Home ଜିଲ୍ଲା ପରିକ୍ରମା କବିତାଙ୍କୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗ, ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ବଖାଣିଲେ କରୁଣ କାହାଣୀ

କବିତାଙ୍କୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗ, ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ବଖାଣିଲେ କରୁଣ କାହାଣୀ

109

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆଗରପଡା ଥାନା ଅଧୀନସ୍ଥ ଚାରିଗାଁ ଗ୍ରାମନିବାସୀ ସ୍ୱର୍ଗତଃ ଭଗବାନ କଟୁଆଳଙ୍କ କନ୍ୟା କବିତା (୨୦) କୁ ତାର ସ୍ୱାମୀ ଓ ଶ୍ୱଶୁରଘର ଲୋକେ ଯୌତୁକ ବାବଦ ଅଧିକ ୫୦ ହଜାର ଟଙ୍କା ପାଇଁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ବହୁବାର ହତ୍ୟା ଉଦ୍ୟମ କରିଥିବା ନେଇ ଆଜି ନିର୍ଯ୍ୟାତିତା ନିଜ ବିଧବା ମା’ ଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି । ସେ ଗଣମାଧ୍ୟମ ନିକଟରେ ନିଜ ନିର୍ଯ୍ୟାତନାର ଯେଉଁ କରୁଣ କାହାଣୀ କହିôଥଲେ, ତାହା ଯେତିକି ହୃଦୟସ୍ପର୍ଶୀ ସେତିକି ଲୋମହର୍ଷଣ ମଧ୍ୟ । ତାଙ୍କ ସୂଚନା ଅନୁସାରେ ଏହି ଥାନା ଅଧୀନସ୍ଥ ଅଣିଜୋ ଗ୍ରାମନିବାସୀ ପର୍ଶୁରାମ ବେହେରାଙ୍କ ପୁତ୍ର ଜିତେନ୍ଦ୍ର (୨୫) ଙ୍କ ସହ ୨୦୧୯ ମସିହା ଜୁଲାଇ ମାସରେ ସ୍ଥାନୀୟ ତାରିଣୀ ମନ୍ଦିରରେ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଆବଶ୍ୟକୀୟ ଯୌତୁକ ସାମଗ୍ରୀ ଓ ଅର୍ଥ କନ୍ୟାପକ୍ଷ ଦେଇଥିଲେ । ମାତ୍ର ବିବାହର ୩ ମାସ ପରେ ଅଧିକ ୫୦ ହଜାର ଟଙ୍କା ଯୌତୁକ ନଆଣିବାରୁ ତାର ସ୍ୱାମୀ ଓ ଶ୍ୱଶୁରଘର ଲୋକେ ତା ପ୍ରତି ନାନାଦି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ।

ଏପରିକି ବିଭିନ୍ନ ସମୟରେ ତାଙ୍କର ସ୍ୱାମୀ କଟୁରୀ ଓ ପଥର ତାଙ୍କ ଉପରକୁ ପକାଇବା, ହାତ ପାପୁଲିକୁ ଶିଳପୁଆରେ ଛେଚି ରକ୍ତାକ୍ତ କରିବା ଏବଂ ଗତ ଡିସେମ୍ବର ମାସରେ ତକିଆ ପକାଇ ହତ୍ୟା ଉଦ୍ୟମ ସହ କିରୋସିନି ଢାଳି ଜୀବନରୁ ମାରିଦେବାର ଉଦ୍ୟମ କରିଥିବା ବିଷୟ ସେ ଥାନାରେ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ନିର୍ଯ୍ୟାତନା ସହିନପାରି କବିତା ନିଜ ପିତ୍ରାଳୟକୁ ପଳାଇଆସିଥିଲେ । ଗତ ଜାନୁଆରୀ ୨ ରେ ତାଙ୍କ ସ୍ୱାମୀ ତାଙ୍କ ଘରକୁ ଆସି କବିତାଙ୍କ ମୁଣ୍ଡରୁ ସିନ୍ଦୂର ଲିଭାଇଦେବା ସହ ହାତରୁ ଶଙ୍ଖା, ଚୁଡି ଭାଙ୍ଗି ବିଷ ପିଆଇ ହତ୍ୟା କରିବାର ଯୋଜନା କରିଥିବାର ଅଭିଯୋଗ ହୋଇଛି । କବିତା ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିକଟରେ ପ୍ରକାଶ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଆଉ ଶ୍ୱଶୁର ଘରକୁ ଯିବେନାହିଁ ବୋଲି ମନସ୍ଥ କରିଥିବାର ସୂଚନା ଦେଇଛନ୍ତି । ତେବେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କବିତାଙ୍କ ସହ ତାଙ୍କ ବିଧବା ମା’ ସତ୍ୟଭାମା, ଦାଦା ଉମାକାନ୍ତ କଟୁଆଳ, ବରିଷ୍ଠ ନାଗରିକ ରଥ ବେହେରା ଓ ମାଧ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏ ସଂପର୍କରେ ମାମଲା ରୁଜୁ କରାଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଥାନାଧିକାରିଣୀ ସୁକାନ୍ତି କେରେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.