Home ଜିଲ୍ଲା ପରିକ୍ରମା ଓଡିଶା ରାଜ୍ୟ ରଣଜୀ ଟିମ୍‌ରେ ହର୍ଷିତ୍ ରାଠୋଡ୍‌, ଭଦ୍ରକ ଜିଲ୍ଲାରୁ ପ୍ରଥମ କ୍ରିକେଟର

ଓଡିଶା ରାଜ୍ୟ ରଣଜୀ ଟିମ୍‌ରେ ହର୍ଷିତ୍ ରାଠୋଡ୍‌, ଭଦ୍ରକ ଜିଲ୍ଲାରୁ ପ୍ରଥମ କ୍ରିକେଟର

10

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ରାଜ୍ୟ ରଣଜୀ ଟିମ୍‌ରେ ହର୍ଷିତ୍ ରାଠୋଡ୍ ସାମିଲ ହୋଇଛନ୍ତି । ଏହି କୃତିତ୍ୱ ହାସଲ କରିବାରେ ସେ ହେଉଛନ୍ତି ଭଦ୍ରକ ଜିଲ୍ଲାର ପ୍ରଥମ କ୍ରିକେଟର । ଏଥିପାଇଁ ତାଙ୍କ ମନୋନୟନ ଭଦ୍ରକର କ୍ରିକେଟ୍ ମହଲରେ ଖୁସିର ମାହୋଲ୍ ସୃଷ୍ଟି କରିଛି । ୨୫ ବର୍ଷୀୟ ହର୍ଷିତ୍ ଚରମ୍ପା ର ଏକ କ୍ଷୁଦ୍ର ବ୍ୟବସାୟୀ ପରିବାରରେ ଏକମାତ୍ର ସନ୍ତାନ ରୂପେ ଜନ୍ମଗ୍ରହଣ କରିଥିଲେ । ପିତା ପ୍ରଫୁଲ୍ଲ ରାଠୋଡ୍ ଏବେ ଦିବଂଗତ । ମାତା ହେଉଛନ୍ତି ତନୁଜା ଦେବୀ । ଆର୍ଥିକ ଅନାଟନ ସତ୍ତ୍ୱେ ସେ ଚରମ୍ପା ସ୍ଥିତ ସମ୍ମାନଜନକ ହ୍ୟାପ୍ପି ହୋମ୍ ସ୍କୁଲ୍ ରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ । ଏହି ବିଦ୍ୟାଳୟର ଅଧ୍ୟାପକ ରବି ନାରାୟଣ ଓଝା କ୍ରୀଡା ପ୍ରତି ହର୍ଷିତ୍‌ଙ୍କର ଆସକ୍ତି ଦେଖି ତାଙ୍କୁ କ୍ରିକେଟ୍‌ର ବର୍ଣ୍ଣମାଳା ଶିଖାଇଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ଯଶସ୍ୱୀ କ୍ରିକେଟ୍ ପ୍ରଶିକ୍ଷକ କେ.ଭି.ପ୍ରସାଦଙ୍କ ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ବିଜୟ ଭାନୁ ମେମୋରିଆଲ୍ କ୍ରିକେଟ୍ ଏକାଡେମୀ’ରେ ଯୋଗ ଦେଇଥିଲେ । ଏଇଠି ତାଙ୍କ ପ୍ରତିଭା ପୂର୍ଣ୍ଣ ବିକଶିତ ହୋଇଥିଲା ଓ ଜଣେ ବାମହାତୀ ଅର୍ଥୋଡକସ୍ ସ୍ପିନର୍ ତଥା ବ୍ୟାଟସମ୍ୟାନ୍ ହିସାବରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୨୦୧୩ ମସିହାରେ ହର୍ଷିତ୍ ୧୬ ବର୍ଷୀୟ ଓଡିଶା ଟିମ୍ ରେ ସ୍ଥାନ ପାଇଁ ‘ବିଜୟ ମର୍ଚ୍ଚାଣ୍ଟ୍ ଟ୍ରଫି କ୍ରିକେଟ୍‌’ ଖେଳିଥିଲେ । ପ୍ରଥମ ମ୍ୟାଚ୍ ରେ ସେ କେରଳ ବିପକ୍ଷରେ ଚତୁର ବୋଲିଂ କରି ପ୍ରାରମ୍ଭିକ ୫ ଜଣ ବ୍ୟାଟସମ୍ୟାନ୍ ଙ୍କୁ ଶୂନ୍ୟ ରନ୍ ରେ ଆଉଟ୍ କରି ଜାତୀୟ ସ୍ତରରେ ଆଲୋଢନ ସୃଷ୍ଟି କରିଥିଲେ । ତାପରେ ଆଉ ପଛକୁ ଚାହିଁ ନାହାନ୍ତି ହର୍ଷିତ୍ । ୨୦୧୬ ମସିହାରେ ସେ ୧୯ ବର୍ଷୀୟ ‘ଧ୍ରୁବ ପାଣ୍ଡବ ଟ୍ରଫି’ ପାଇଁ, ୨୦୧୯ ମସିହାରେ ୨୩ ବର୍ଷୀୟ ‘ସି.କେ.ନାୟଡୁ ଟ୍ରଫି’ କ୍ରିକେଟ୍ ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ । ସେହିପରି ୨୦୨୧ ଓ ୨୦୨୨ ମସିହାରେ ସେ ୨୫ ବର୍ଷୀୟ ‘ସି.କେ.ନାୟଡୁ ଟ୍ରଫି’ କ୍ରିକେଟ୍ ରେ ଓଡ଼ିଶା ତରଫରୁ ଖେଳିଥିଲେ । ସିନିୟର କ୍ରିକେଟ୍ ରେ ମଧ୍ୟ ହର୍ଷିତ୍ ଙ୍କ ଦବଦବା ଥିଲା । ୨୦୨୦ ରେ ସେ ଏକଦିବସୀୟ ଫର୍ମାଟ୍ ରେ ଅନୁଷ୍ଠିତ ‘ବିଜୟ ହଜାରେ ଟ୍ରଫି’ ଓ ଟି-୨୦ ଫର୍ମାଟ୍ ରେ ଅନୁଷ୍ଠିତ ‘ସୟିଦ୍ ମୁସ୍ତାକ୍ ଅଲ୍ଲୀ ଟ୍ରଫି’ କ୍ରିକେଟ୍ ପାଇଁ ଟିମ୍ ଓଡ଼ିଶାରେ ସ୍ଥାନ ପାଇଥିଲେ । ଚଳିତ ୨୦୨୩-୨୪ ସିଜନ୍ ରେ ସେ ‘ସୟିଦ୍ ମୁସ୍ତାକ୍ ଅଲ୍ଲୀ’ ଓ ‘ବିଜୟ ହଜାରେ ଟ୍ରଫି’ ସହ ଏବେ ଓଡିଶା ରଣଜୀ ଟିମ୍ ରେ ସ୍ଥାନ ପାଇ ନିଜ ପାଇଁ ତଥା ଭଦ୍ରକ ଜିଲ୍ଲା ପାଇଁ ଏକ ଗୌରବର ଅଧ୍ୟାୟ ରଚନା କରିଛନ୍ତି । ପ୍ରବଳ ପ୍ରତିଦ୍ୱନ୍ଦିତା ମୂଳକ କ୍ରିକେଟ୍ ରେ ତାଙ୍କର ତେଜୋଦିପ୍ତ ପ୍ରଦର୍ଶନ ପ୍ରଚ୍ଛଦପଟେ ମାଆ ତନୁଜା ଦେବୀ ଙ୍କ ଆଶୀର୍ବାଦ, ଗୁରୁ କେ.ଭି. ପ୍ରସାଦ ଙ୍କ ପ୍ରଶିକ୍ଷଣ ଓ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଧୀରେନ ପଲାଇଙ୍କ ପ୍ରେରଣା ବିଦ୍ୟମାନ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.