Home Top News ଓଡିଶା ସ୍ଵଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏ ଏସ୍’ ସିରିଜର ଉଠାଣ

ଓଡିଶା ସ୍ଵଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏ ଏସ୍’ ସିରିଜର ଉଠାଣ

43

ଭୁବନେଶ୍ୱର, ୦୭/୦୭ (ଓଡ଼ିଆ ପୁଅ) ଓଡ଼ିଶା ସ୍ୱଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ଅର୍ଥ ବିଭାଗର ଆନୁକୁଲ୍ୟରେ ଓଡିଶା ସ୍ଵଳ୍ପ ସଞ୍ଜୟ ପ୍ରୋସାହନ ଯୋଜନା ଏ ଏସ’ ସିରିଜ ଉଠାଣ ଜୟଦେବ ଭବନ ଭୁବନେଶ୍ୱରଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ଅର୍ଥ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ପାଇଁ ସଞ୍ଚୟର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଯେପରି ବ୍ୟାଙ୍କିଙ୍ଗ ସେବା ପହଞ୍ଚି ପାରିବ ସେଥିପାଇଁ ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାକ୍ଷରତା ଅଭିଯାନର ସଫଳତା ପାଇଁ ସ୍ୱଳ୍ପ ସଞ୍ଜୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଏବଂ ସ୍ଵଳ୍ପ ସଞ୍ଜୟ ପ୍ରତିନିଧିମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସ୍ଵଳ୍ପ ସଞ୍ଚୟ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ସଞ୍ଚୟର ବାର୍ତ୍ତା ଯେଭଳି ସାମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଜନସାଧାରଣ ଏହି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଶେଷ ଭାବେ ଲାଭବାନ ହୋଇପାରିବେ ସେଥିପାଇଁ ଗୁରୁତ୍ବାରୋପ କରିଥିଲେ। ଶ୍ରୀ ପ୍ରତାପ ଚନ୍ଦ୍ର ବେହେରା, ଡକ୍ଟର, ମନସ୍ମିନୀ ଦାଶ ଓ ଭଗବାନ ପ୍ରସାଦ ସାହୁଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉଠାଣରେ ୨୪୨୮ ଜଣ ଭାଗ୍ୟଶାଳୀ ବିଜେତାକୁ, ୭ଟି ବର୍ଗରେ, ସର୍ବାଧିକ ୫ ଲକ୍ଷ ଏବଂ ସର୍ବନିମ୍ନ ୨୦୦୦ ଟଙ୍କା ହିସାବରେ ସମୁଦାୟ ୭୪ ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି। କାର୍ଯ୍ୟକ୍ରମ ପରିଶେଷରେ ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅର୍ଥବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସମ୍ପୂର୍ଣ୍ଣ କୋଭିକ୍‌ କଟକଣା ଓ ତତ୍ ସଂକ୍ରାନ୍ତୀୟ ମାର୍ଗଦର୍ଶିକାନୁଯାୟୀ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ସର୍ବସାଧାରଣ ଦେଖିବା ପାଇଁ ଏହି ଉଠାଣ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା ୟୁ ଟ୍ୟୁବ୍ ଏବଂ ଅର୍ଥ ବିଭାଗର ଫେସବୁକ୍ ମାଧ୍ୟମରେ କରାଯାଇଥିଲା। ଏଥି ନିମନ୍ତେ ଆବଶ୍ୟକୀୟ ବୈଷୟିକ ସହାୟତା ଓକାକ (OCA) ତରଫରୁ ଯୋଗାଇ ଦିଆଯାଇଥିଲା। ଏହି ଉଠାଣର ଫଳାଫଳ, ବିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ଅର୍ଥ ବିଭାଗ ତରଫରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.