Home ଓଡ଼ିଶା ଓଡ଼ିଆ ସମାଜ, ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ୱେବିନାର ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ...

ଓଡ଼ିଆ ସମାଜ, ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ୱେବିନାର ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେଶର ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା

228

ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) କେନ୍ଦ୍ର ପଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର କୋଣ ଅନୁକୋଣରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନଙ୍କ ସହ ନିକଟରେ ୱେବିନାର (ଭିଡ଼ିଓ କନ୍‌ଫରେନ୍ସିଂ) ମାଧ୍ୟମରେ ଆଲୋଚନା କରିଥିଲେ, ଯାହାକି ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ସମାଜ ଦ୍ୱାରା ଆୟୋଜନ କରାଯାଇଥିଲା।

କୋଭିଡ-୧୯ କାରଣରୁ ସୃଷ୍ଟି ହୋଇଥିବା ଜାତୀୟ ତାଲାବନ୍ଦୀ ଯୋଗୁଁ ଜୀବିକା ହରାଇଥିବା ସାଥୀ ଓଡ଼ିଆ ଭାଇମାନଙ୍କୁ ସାହାଯ୍ୟର ହାତ ବଢାଇଥିବାରୁ ଏହା ଥିଲା ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିବାର ବିଶେଷ ସୁଯୋଗ। ଏହି ପ୍ରୟାସର ଏକ ଅଂଶ ଭାବରେ ଅନ୍ୟ ସହର ବ୍ୟତୀତ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ପୁଣେ ଓ ସୁରଟର ବିଭିନ୍ନ ଓଡ଼ିଆ ସଂଗଂନର ପ୍ରତିନିଧିମାନେ ୱେବିନାରରେ ଯୋଗ ଦେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଏହି ୱେବିନାରର ଉଦ୍ଦେଶ୍ୟ ଏବଂ ଓଡ଼ିଆ ସମାଜର ପ୍ରମୁଖ ଗୋଷ୍ଠୀ ତଥା ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ନିକଟରେ ପହଂଚିବା ପାଇଁ ନିଆଯାଇଥିବା ବିଭିନ୍ନ ପ୍ରୟାସ ବିଷୟରେ ଆଲୋଚନା କରି ଏହି ୱେବିନାର ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ଓଡ଼ିଆ ସମାଜ, ନୂଆଦିଲ୍ଲୀ ୯୦୦୦ ପ୍ରବାସୀ ଓଡ଼ିଆଙ୍କୁ ସହଯୋଗର ହାତ ବଢାଇ ମାଗଣା ଆଇନ ସହାୟତା ବ୍ୟତୀତ ଶୁଖିଲା ରାସନ ପ୍ୟାକେଟ ଯୋଗାଇ ଦେଇଛି।

ଅଭାବୀ ପ୍ରବାସୀ ଓଡ଼ିଆମାନଙ୍କୁ ସାହାଯ୍ୟ କରିବାରେ ଓଡ଼ିଆ ସମାଜର ଭୂମିକା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ଓଡ଼ିଆ ସମାଜ ଟ୍ରଷ୍ଟି ଶ୍ରୀ ହିରଣ୍ୟ ମହାନ୍ତି। ଶ୍ରୀ ମହାନ୍ତି କହିଥିଲେ ଯେ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ୟୁପି ବିଭିନ୍ନ ସ୍ଥାନରେ ଓଡ଼ିଆଙ୍କୁ ସହାୟତାର ହାତ ବଢାଯାଇଥିଲା। ପ୍ରାୟ ୧୮-୨୦ ଟି ଜଗନ୍ନାଥ ମନ୍ଦିର ମଧ୍ୟ ଏକତ୍ରିତ ହୋଇ ଏହି ଅଭିନବ କାର୍ଯ୍ୟରେ ଓଡ଼ିଆ ସମାଜ ସହିତ ହାତ ମିଶାଇଥିଲେ। ଏଥି ମଧ୍ୟରୁ ହାଜ୍‌ଖାସ୍‌, ଫରିଦାବାଦ, କୋଟଲା, ରୋହିନୀ, ସଙ୍ଗମ ବିହାର, ଭିୱାଡ଼ି, ବାହାଦୂରଗଡ଼ ଏବଂ ସେକ୍ଟର ୧୨୧ର ଜଗନ୍ନାଥ ମନ୍ଦିର ପ୍ରମୁଖ ଅଟେ। ଏହାବ୍ୟତୀତ ୩୦-୪୦ ରୁ ଅଧିକ ଓଡ଼ିଆ ସଂଗଠନ ଓଡ଼ିଆ ସମାଜକୁ ସେମାନଙ୍କର ସହଯୋଗର ହାତ ବଢାଇଥିଲେ ଏବଂ ଅଭାବୀ, ଦୁଃସ୍ଥ ପ୍ରବାସୀ ଓଡ଼ିଆ ପରିବାରଙ୍କ ନିକଟରେ ପହଂଚିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିଥିଲେ। ସେମାନଙ୍କ ମଧ୍ୟରୁ ଗଣେଶ ପୂଜା କମିଟି, ଦୁର୍ଗା ପୂଜା କମିଟି, ସରସ୍ୱତୀ ପୂଜା କମିଟି, ପ୍ରବାସୀ ଓଡ଼ିଆ ପରିବାର ଇତ୍ୟାଦି ଅନ୍ୟତମ।

କେନ୍ଦ୍ର ପଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ୱେବିନାରରେ ଯୋଗ ଦେଇ ଦିଲ୍ଲୀ ଏନ୍‌ସିଆର୍‌ରେ ରହୁଥିବା ବହୁସଂଖ୍ୟାକ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ ନୂଆଦିଲ୍ଲୀର ଓଡ଼ିଆ ସମାଜ ଉଦ୍ୟମକୁ ପ୍ରଂଶସା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଉଦବୋଧନରେ ବିଭିନ୍ନ ସହରରେ ଥିବା ଓଡ଼ିଆ ସଂଗଠନର ସଦସ୍ୟମାନଙ୍କୁ ସରକାରଙ୍କ ଦ୍ୱାରା ସ୍ଥାପିତ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମାବଳୀଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ। ସର୍ବଦା ମାସ୍କ ବ୍ୟବହାର କରିବା, ନିୟମିତ ବ୍ୟବଧାନରେ ସାଇଟାଇଜର ବ୍ୟବହାର ଏବଂ ହାତ ଧୋଇବା ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଭିଡ଼ିଓ କନଫରେନ୍ସିଂ ପରିଶେଷରେ ଓଡ଼ିଆ ସମାଜର ଟ୍ରଷ୍ଟି ଶ୍ରୀ ସନ୍ଦୀପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ୱେବିନାର ପରିଶେଷରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏକ ସାମୂହିକ ପ୍ରାର୍ଥନାରେ ଯୋଗ ଦେଇଥିଲେ ଏବଂ “ଆହେ ନୀଳ ଶଇଳ” ପ୍ରାର୍ଥନା ଗାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.