Home ଓଡ଼ିଶା ଓଡ଼ିଶା ବିଜେପିରେ ଶୀତଳ ଯୁଦ୍ଧ !

ଓଡ଼ିଶା ବିଜେପିରେ ଶୀତଳ ଯୁଦ୍ଧ !

803

ଭୁବନେଶ୍ୱର: ବିଜେପିରେ ଏବେ ଚାଲିଛି ସାଙ୍ଗଠନିକ ନିର୍ବାଚନ।ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ହେବ ରାଜ୍ୟ ସଭାପତି ନିର୍ବାଚନ ଏବଂ ଏହାପରେ ରାଷ୍ଟ୍ରୀୟ ସଭାପତି ନିର୍ବାଚନ।ନିର୍ବାଚନ ନୁହେଁ ସହମତିରେ ହେବ ରାଜ୍ୟ ସଭାପତି ଚୟନ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଉଛି।ତେବେ, ପୂର୍ବ ଥର ପରି ଏଥର ମଧ୍ୟ କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନୋନୀତ ନେତା ହେବେ ସଭାପତି ନାଁ ଏଥିରେ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ଜୁଏଲ ଓରାମ, ସୁରେଶ ପୂଜାରୀ ଭଳି ନେତାଙ୍କ ହସ୍ତକ୍ଷେପ ରହିବ ନାଁ ସଂପୂର୍ଣ୍ଣ ସଙ୍ଗଠନ ଆଧାରରେ ହେବ ରାଜ୍ୟ ସଭାପତି ଚୟନ, ଏହାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି।ଚୟନ ପରେ ଯାଇ ତାହା ସ୍ପଷ୍ଟ ହେବ।

ତେବେ, ଗତ ଥରର ସ୍ଥିତି ଆଜି ନାହିଁ।ଗତ ଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଚ୍ଛାରେ ସବୁ କିଛି ହୋଇଥିଲା।ଧର୍ମେନ୍ଦ୍ରଙ୍କ ବିନା ଇଙ୍ଗିତରେ ଓଡ଼ିଶା ବିଜେପିରେ ପତ୍ରଟିଏ ବି ହଲୁ ନଥିଲା।ମୋଦୀ କିମ୍ବା ବିଜେପି ବିରୋଧରେ କହି କେହି ହୁଏତ ଓଡ଼ିଶା ବିଜେପିରେ ତିଷ୍ଠି ପାରେ, କିନ୍ତୁ ଧର୍ମେନ୍ଦ୍ରଙ୍କ ବିରୋଧରେ ଯାଇ ବିଜେପିରେ ତିଷ୍ଠିବା ଅସମ୍ଭବ ଥିଲା।ପ୍ରଥମରୁ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ବିରୋଧ କରି ଆସୁଥିବା ସେବେକାର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଶେଷରେ ଧର୍ମେନ୍ଦ୍ରଙ୍କ ବଶତା ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ।କିନ୍ତୁ, ସେଥିରେ ଏବେ କିଛି ବ୍ୟତିକ୍ରମ ଦେଖାଦେଇଛି ଏବଂ ଧର୍ମେନ୍ଦ୍ରଙ୍କ ବାଟରେ ଏବେ ମୁଖ୍ୟ କଣ୍ଟା ହୋଇ ଉଭା ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।ଏହା ସହ ବୈଜୟନ୍ତ ପଣ୍ଡାଙ୍କ ପରି ପ୍ରଭାବୀ ନେତା ଏବେ ବିଜେପିରେ।ତେବେ ମୁଖ୍ୟତଃ ଏବେ କୁହାଯାଉଛି, ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ଦୁଇଟି ବିଜେପି ସାଙ୍ଗଠନିକ ଜିଲ୍ଲା ଭାବରେ ବିଭକ୍ତ କରାଯାଇଛି।