Home Coronavirus Outbreak କଣ୍ଟା ସାଜିଛି ଲକ ଡାଉନ : ୨୦ ହଜାର ପରିବାରକୁ ବେରୋଜଗାର କରିଛି କରୋନା ମାଡ଼

କଣ୍ଟା ସାଜିଛି ଲକ ଡାଉନ : ୨୦ ହଜାର ପରିବାରକୁ ବେରୋଜଗାର କରିଛି କରୋନା ମାଡ଼

525

ବାଲିଗୁଡା, ୨୭-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ ସିଆଲି ଖଲିକୁ ଭାତହାଣ୍ଡି ବୋଲି କୁହାଯାଇଥାଏ। ଜିଲ୍ଲାର ପ୍ରାୟ ୨୦ ହଜାର ପରିବାର ଏହି ଖଲି ତିଆରି କରି ପରିବାର ପୋଷଣ କରିଥା’ନ୍ତି। ତେବେ ଗତ ଏକ ମାସ ହେଲା ଏମାନଙ୍କ ପାଇଁ କଣ୍ଟା ସାଜିଛି ଲକ୍ ଡ଼ାଉନ୍। ସକାଳୁ ଉଠି ମହିଳାମାନେ ଜଙ୍ଗଲକୁ ଯାଇ ସଂଗ୍ରହ କରିଥାନ୍ତି ଏହି ସିଆଲି ଓ ଶାଳ ପତ୍ର। ଉକ୍ତ ପତ୍ରରୁ ତିଆରି କରିଥାନ୍ତି ଖଲି ଓ ଦନା। ଯାହାକୁ ସେମାନେ ବଜାର ଓ ହାଟରେ ବିକ୍ରି କରିବା ସହିତ ବଡ଼ ବଡ଼ ବ୍ୟବସାୟୀ ମାନେ ମଧ୍ୟ ସେମାନଙ୍କ ଠାରୁ କ୍ରୟ କରିଥାନ୍ତି। ଏହି ଖଲି ସିଲେଇରେ ଯେଉଁ କିଛି ରୋଜଗାର କରିଥାନ୍ତି ସେଥିରେ ତାଙ୍କର ପରିବାର ବେଶ୍ ଆରାମରେ ଚାଲିଥାଏ। ଜଙ୍ଗଲ ପାହାଡ଼ ଘେରା ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଜୀବନ ଜୀବିକା ପାଇଁ ଜଙ୍ଗଲଯାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ଜଙ୍ଗଲରୁ ବିଭିନ୍ନ ପ୍ରକାର ଜିନିଷ ସଂଗ୍ରହ କରୁଥିଲେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ସହାୟକ ହୋଇଥାଏ ସିଆଲି ଓ ଶାଳ ପତ୍ର। ପୁରୁଷମାନେ ଅନ୍ୟ କାମ କରୁଥିବା ବେଳେ ମହିଳାମାନେ ଖଲି ଓ ଦନା ତିଆରି କରିଥାନ୍ତି। ବର୍ତ୍ତମାନ ଗାଡ଼ି ମୋଟର ସହିତ ସମସ୍ତ ହୋଟେଲ ମଧ୍ୟ ବନ୍ଦ ଥିବା ଯୋଗୁଁ ଏହି ସବୁ ଜନିଷ ବିକ୍ରି ହୋଇପାରୁନାହିଁ। ତିଆରି ହୋଇଥିବା ଖଲି ଓ ଦନା ଘରେ ଗଦା ହୋଇ ପଡ଼ିରହିଛି। କଟକଣା ଉଠିବା ପରେ ବିକ୍ରି ହେବାକୁ ଆଶା ବାନ୍ଧିଛନ୍ତି ଏହି ସବୁ ପରିବାର। ତଥାପି ଘରେ ବସି ପ୍ରତିଦିନ ପରି ଆଜି ମଧ୍ୟ ସେମାନେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ମୁହଁରେ ମାସ୍କ ବାନ୍ଧି ଏହିସବୁ ଖଲି ଓ ଦନା ତଆରିରେ ବ୍ୟସ୍ତ। ୩ ରୁ ୪ ଦିନ ପରିଶ୍ରମ କରିବା ପରେ ସେମାନେ କିଛି କିଛି ରୋଜଗାର କରିବା ସକ୍ଷମ ହେଉଥିବା ବେଳେ ଗୋଟିଏ ବିଡ଼ାରେ ୨୫ଟି ଖଲିକୁ ପ୍ରାୟ ୨୦ ରୁ ୨୫ ଟଙ୍କାରେ ବିକ୍ରି କରୁଥିବା ବେଳେ ଦନା ବିଡ଼ାକୁ ୧୦ ଟଙ୍କାରେ ବିକ୍ରି କରିଥାନ୍ତି। ବର୍ତ୍ତମାନ ସମୟରେ ପ୍ରେସ୍ ଖଲି ଓ ଦନାର ଚାହିଦା ବୃଦ୍ଧି ପାଇଥିଲେ ମଧ୍ୟ ଏହି ହାତ ତିଆରି ଖଲି ଓ ଦନାର ମଧ୍ୟ ଚାହିଦା କିଛି କମ୍ ନୁହେଁ। ଏହି ଖଲି ଓ ଦନାରୁ ଯେଉଁ ରୋଜଗାର ହୋଇଥାଏ ସେଥିରେ ବର୍ଷର ଅଧାଦିନ ପରିବାର ଚଳିଥାଏ ବୋଲି ପ୍ରକାଶ କରିଛନ୍ତି ହେମଲତା କହଁର, ରେବତୀ ବେହେରା, ତାପସୀ ପ୍ରଧାନ ଓ ଅନ୍ୟମାନେ। ଲକ୍ ଡ଼ାଉନ୍ ଯୋଗୁଁ କେହି ବାହାରକୁ ବାହାରିବା ମନା ହୋଇଥିବା ବେଳେ ଅନ୍ୟପଟେ ପୁଲିସର ଭୟ ସେମାନଙ୍କୁ ବାଧ୍ୟ କରିଛି ଘରେ ରହିବା ପାଇଁ ବୋଲି କହିଛନ୍ତି ବାଲିଗୁଡ଼ା ଓ ବାଟାଗୁଡ଼ା ଗ୍ରାମର କେତେକ ମହିଳାମାନେ। ଏହି କରୋନା ସେମାନଙ୍କୁ ଦୁଃଖ ଦେଇଥିବା ବେଳେ କେବେ ହଟିବ ଲକ୍ ଡାଉନ୍ ଓ କେବେ ସେମାନେ ବିକ୍ରି କରିପାରିବେ ସେ ନେଇ ଚିନ୍ତାରେ ଏହି ସବୁ ପରିବାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.