Home Coronavirus Outbreak କଠୋର କଟକଣା ସହିତ ସଟ୍ ଡାଉନ୍ : ଭୁବନେଶ୍ୱର ଓ କଟକର ଏହି ଅଞ୍ଚଳଗୁଡ଼ିକ ପାଇଁ

କଠୋର କଟକଣା ସହିତ ସଟ୍ ଡାଉନ୍ : ଭୁବନେଶ୍ୱର ଓ କଟକର ଏହି ଅଞ୍ଚଳଗୁଡ଼ିକ ପାଇଁ

599

– ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳ ସମେତ ଭଦ୍ରକ ପୌରାଞ୍ଚଳରେ ଆଜି ରାତିରୁ ଦୁଇଦିନ ପାଇଁ ସଟ୍ ଡାଉନ୍

ଭୁବନେଶ୍ୱର : ୦୩ ଅପ୍ରେଲ, ୨୦୨୦ (ଓଡ଼ିଆ ପୁଅ) ଭାରତ ସମେତ ପୃଥିବୀର ଅନେକ ଦେଶରେ କୋଭିଡ୍-୧୯ ସଂକ୍ରମଣ ବଢୁଥିବା ପରିପ୍ରେକ୍ଷୀରେ ତାହାକୁ ରୋକିବା ନିମନ୍ତେ ସାମାଜିକ ଦୂରତା ଏବଂ ପ୍ରତିରୋଧକ ପଦକ୍ଷେପକୁ ଅଧିକ କଠୋର କରାଯିବାର ଆବଶ୍ୟକତାକୁ ଉପଲବ୍ଧି କରି ଓଡ଼ିଶା ସରକାର ମହାମାରୀ ରୋଗ ଆଇନ, ୧୮୯୭ ଏବଂ ଓଡ଼ିଶା କୋଭିଜ୍-୧୯ ନିୟନ୍ତ୍ରଣ, ୨୦୨୦ ବଳରେ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ସମୁଦାୟ ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି।

ଇତି ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, କଟକ ମହାନଗର ନିଗମ ଅଞ୍ଚଳ ଓ ଭଦ୍ରକ ପୌରାଞ୍ଚଳରେ ୯ଟି କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ପରିପ୍ରେକ୍ଷୀରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ, ସଙ୍ଗରୋଧ, ପରୀକ୍ଷଣ ଓ ପୃଥକବାସକୁ ବ୍ୟାପକ କରିବା ସହିତ ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖ୍ ଭୁବନେଶ୍ୱର ମହାନଗର, କଟକ ମହାନଗର ଓ ଭଦ୍ରକ ସହରରେ ଆଜି ତା. ୦୩/୦୪/୨୦୨୦ ରାତି ୮ଟାରୁ ଆସନ୍ତା ୫/୦୪/୨୦୨୦ ରାତି ୮ଟା ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ ବନ୍ଦ ବା ସଟ୍ ଡାଉନ୍ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଭୁବନେଶ୍ୱର ମହାନଗର ସମେତ ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ତମାଣ୍ଡା, ମଳିପଡ଼ା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବାରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ଜାଆଁଳା, ସିଜୁଆ, ବାଳକାଟି( ପ୍ରତାପ ଶାସନ), ବାଲିଅନ୍ତା ଓ ଜଗନ୍ନାଥପୁର ଓ ଜଟଣୀ ବ୍ଲକ୍‌ର ପ୍ରଧାନ ସାହି ଗ୍ରାମପଞ୍ଚାୟତ/ଗ୍ରାମାଞ୍ଚଳ ସହିତ କଟକ ମହାନଗର ନିଗମ ଅଞ୍ଚଳ ଓ ଭଦ୍ରକ ପୌରାଞ୍ଚଳ ସଂପୂର୍ଣ୍ଣ ବନ୍ଦ ରହିବ।

ଏହି ସବୁ ଅଞ୍ଚଳରେ ସଂପୂର୍ଣ୍ଣ ବନ୍ଦ ସମୟରେ ସମସ୍ତ କାର୍ଯ୍ୟାଳୟ, ଦୋକାନବଜାର ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ ରହିବ। କେବଳ ହସ୍‌ପିଟାଲ୍, ପୋଲିସ୍, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ସେବା ଜାରି ରହିବ। ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବଙ୍କ ଦ୍ଵାରା ନିର୍ଦ୍ଧାରିତ ଟେଲିକମ୍ ସେବା, ପୌରାଞ୍ଚଳ କର୍ତ୍ତୁପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ପେଟ୍ରୋଲ୍ ପମ୍ପ ଖୋଲା ରହିବ। ମାଲ ପରିବହନ ପାଇଁ ରେଳ ଷ୍ଟେସନ୍ ଓ ବିମାନ ବନ୍ଦର ଖୋଲା ରହିବ। ପୋଲିସ୍ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ଗଣମାଧ୍ୟମ କାର୍ଯ୍ୟ କରିବ। କୋଭିଜ୍-୧୯ ପରିଚାଳନାରେ ସଂପୃକ୍ତ କଲ୍‌ ସେଣ୍ଟର ଓ ସୂଚନା ପ୍ରଯୁକ୍ତି କେନ୍ଦ୍ର ଖୋଲା ରହିବ। ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଥିବା ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ଜାରି ରହିବା ସାଙ୍ଗକୁ ସଫେଇ ଶ୍ରମିକମାନେ କାର୍ଯ୍ୟ କରିବେ। ବିଜୁଳି ଯୋଗାଣ ଓ ବିତରଣ ଜାରି ରହିବ। ପୌର କର୍ତ୍ତୃପକ୍ଷ / ଔଷଧ କଣ୍ଡୋଲରଙ୍କ ଦ୍ଵାରା ନିର୍ଦ୍ଧାରିତ ଔଷଧ ଦୋକାନଗୁଡ଼ିକ ଖୋଲା ରହିବ। ମାଲ୍‌ବାହୀ ଯାନବାହନଗୁଡ଼ିକ ଚଳାଚଳ କରିବ।

କୋଭିଡ୍ -୧୯ ଆକ୍ରାନ୍ତ ଲୋକଙ୍କୁ ଚିହ୍ନଟ କରିବା ସହିତ ବିଭିନ୍ନ ପରୀକ୍ଷଣ, ସଙ୍ଗରୋଧ, ପୃଥକବାସ ଓ ପ୍ରତିରୋଧରେ ନିୟୋଜିତ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁମୋଦିତ ବ୍ୟକ୍ତିବିଶେଷଙ୍କ ଯାତାୟତ ଉପରେ କୌଣସି କଟକଣା ରହିବା ନାହିଁ।

ଯାତାୟତ ପାଇଁ ପୂର୍ବରୁ ପ୍ରଦାନ କରାଯାଇଥିବା ସମସ୍ତ ପାସ୍ ସଟ୍ ଡାଉନ୍ ସମୟରେ ବାତିଲ ହୋଇଯିବ। ଆବଶ୍ୟକ ହେଲେ ପୂର୍ଣ୍ଣ ବନ୍ଦ କାଳରେ ସ୍ବତନ୍ତ୍ର ପାସ୍ ଯୋଗାଇ ଦିଆଯିବ। ଏହି ଆଦେଶନାମାର ଉଲ୍ଲଘନକାରୀ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ଦଣ୍ଡିତ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.