Home ଓଡ଼ିଶା ଓଡ଼ିଶା ସରକାର ୟାସ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତେ ନିଜ ଛବି ବନେଇବାରେ...

ଓଡ଼ିଶା ସରକାର ୟାସ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତେ ନିଜ ଛବି ବନେଇବାରେ ବ୍ୟସ୍ତ: ଶ୍ରୀ ପ୍ରଦୀପ ମାଝୀ, କାର୍ଯ୍ୟକାରୀ ସଭାପତି, ଓପିସିସି

78

ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ)- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପିସିସି ‘ୟାସ’ ଟାସ୍କ ଫୋର୍ସ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାର ୟାସ କ୍ଷତିଗ୍ରସ୍ତ ଅଂଚଳ ଗସ୍ତକରି ଏହି ଉପଲକ୍ଷେ ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

ୟାସ ବାତ୍ୟାର ପୂର୍ବାନୁମାନ ପ୍ରାୟ ମେ ମାସ ୨୦ ତାରିଖ ରୁ ଜଣା ପଡ଼ିଥିଲେ ବି ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଓ ପ୍ରାକ୍ ପ୍ରସ୍ତୁତିରେ ବ୍ୟାପକ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଜି ଗୁରୁତର ସମସ୍ୟାର ସମ୍ମୁଖିନ ହୋଇଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମହାଶୟ ଆକାଶମାର୍ଗରୁ ୟାସ କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିଥିଲେ ବି କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ସରକାର ପଂହଚି ନ ପାରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ କହିଛନ୍ତି। ସରକାରୀ କର୍ମଚାରୀମାନେ ଶାସକ ଦଳର କର୍ମୀ ଓ ଜନପ୍ରତିନିଧିଙ୍କ ହାତବାରିସି ସାଜି ରିଲିଫ ସାମଗ୍ରୀ ଦଳୟୀ ପ୍ରିୟାପ୍ରତି ଆଧାରରେ ବଂଟନ କରିବା ଅତ୍ୟନ୍ତ ଦୁଃଖଦାୟକ ଅଟେ। ଦୁଇ ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଲୁଣାପାଣି ପ୍ରବେଶ କରି ଲୋକମାନଙ୍କର ମୀନ, ପାନ ଓ ଧାନକ୍ଷେତକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ରାଜ୍ୟ ସରକାର ମାତ୍ର ୧୫୧ ହେକ୍ଟର ଲୁଣା ପାଣିରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ତଥ୍ୟ କେନ୍ଦ୍ରକୁ ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀଯୁକ୍ତ ମାଝୀ କ୍ଷୋଭ ପକାଶ କରିଛନ୍ତି। ପ୍ରାୟ ୫୦୦ ରୁ ୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଚାଷୀମାନେ କ୍ଷତିଗସ୍ତ ହୋଇଥିବା ବେଳେ ଧାନ, ପନିପରିବା ଓ ପାନଚାଷୀଙ୍କର ପ୍ରାୟ ୧୦୦ କୋଟି ଟଙ୍କା ପ୍ରାୟ କ୍ଷତି ହୋଇଥିବା ରାଜ୍ୟ କଂଗ୍ରେସ ଟାସ୍କଫୋର୍ସ କମିଟି ଆକଳନ କରିଛି। କ୍ଷତିଗ୍ରସ୍ତ ଚିଙ୍ଗୁଡି ଚାଷୀ, ପାନଚାଷୀ, ପନିପରିବା ଚାଷୀ, ଧାନଚାଷୀଙ୍କ ଲାଗି ରାଜ୍ୟ ସରକାର ଅବିଳମ୍ବେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ମହାଶୟଙ୍କୁ ଅନୁରୋଧ କରିଛନ୍ତି। ଜୀବନର ସୁରକ୍ଷା ଲାଗି ଲୋକେ ନିଜେ ନିଜେ ବାତ୍ୟା ଆଶ୍ରୟସ୍ଥଳୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୋଠଘରେ ଆଶ୍ରୟ ନେଇଥିବା ବେଳେ ସରକାର କିପରି ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ମିଥ୍ୟା ଡିଣ୍ଡିମ ପିଟି ଓ ଏ ବାବଦରେ ଅର୍ଥ ହଡ଼ପ କରିବାର ଅପୂର୍ବ ସୁଯୋଗରେ ସରକାରୀ କର୍ମଚାରୀ ଓ ଅଫିସରଙ୍କୁ ଲିପ୍ତ ରହିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମାଝି ଦର୍ଶାଇଛନ୍ତି। ୧୨୮ଟି ଗ୍ରାମ ପାଣି ଘେରରେ ରହିଥିବାର ସରକାର ତଥ୍ୟ ଦର୍ଶାଇଥିବା ବେଳେ ଉକ୍ତ ଅଂଚଳରେ ଲୋକମାନେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ପଲିଥିନ, ରନ୍ଧାଖାଦ୍ୟ ଓ ବିଦ୍ୟୁତ ସେବା ପାଇବାରେ ବହୁ ହଇରାଣ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ୭ଦିନର ରିଲଫ ଘୋଷଣାକୁ ଅନ୍ୟୁନ ୧୫ ଦିନ ଲାଗି ବୃଦ୍ଧି କରିବାକୁ ଶ୍ରୀ ମାଝୀ ଦୃଢ଼ ଦାବୀ କରିଛନ୍ତି।

