Home ଓଡ଼ିଶା କଂଗ୍ରେସ ପ୍ରତିନିଧିଦଳର ଗୋପ ବନ୍ୟାଞ୍ଚଳ ପରିଦର୍ଶନ ବିପନ୍ନ ଓ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ...

କଂଗ୍ରେସ ପ୍ରତିନିଧିଦଳର ଗୋପ ବନ୍ୟାଞ୍ଚଳ ପରିଦର୍ଶନ ବିପନ୍ନ ଓ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି

68

ଭୁବନେଶ୍ୱର, ୨୫/୮ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓ ପିସିସି ବନ୍ୟା ଅନୁଧ୍ୟାନକାରୀ କମିଟିର ଅଧ୍ୟକ୍ଷ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋଙ୍କ ପରାମର୍ଶ କ୍ରମେ ପିସିସି ବନ୍ୟା ଅନୁଧ୍ୟାନକାରୀ କମିଟିର ସଦସ୍ୟ ତଥା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଗତ ୨୩ ତାରିଖ ପୂର୍ବାହ୍ନରେ ପୁରୀ ଜିଲ୍ଲାର ଗୋପ ବ୍ଳକ ଗସ୍ତକରି ବେଦପୁର ପଞ୍ଚାୟତ ଖଣ୍ଡିଆକୁଦଠାରେ କୁଶଭଦ୍ରା ଓ ଧନୁଆ ନଦୀର ବନ୍ୟାରେ ଘଳିଆ ସୃଷ୍ଟି ହୋଇଥିବା ସ୍ଥାନକୁ ପରିଦର୍ଶନ କରିବା ପରେ ଏହା ସମ୍ପୂର୍ଣ୍ଣ ମନୁଷ୍ୟକୃତ ବୋଲି ସେ ସରକାରଙ୍କୁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦୀର୍ଘ ୧୭ ବର୍ଷଧରି ଜଳସେଚନ ବିଭାଗର ଦାୟିତ୍ୱରେ ଥିବା ବେଳେ ଧନୁଆ ବନ୍ୟାର ସ୍ଥାୟୀ ପ୍ରତିକାର କରାଗଲା ନାହିଁ। ଯାହା ଫଳରେ ୪୫ ଫୁଟର ଘାଇ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ହଜାର ହଜାର ଲୋକ ଆଜି ଜଳବନ୍ଦୀ। ୧୦ ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଜମିର ଫସଲ ସମ୍ପୂର୍ଣ୍ଣ ନଷ୍ଟ। ବିପନ୍ନମାନଙ୍କୁ ଗଣ୍ଡିଏ ଚୁଡ଼ା ଗୁଡ଼ ଛଡ଼ା ଆଉ କିଛି ଦିଆଯାଇ ନାହିଁ। ପଲିଥିନ୍ ଓ ମହମବତୀ ଖଣ୍ଡିଏ ପାଇବା ସାତ ସ୍ୱପ୍ନ ହୋଇଛି। ଏଠାରେ ଗୋ-ଖାଦ୍ୟ ସଙ୍କଟ। ସରକାର ଓ ପ୍ରଶାସନ କେବଳ ଲୋକ ଦେଖାଣିଆ କାର୍ଯ୍ୟ କରିବା ଓ ୧୫ ଦିନ ପାଇଁ ରିଲିଫ୍ ସାମଗ୍ରୀ ଘୋଷଣା କରାଯାଇଥିବା ବେଳେ ଏବେ ମାତ୍ର ଦୁଇ ତିନି ଦିନ ଯୋଗା ଯାଇଛି ଏଥିରେ ସରକାରଙ୍କ ପ୍ରଚାର ପ୍ରସାର ସର୍ବସ୍ୱ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଭାଙ୍ଗିଥିବା ବନ୍ଧ ନିକଟରେ ସ୍ଥାନୀୟ ଯନ୍ତ୍ରୀଙ୍କ ସହିତ ନଦୀବନ୍ଧ ଭାଙ୍ଗିଥିବା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ବିସ୍ତୃତ ଆଲୋଚନା କରିଥିଲେ। ସରକାର ଯଥାଶୀଘ୍ର ବିପନ୍ନମାନଙ୍କୁ ଉଦ୍ଧାର କରିବା ସହିତ ଅଚ୍ୟୁତପୁର ଓ ଭଇଁଚୁଆ କାର୍ଯ୍ୟ ବନ୍ଦ କରିବା, ନଦୀବନ୍ଧର ଦୁଇ ପାର୍ଶ୍ୱ ସୁଦୃଢ଼ କରିବା, ୪୦୦ ଫୁଟ ବିଶିଷ୍ଟ ସିଆର କଟ୍‌ର ପୁନରୁଦ୍ଧାର, ଧନୁଆ ବନ୍ୟାର ସ୍ଥାୟୀ ପ୍ରତିକାର, ଫସଲ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏକର ପିଚ୍ଛା ୩୦ ହଜାର ଟଙ୍କା ସହାୟତା ପ୍ରଦାନ, କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼, ସଅଳ କିସମ ବିହନ ଓ ଆବଶ୍ୟକ ସ୍ଥଳେ ବିଭିନ୍ନ ଚାରା, ଧାନତଳି ଯୋଗାଇ ଦେବା, ଭଗ୍ନ ନଦୀବନ୍ଧର ଆଶୁ ସ୍ଥାୟୀ ମରାମତି, ପ୍ରଭାବିତ ଗ୍ରାମଗୁଡ଼ିକରେ ଫ୍ରି କିଚେନ୍ ସେଣ୍ଟର, ଗୋରୁ ଗାଈଙ୍କ ପାଇଁ ମାଗଣାରେ ଗୋ-ଖାଦ୍ୟ ଯୋଗାଣ ପାଇଁ କଂଗ୍ରେସ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଯଦି ଏ ସବୁଗୁଡ଼ିକ ପ୍ରତି ସରକାର ଆଶୁ ଗୁରୁତ୍ୱ ନ ଦିଅନ୍ତି, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ କମିଟି ସଭାପତି ରବିନ୍ଦ୍ର କୁମାର ସେଠୀଙ୍କ ନେତୃତ୍ୱରେ ଆଗାମୀ ଦିନରେ ବିପନ୍ନଙ୍କୁ ନେଇ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। କଂଗ୍ରେସ କମିଟି ପରିଦର୍ଶନ ସମୟରେ ଗୋପ ବ୍ଳକ କଂଗ୍ରେସ କମିଟି ସଭାପତି ଲକ୍ଷ୍ମୀଧର ପ୍ରଧାନ, ଗୋପ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟକ, ନାଗପୁର ସମିତି ସଭ୍ୟ ପଞ୍ଚାନନ ପରିଡ଼ା, ରାଧାଶ୍ୟାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.