Home ଓଡ଼ିଶା ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ବିଜେଡ଼ି ନେତା

ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ବିଜେଡ଼ି ନେତା

1095

ଭୁବନେଶ୍ୱର ୧-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ସାଧାରଣ ନିର୍ବାଚନ ତାରିଖ ଘୋଷଣାକୁ ଆଉ କେତୋଟି ଦିନ ବାକି ରହିଲା। ବିଭିନ୍ନ ରାଜନୈତିକ ଦଳ ତରଫରୁ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାହାର ଟିକେଟ କଟିବ କାହାର ରହିବ ସେହି ଆଶଙ୍କାରେ ବିଭିନ୍ନ ଦଳର ନେତାମାନଙ୍କର ଆସ୍ଥାନ ଜମିଛି ଭୁବନେଶ୍ୱରରେ। ଓଡ଼ିଶା ରାଜନୀତିରେ କଂଗ୍ରେସ ଓ ବିଜେଡ଼ିକୁ ଛାଡ଼ିଦେଲେ ଦୀର୍ଘବର୍ଷ ଶାସନ କ୍ଷମତାରେ ଥିବା ବିଜେଡ଼ିର ଦବଦବା ଅଧିକା ରହିଛି। ପଞ୍ଚମଥର କ୍ଷମତା ଅକ୍ତିଆର କରିବାକୁ ବିଜୁ ଜନତା ଦଳ ଅତି କଠୋର ପଦକ୍ଷେପ ଆପଣାଉଛି। ସେଥିସକାଶେ ଆସନ୍ତା ନିର୍ବାଚନରେ ଅନେକ ବିଜେଡ଼ି ବିଧାୟକ ଓ ସାଂସଦଙ୍କ ଟିକେଟ କଟିବ ଏଥିରେ ସନ୍ଦେହର ଅବକାଶ ନାହିଁ। ଏହି ତାଲିକାରେ ଅନେକ ପ୍ରଭାବଶାଳୀ ସାଂସଦ, ବିଧାୟକ ଓ ମନ୍ତ୍ରୀ ସାମିଲ୍। ଏହି ସମସ୍ତ ବିଜେଡ଼ି ନେତୃବୃନ୍ଦ ଆସନ୍ତା ନିର୍ବାଚନରେ ଦଳୀୟ ଟିକେଟ ପାଉନାହାଁନ୍ତି ବୋଲି ଜାଣିସାରିଲେଣି। ତଥାପି ବିଭିନ୍ନ ମାଧ୍ୟମରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଛନ୍ତି। ନିଜର ସ୍ୱଳ୍ପ କିଞ୍ଚିତ ସମର୍ଥକଙ୍କୁ ଧରି ଅନେକ ନାଟକବାଜି କରିବା ଆରମ୍ଭ କରିଛନ୍ତି ଏହି ନେତାମାନେ। ଉଦାହରଣ ସ୍ୱରୂପ ଉପକୂଳ ଅଞ୍ଚଳର ଜଣେ ସାଂସଦ ଯିଏକି ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କର ମୋହରରେ ଦୀର୍ଘ କୋଡ଼ିଏ ବର୍ଷ ଧରି ସାଂସଦ ହୋଇ ଆସୁଥିଲେ। କିନ୍ତୁ ତାଙ୍କର ଲୋକପ୍ରିୟତାର ମାନ ଏତେ ନିମ୍ନଗାମୀ ହୋଇଛିଯେ, ତାଙ୍କୁ ବିଧାୟକ ଟିକେଟ ଦେଲେ ମଧ୍ୟ ସେ ନିର୍ବାଚନ ହାରିବେ ବୋଲି ତୃତୀୟ ମହଲା ଅନୁଭବ କରିସାରିଛି। ବାରମ୍ବାର ଚେଷ୍ଟା କଲେ ମଧ୍ୟ ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିପାରୁନାହାଁନ୍ତି। ଏହି ସାଂସଦ ଜଣଙ୍କ ଓଡ଼ିଶାରୁ ପ୍ରକାଶ ପାଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜର ସଂପାଦକ। ମାତ୍ର ଏବେବି ସେ ଟିକେଟ ପାଇବେ ବୋଲି ତାଙ୍କର କିଛି ଆନୁଗତ୍ୟଙ୍କ ସାମନାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଘରୋଇ ବାରରେ ମଦ୍ୟପାନ କରି ତାଙ୍କ ସମର୍ଥକଙ୍କୁ ନବୀନ ପଟ୍ଟନାୟକଙ୍କର