୬ଲକ୍ଷ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଶ୍ରୟ ନେବା ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଥାୟୀ ବାସଗୃହ ଯୋଗାଇବାରେ କେତେ ସକ୍ଷମ ଏହା ସ୍ପଷ୍ଟ ଅନୁମେୟ କରାଯାଇପାରେ ? କଂଗ୍ରେସ ସରକାର ଅମଳରେ ସୃଷ୍ଟ ହେନ୍ତାଳ ବନକୁ ସୁରକ୍ଷିତ ରଖିବାରେ ଓ ନୂତନ ହେନ୍ତାଳ ବନ ସୃଷ୍ଟି କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।

ଭୋଗରାଇର ଉଦୟପୁର ଠାରୁ ଦହମୁଣ୍ଡା, କିର୍ତନିଆ ଠାରୁ ଭୁଷଣ୍ଡେଶ୍ୱରର ଗଣ୍ଡାମୁହଁ (କୁମ୍ଭୀରଗଡ଼ି), ବାଲିଆପାଳର କଙ୍କଡାପାଳଠାରୁ ଚଉମୁଖ ପର୍ଯ୍ୟନ୍ତ, ବାହାନଗା ବ୍ଲକ ତାଳପଦା ମୁହାଣରୁ ଖରାସାହାପୁର, ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ମାଝୀ ଛକରୁ ବାହାବଳପୁର ମୁହାଣ ପର୍ଯ୍ୟନ୍ତ ଉନ୍ନତ ମାନର ପଥର ବନ୍ଧ ନିର୍ମାଣ କରିବାକୁ କଂଗ୍ରେସ ଦଳ ଦୃଢ଼ ଦାବୀ ଉପସ୍ଥାପନ କରୁଅଛି। ସରକାର ଅବିଳମ୍ବେ ଉକ୍ତ ଅଂଚଳରେ ବୈଷୟିକ କମିଟି ପଠାଇ ଏହାର ଅନୁଧ୍ୟାନ କରି ଯୁଦ୍ଧକାଳୀନ ଭାବେ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ ଦୃଢ଼ ଦାବୀ କରିଛନ୍ତି।

