Home କବିତା କବି ରଂଜନ କୁମାର ଦାସଙ୍କ ତିନୋଟି ପୁସ୍ତକ ଉନ୍ମୋଚିତ

କବି ରଂଜନ କୁମାର ଦାସଙ୍କ ତିନୋଟି ପୁସ୍ତକ ଉନ୍ମୋଚିତ

96

ଭୁବନେଶ୍ୱର, ୩୧ା୭ (ଓଡ଼ିଆ ପୁଅ) : ବିଶିଷ୍ଟ ପ୍ରଶାସକ ଓ ସାହିତ୍ୟିକ ରଂଜନ କୁମାର ଦାସଙ୍କ ରଚିତ ଲଳିତ ନିବନ୍ଧ ସଂକଳନତ୍ରୟ ‘ଅସନ୍ତୋଷର ପୃଥିବୀ’, ‘ଥାଇ ଘୋର ଜଳେଣ’ ଏବଂ ‘ଶବ୍ଦ ଶସ୍ତ୍ର’ର ଉନ୍ମୋଚନ ଉତ୍ସବ କଟକ ଶାରଳା ଭବନରେ ଗତକାଲି ସନ୍ଧ୍ୟାରେ ଉନ୍ମୋଚନ ହୋଇଯାଇଛି। ଶାରଳା ସାହିତ୍ୟ ସଂସଦର ସଭାପତି ସାହିତ୍ୟିକ ଡଃ ଇଂ. ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ଉତ୍ସବରେ ପ୍ରାକ୍ତନ ଅତିରିକ୍ତ ମୁଖ୍ୟଶାସନ ସଚିବ ଡଃ ରବି ନାରାୟଣ ସେନାପତି, କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ, ପ୍ରାବନ୍ଧିକ ଡଃ ବୈଷ୍ଣବ ଚରଣ ମହାନ୍ତି ଏବଂ ନାଟ୍ୟକାର ଡଃ ବିଜୟ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚିତ କରିଥିଲେ। ଡକ୍ଟର ସେନାପତି ‘ଶବ୍ଦ ଶସ୍ତ୍ର’ ପୁସ୍ତକକୁ ଉନ୍ମୋଚିତ କରି ସାମ୍ପ୍ରତିକ ଘଟଣାବଳୀ ଗୁଡ଼ିକୁ ପୁସ୍ତକରେ ନିଛକ ଭାବେ ଚିତ୍ରଣ କରାଯାଇଛି ବୋଲି କହିଥିଲେ। ଜିଲ୍ଲାପାଳ ଡଃ ଚୟନୀ କହିଲେ ଲେଖକ ମନସ୍କ ହେବା ସହିତ ପ୍ରଶାସନିକ କାର୍ଯ୍ୟରେ ରଂଜନ ଦାସ ସଫଳତା ଅର୍ଜ୍ଜନ କରିଛନ୍ତି। ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ‘ଅସନ୍ତୋଷର ପୃଥିବୀ’ ପୁସ୍ତକ ଉନ୍ମୋଚନ କରି ଲେଖକ ଦୈନନ୍ଦିନ ସମାଜରେ ଘଟୁଥିବା ଘଟଣାକୁ ନିଜସ୍ୱ ଦୃଷ୍ଟିଭଙ୍ଗୀରେ ପୁସ୍ତକରେ ଉପସ୍ଥାପନ କରାଯାଇଛି ବୋଲି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଡଃ ଶତପଥୀ ‘ଥାଇ ଘୋର ଜଳେଣ’ ପୁସ୍ତକ ଉନ୍ମୋଚନ କରି ଲେଖକ ଆଧୁନିକ ଗଣିତର ଜୀବନ ଜିଜ୍ଞାସା ଓ ଗତିପଥକୁ ସରଳ ଓ ସୁନ୍ଦରଭାବେ ନିରୀକ୍ଷଣ କରିଛନ୍ତି ବୋଲି କହିଥିଲେ। ସଭାପତି ଡଃ ସ୍ୱାଇଁ ତାଙ୍କ ଅଭିଭାଷଣରେ କହିଲେ ସାହିତ୍ୟ ସତ୍ୟ ଶିବ ଓ ସୁନ୍ଦରର ପରିପ୍ରକାଶ, ଲେଖକ ଶ୍ରୀ ଦାସଙ୍କ ତିନୋଟି ଲଳିତ ନିବନ୍ଧ ସଂକଳନ ଓଡ଼ିଆ ସାହିତ୍ୟର ସଫଳ ସୃଷ୍ଟି ହୋଇରହିବ। ପୁସ୍ତକ ରଚୟିତା ଶ୍ରୀ ଦାସ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରି ଅନୁଭୂତି ଓ ଅନୁଭବକୁ ଲେଖନୀରେ ଆଙ୍କିପାରିଲେ ଅପାର ଆନନ୍ଦ ମିଳେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ପ୍ରଭାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ସଙ୍କଳନ ତ୍ରୟର ପ୍ରକାଶିତ ବିଭୁ ତ୍ରିପାଠୀ, ପ୍ରଭାଂଶୁ ସାମନ୍ତରାୟ ଓ ଦେବାଶିଷ ବେହେରା ପରିଚାଳନା କରିଥିଲେ। ଏହି ଉତ୍ସବରେ ବହୁ ସଂଖ୍ୟକ ସାହିତ୍ୟିକ, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.