ଏମିତି ଗୁପ୍ତ ତଥ୍ୟ ମୋ ପାଖରେ ଅଛି ତାକୁ ଯଦି ମୋ ଖବର କାଗଜରେ ପ୍ରକାଶ କରିବି ତେବେ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ଗଠନ କରିପାରିବ ନାହିଁ। ତେଣୁ ଶେଷ ମୂହୂର୍ତ୍ତରେ ମୋତେ ହିଁ ନବୀନ ବାବୁ ଟିକେଟ ଦେବେ। ଏ ହେଉଛି ଏକମାତ୍ର ଉଦାହରଣ। ଏହି ପରିସ୍ଥିତିରେ ବର୍ତ୍ତମାନ ମାଳମାଳ ବିଜେଡ଼ି ବିଧାୟକ ଓ ସାଂସଦ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି। ମାତ୍ରାଧିକ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଶାସନିକ ଅଧିକାରୀଙ୍କର ପ୍ରବେଶକୁ ମଧ୍ୟ ସହିପାରୁନାହାଁନ୍ତି ଏହି ନେତାମାନେ। ପ୍ରଶାସନିକ ଅଗ୍ରାଧିକାରକୁ ତୃତୀୟମହଲା ଏତେ ମାତ୍ରାରେ ପରିବର୍ଦ୍ଧିତ କରିଥିଲାଯେ, ଏହି ସାଂସଦ, ମନ୍ତ୍ରୀ ତଥା ବିଧାୟକମାନେ ଏକପ୍ରକାର ଅଣନିଶ୍ୱାସୀ ହୋଇପଡ଼ିଥିଲେ। ବିଭିନ୍ନ ରାଜନୈତିକ ଉଦ୍ଦେଶ୍ୟକୁ ସାଧନ କରିବା ନିମନ୍ତେ ସଦାସର୍ବଦା ଏହି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ନତମସ୍ତକ ହେବାକୁ ପଡ଼ୁଥିଲା। ବର୍ତ୍ତମାନ ଏହି ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟେକ୍ଷ ରାଜନୀତିକୁ ଆସିବା ଏମାନଙ୍କ ପକ୍ଷେ ଦେହସୁହା ହେଉନାହିଁ। ଆସନ୍ତା ନିର୍ବାଚନରେ ମାତ୍ରାଧିକ ପ୍ରଶାସନିକ ଅଧିକାରୀ ରାଜନୀତିରେ ଯୋଗଦେବା ଏବଂ କ୍ଷମତା ହାସଲ କରିବାଟାକୁ ଏମାନେ ସହିପାରୁନାହାଁନ୍ତି। ଉଦାହରଣ ସ୍ୱରୂପ ଅରୂପ ପଟ୍ଟନାୟକ, ଅମରାନନ୍ଦ ପଟ୍ଟନାୟକ, ନଳିନୀ ପଟ୍ଟନାୟକ, ରବି ନନ୍ଦ ଆଦି ଅନେକ ପ୍ରଶାସନିକ ଅଧିକାରୀ ଚାକିରି ଛାଡ଼ି କିମ୍ବା ଅବସରପରେ ବିଜେଡ଼ିରେ ଯୋଗ ଦେଇଛନ୍ତି। ଆସନ୍ତା ନିର୍ବାଚନରେ ବିଜେଡ଼ି ଟିକେଟରୁ ଏମାନେ ନିର୍ବାଚନ ଲଢ଼ିବା ଥୟ ଏବଂ ଭଲ ପଦପଦବୀରେ ଅବସ୍ଥାପିତ ହେବାଟା ବି ଥୟ। ତେଣୁ ଏହି ବିଦ୍ରୋହୀ ନେତାଙ୍କ ମତରେ ବିଧାୟକ ଓ ସାଂସଦ ଥିଲୁ ଏହି ପ୍ରଶାସନିକ ଅଧିକାରୀଙ୍କ ଗୋଡ଼ ଧରୁଥିଲୁ ଏବେ ଏମାନେ କ୍ଷମତାକୁ ଆସିଲେ ପ୍ରତକ୍ଷ ଭାବରେ ଗୋଡ଼ ଧରିବାକୁ ବାଧ୍ୟହେବୁ, ଏଥି ପାଇଁ ଏହି ନେତାମାନେ ନିଜର ସ୍ଥିତିକୁ ବଜାଇ ରଖିବା ପାଇଁ ଆରମ୍ଭ କରିଛନ୍ତି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଏହାର କିଞ୍ଚିତ ପ୍ରମାଣ ଆମର ହସ୍ତଗତ ହୋଇଛି ଏବଂ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହେଲାପରେ ଆମେ ପରବର୍ତ୍ତି ସଂସ୍କରଣରେ ପ୍ରକାଶ କରିବୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.