ବିଭିନ୍ନ ଏଜେନ୍ସି ଠାରୁ ସରକାର ପ୍ରଂଶସା ପତ୍ର ନ ସାଉଁଟି ଗ୍ରାଉଣ୍ଡ ଜିରୋରୁ ଲୋକଙ୍କ ସମସ୍ୟାର ସମାଧାନ କରିବା ଲାଗି ଯତ୍ନଶୀଳ ହେବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। କରୋନା ମହାମାରୀ ଓ ୟାସରେ ଲୋକେ ଜର୍ଜରିତ ହେଉଥିବା ଯୋଗୁଁ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ଅବିଳମ୍ବେ ୬ ଲକ୍ଷ ଲୋକଙ୍କର ମାଗଣାରେ ଆରଟିପିସିଆର ଟେଷ୍ଟ କରାଇବା ସହ ମାଗଣା ଟୀକାକରଣ ବ୍ୟବସ୍ଥା କରିବାକୁ ପିସିସି ମୁଖପାତ୍ର ତଥା ରାଜ୍ୟ ଟାସ୍କଫୋର୍ସ ସଦସ୍ୟ ଶ୍ରୀଯୁକ୍ତ ପଦ୍ମାକର ଗୁରୁ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି। ଲୋକଙ୍କ ପଇସାରେ ରାଜସ୍ୱ ଅର୍ଥକୁ ସଠିକ ବିନିଯୋଗ କରି ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଉଭୟ ସରକାର ଯତ୍ନଶୀଳ ହେବାକୁ ରାଜ୍ୟ ଟାସ୍କଫୋର୍ସ ଆବାହକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ କହିଛନ୍ତି। ସ୍ଥାନୀୟ କଂଗ୍ରେସ ବିଧାୟକ ପ୍ରାର୍ଥୀ, ସାଂସଦପ୍ରାର୍ଥୀ, ଜିଲ୍ଲା ଓ ବ୍ଲକ କଂଗ୍ରେସ କମିଟି ସଭାପତି, ଛାମୁଆ ସଂଗଠନ, ବିଭାଗ, ପ୍ରକୋଷ୍ଠ ଓ ଟାସ୍କଫୋର୍ସ କମିଟି ସଦସ୍ୟଙ୍କ ଓ କଂଗ୍ରେସ କର୍ମକର୍ତା ମାନଙ୍କ ୟାସ ପ୍ରଭାବିତ ଲୋକଙ୍କ ପାଖରେ ପଂହଚି ନିରନ୍ତିର ଉଦ୍ୟମ ଓ ଅକ୍ଳାନ୍ତ ପରିଶ୍ରମ ଜାରିରଖିଥିବାରୁ ଶ୍ରୀ ମାଝୀ ପ୍ରଶଂସା କରିଛନ୍ତି। ଏ ସଂକଟ ସମୟରେ ହୀନ ରାଜନୈତିକ ଚିନ୍ତାଧାରାରୁ ନିବୃତ ରହି ଦଳ, ମତ ଓ ନିର୍ବିଶେଷରେ ମାନବିକତା ଆଧାରରେ ଲୋକଙ୍କ ପାଇଁ କାମ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମହାଶୟ ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କର ସହଯୋଗ ଲୋଡ଼ିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ଓ ରାଜ୍ୟ ବିଶେଷଜ୍ଞ ଟିମ୍ ମିଳିତ ରୂପେ କ୍ଷତିଗ୍ରସ୍ତ ଜିଲ୍ଲା ଅବିଳମ୍ବେ ଗସ୍ତକରି କ୍ଷୟକ୍ଷତିର ସଠିକ ଆକଳନ କରି କେନ୍ଦ୍ର ସରକାରଙ୍କ ଠାରୁ କ୍ଷତିଭରଣା ଅର୍ଥ ଆଦାୟ କରିବା ପରିବର୍ତେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ମହାଶୟଙ୍କ ୫୦୦ କୋଟି ଟଙ୍କାର ୟାସ ଆର୍ଥିକ ସହାୟତାରେ କୌଣସି ଟିପ୍ପଣୀ ପ୍ରକଟ ନକରି କେନ୍ଦ୍ରକୁ ଅର୍ଥ ନ ମାଗିବା ରାଜ୍ୟ ସରକାରଙ୍କ ହୀନ ମାନସିକତାର ପରିଚୟ ବୋଲି ଶ୍ରୀ ମାଝୀ ଦର୍ଶାଇଛନ୍ତି। ଓଡ଼ିଶା ସରକାର ଅନ୍ୟୁନ ୨ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ କେନ୍ଦ୍ର ସରକାରଙ୍କୁ ଦାବି କରି ହାସଲ କରିବା ନିହାତି ଆବଶ୍ୟକ ବୋଲି ଶ୍ରୀ ମାଝୀ ଦର୍ଶାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବାବେଳେ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.