୍ଡ ରିସର୍ଟ ସହିତ ରୋପୱେ ଓ ମୁଦୁଲିଗାଡ଼ିଆର ସାଜସଜ୍ଜା। ମୁଦୁଲିଗାଡ଼ିଆର ଗାଁ ଏକତା, ଏକପ୍ରକାର ରଙ୍ଗରେ ଗାଁ ସାଜସଜ୍ଜା, ପରିବେଶ ପରିଚ୍ଛନ୍ନତା ତଥା ମାଟି କାନ୍ଥରେ ପଡ଼ିଥିବା ଏକା ପ୍ରକାର ଏକା ରଙ୍ଗର ଝୋଟି ପର୍ଯ୍ୟଟକଙ୍କର ମନ ମୋହୁଥିଲା। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଦ୍ୱାରା ପରିଚାଳିତ ଏହି ସ୍ୟାଣ୍ଡ ରିସର୍ଟରେ ବିଭିନ୍ନ କାମରେ ସହଯୋଗ କରୁଥିଲେ ମୁଦୁଲିଗାଡ଼ିଆର ଗ୍ରାମବାସୀ। ଯାହାକି ପ୍ରଥମ ଇକୋ ଭିଲେଜ ନାମରେ ପରିଚିତ କରିଥିଲା ମୁଦୁଲିଗାଡ଼ିଆକୁ। ଏହି ଇକୋ ଭିଲେଜର ଗ୍ରାମବାସୀମାନେ ଏବେ କରୋନା ପ୍ରଭାବରେ ବନ୍ଦ ହୋଇଯାଇଥିବା ସ୍ୟାଣ୍ଡ ରିସର୍ଟ ଯୋଗୁଁ ଦାନାପାଣି ହରେଇଛନ୍ତି। ଏହି ସ୍ୟାଣ୍ଡ ରିସର୍ଟକୁ ଜିଲା, ରାଜ୍ୟ ତଥା ଦେଶ ବିଦେଶରୁ ପର୍ଯ୍ୟଟକମାନେ ଆସୁଥିଲେ। ବାର୍ଷିକ ଲାଭାଂଶରୁ ସେମାନଙ୍କୁ ଯେଉଁ ପାରିଶ୍ରମିକ ମିଳୁଥିଲା ସେମାନେ ପରବାର ଚଳାଇବା ପାଇଁ ବେଶ୍ ସହାୟକ ହେଉଥିଲା। ପର୍ଯ୍ୟଟକମାନେ ଏଠାକୁ ଆସି ଏହାର ସୌନ୍ଦର୍ଯ୍ୟରେ ବିମୋହିତ ହେବା ସହ ମହାନଦୀର ବାଲୁକା ଖଣ୍ଡରେ ନିର୍ମିତ ହୋଇଥିବା ମନମତାଣିଆ କୁଟୀରରେ ରହି ରୋପୱେ ଓ ମହାନଦୀର ବୋଟିଂରେ ବସି ମଜା ନେଉଥିଲେ। ସନ୍ଧ୍ୟା ସମୟରେ ମୁଦୁଲିଗାଡ଼ିଆର ଲୋକନୃତ୍ୟ ସେମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ହେଉଥିଲା। ପର୍ଯ୍ୟଟକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାର୍ଯ୍ୟ କରିବା ସହ ଖାଦ୍ୟ ଯୋଗାଇବା, ସ୍ୟାଣ୍ଡ ରିସର୍ଟରେ ରୋଷେଇ କରିବା ଠାରୁ ଆରମ୍ଭ କରି ଘର ସଫା କରିବା ଆଦି ସମସ୍ତ କାର୍ଯ୍ୟରେ ସେମାନେ ନିଜକୁ ନିୟୋଜିତ କରୁଥିଲେ। ଏହି ସ୍ୟାଣ୍ଡ ରିସର୍ଟ ମୁଦୁଲିଗାଡିଆର ସବୁ ପରିବାରକୁ କହିବାକୁ ଗଲେ ଆହାର ଯୋଗାଉଥିଲା। ହେଲେ ଏବେ ୩ମାସ ଧରି କରୋନା ଆତଙ୍କରେ ସ୍ୟାଣ୍ଡ ରିସର୍ଟ ଏକ ପ୍ରକାର ବନ୍ଦ ହୋଇପଡ଼ିଥିବାବେଳେ ସେମାନଙ୍କ ଦାନାପାଣୀ ମଧ୍ୟ ବନ୍ଦ ହୋଇଯାଇଛି। ସ୍ୟାଣ୍ଡ ରିସର୍ଟକୁ ପର୍ଯ୍ୟଟକମାନେ ଆସୁନଥିବାବେଳେ କରୋନା ସ୍ୟାଣ୍ଡ ରିସର୍ଟରେ ତାଲା ପକେଇଦେଇଛି। ଯାହା ଫଳରେ ମୁଦୁଲିଗାଡ଼ିଆର ଲୋକମାନେ ଜୀବନ ଜୀବିକା ହରେଇଛନ୍ତି। ସେମାନଙ୍କ ରୋଜଗାର ଠପ୍ ହୋଇଯାଇଛି। ଘର ଚଳେଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। କେବେ କରୋନା ଯିବ ସ୍ୟାଣ୍ଡ ରିସର୍ଟ ପୁଣି ହସି ଉଠିବ, ତାଙ୍କୁ ଦାନାପାଣି ମିଳିବ ସେହି ଦିନକୁ ସେମାନେ ଯେମିତି ଅନେଇ ବସିଛନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.