ଭୁବନେଶ୍ୱର ଏବଂ ଖୋର୍ଦ୍ଧା।ତେବେ, ଏଠାରେ ଜିଲ୍ଲା ସଭାପତି ଚୟନକୁ ନେଇ ଏବେ ବିବାଦ ଦେଖାଯାଇଛି।ଭୁବନେଶ୍ୱର ଜିଲ୍ଲା ସଭାପତି ଭାବରେ ରିପିଟ୍ ହେବାକୁ ଚାହୁଁଛନ୍ତି ହରେକୃଷ୍ଣ ଖୁଣ୍ଟିଆ।ହରେକୃଷ୍ଣ ଖୁଣ୍ଟିଆ ଧର୍ମେନ୍ଦ୍ରଙ୍କ ଖାସ୍ ଲୋକ।କିନ୍ତୁ, ସୂଚନା ମୁତାବକ ସାଂସଦ ଅପରାଜିତା ଚାହୁଁଛନ୍ତି ଆଉ କାହାକୁ।ହରେକୃଷ୍ଣ ଖୁଣ୍ଟିଆଙ୍କୁ କୌଣସି ପରିସ୍ଥିରେ ପୁନର୍ବାର ସଭାପତି କରାଇନଦେବା ଯୋଜନାରେ ଅଛନ୍ତି ଅପରାଜିତା।ତେଣୁ ଏପରି ପରିସ୍ଥିତିରେ ଭୁବନେଶ୍ୱର ଜିଲ୍ଲା ସଭାପତି ଚୟନ ସ୍ଥଗିତ ରହିଯିବାର ସମ୍ଭାବନା ରହିଛି।ସେହିପରି ଖୋର୍ଦ୍ଧା ଜିଲ୍ଲା ପାଇଁ ମଧ୍ୟ ରହିଛି ବିବାଦ।ଅପରାଜିତା ଜଣଙ୍କୁ ସଭାପତି କରିବା ପାଇଁ ଇଛୁକ ଥିଲା ବେଳେ ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠୀ ଅନ୍ୟ ଜଣଙ୍କ ସପକ୍ଷରେ ଅଛନ୍ତି ବୋଲି କୁହାଯାଉଛି।ଅବଶ୍ୟ ରାଜ୍ୟରେ ଅନେକ ସ୍ଥାନରେ ଏପରି ବିବାଦ ରହିଛି।ସେଥିପାଇଁ ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ୧୬ଟି ଜିଲ୍ଲା ସଭାପତି ଚୟନ ପାଇଁ ବୈଠକ ହୋଇଥିଲେ ମଧ୍ୟ ପୁରୀ ଏବଂ ଯାଜପୁର ଜିଲ୍ଲା ସଭାପତି ବ୍ୟତୀତ ଅନ୍ୟ କୌଣସି ଜିଲ୍ଲା ପାଇଁ ଚୂଡ଼ାନ୍ତ ସହମତି ହୋଇ ପାରିନାହିଁ।ସୋମବାର ମଧ୍ୟ ଚାଲିଛି ବାକି ଜିଲ୍ଲା ଗୁଡ଼ିକ ପାଇଁ ଚୟନ ପ୍ରକ୍ରିୟା।କିନ୍ତୁ, ଏ’ସବୁ ଭିତରେ ମୁଖ୍ୟ ଆଲୋଚନାର ବିଷୟ ରହୁଛି କ୍ୟାପିଟାଲ ଅର୍ଥାତ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା।କୁହାଯାଉଛି ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ସିଧା ରୂପାୟନ ହେଲା ହରେକୃଷ୍ଣ ଖୁଣ୍ଟିଆ ଏବଂ ଦେବାଶିଷ ନାୟକ ଲଢ଼େଇ।ଅପରାଜିତା ଷଡ଼ଙ୍ଗୀ ବିଜେପି ସଙ୍ଗଠନ ଏବଂ ଦଳୀୟ ନେତାଙ୍କୁ ଅଣଦେଖା କରି ଅପରାଧିକ ତତ୍ତ୍ୱଙ୍କୁ ସାମିଲ କରି ନିଜସ୍ୱ ସଙ୍ଗଠନ କରୁଛନ୍ତି ବୋଲି ହରେକୃଷ୍ଣ ଖୁଣ୍ଟିଆଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିଲା।ଏବେ କିଛି ଦିନ ତଳେ ଅପରାଜିତାଙ୍କ ଖାସ ଅନୁଗତ କୁହାଯାଉଥିବା ଦେବାଶିଷ ନାୟକ ହରେକୃଷ୍ଣ ଖୁଣ୍ଟିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା।ଏଣେ ଧର୍ମେନ୍ଦ୍ରଙ୍କ ପାଇଁ କ୍ୟାପିଟାଲ ସମ୍ଭାଳୁଥିବା ହରେକୃଷ୍ଣ ଖୁଣ୍ଟିଆଙ୍କ ପୂର୍ବ ପତିଆରା ହ୍ରାସ ପାଇ ଚାଲିଥିବା ବେଳେ ତେଣେ ଦେବାଶିଷ ନାୟକ ହୋଇଛନ୍ତି ମ୍ୟାଡମଙ୍କ ପାଇଁ ଖାସ।ଦେବାଶିଷଙ୍କୁ ଅପରାଜିତା ଅଧିକ ଗୁରୁତ୍ୱ ଦେଉଛନ୍ତି।ଜନ୍ମ ଦିନ କେକ୍ କାଟୁଛନ୍ତି, ମିଠା ଖୁଆଖୁଇ ହେଉଛନ୍ତି, ଏକାଠି ଖାଉଛନ୍ତି।ଭୁବନେଶ୍ୱରରେ ଆୟୋଜିତ ପ୍ରାୟ ସବୁ କାର୍ଯ୍ୟକ୍ରମରେ ଅପରାଜିତାଙ୍କ ସାଙ୍ଗରେ ରହୁଛନ୍ତି ଦେବାଶିଷ।ଏପରିକି ଭୁବନେଶ୍ୱର ବାହାରେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ କାର୍ଯ୍ୟକ୍ରମକୁ ଅପରାଜିତା ଯିବା ପୂର୍ବରୁ ପହଞ୍ଚି ଯାଉଛନ୍ତି ଦେବାଶିଷ।ଆଗୁଆ ଯାଇ ମ୍ୟାଡମଙ୍କ ପାଇଁ ଆବଶ୍ୟକୀୟ ବାତାବରଣ ତିଆରି କରୁଛନ୍ତି ଦେବାଶିଷ।ମ୍ୟାଡ଼ମ ମଧ୍ୟ ତାଙ୍କର ଏହି ଖାସ ଅନୁଗତଙ୍କ ପାଇଁ ଆଣିଛନ୍ତି ଉଗାଣ୍ଡାରୁ ଟି ସାର୍ଟ।ଏପରି ସ୍ଥିତି ଓଡ଼ିଶା ବିଜେପିରେ କେବେ ଦେଖିବାକୁ ମିଳିନଥିଲା।ହରେକୃଷ୍ଣ ଖୁଣ୍ଟିଆଙ୍କ ପରି କିଛି ନେତା ଧର୍ମେନ୍ଦ୍ରଙ୍କ ମୁଖ୍ୟ ସିପାହୀ ଥିଲେ।ତେଣୁ ଦଳରେ ଏମାନଙ୍କର ଭାଉ କାହିଁରେ କଣ।ବଡ଼ବଡ଼ ନେତା/ନେତ୍ରୀ ବି ଏମାନଙ୍କୁ ଖାତିର କରନ୍ତି।କାରଣ କେବଳ ଏମାନେ ଧର୍ମେନ୍ଦ୍ରଙ୍କ ଲୋକ।ଆଜି କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜଣେ ପ୍ରମୁଖ ସିପାହୀ ନିଜ ଦଳର ସାଂସଦଙ୍କ ପାଖରେ ଅବହେଳିତ।ପତିଆରା କମି କମି ଯାଉଛି ତାଙ୍କର।ଏଣେ ସୋସିଆଲ ମିଡିଆରେ ଦଳେ ଧର୍ମେନ୍ଦ୍ର ସମର୍ଥକ ଏବଂ ଦଳେ ଅପରାଜିତା ସମର୍ଥକ ବାହାରିଛନ୍ତି।ସେମାନଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଚାଲିଛି ଶୀତଳ ଯୁଦ୍ଧ।ଯିଏ ଯାହା ନେତା ବା ନେତ୍ରୀଙ୍କୁ ଓଡ଼ିଶା ବିଜେପିର ଚେହେରା ଭାବରେ ପ୍ରଚାର କରାଉଛନ୍ତି।ତଳ ସ୍ତରର ଅନେକ ନେତା, ନେତ୍ରୀ କିମ୍ବା କାର୍ଯ୍ୟକର୍ତ୍ତା ଧର୍ମେନ୍ଦ୍ର କିମ୍ବା ଅପରାଜିତାଙ୍କ ବାବଦରେ ଭାବିଚିନ୍ତି ପୋଷ୍ଟ କରୁଛନ୍ତି।ଆଉ କେତେଜଣ ଦୁଇ ନାଆରେ ବି ଗୋଡ଼ ଦେଇଛନ୍ତି।କୌଣସି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର – ଅପରାଜିତା ଏକାଠି ହେଲେ ଉଭୟ ଚାଲାକତାର ସହ ଯେମିତି ସେପରି କିଛି ନାହିଁ, ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି।କିନ୍ତୁ, ଉଭୟଙ୍କ ମଧ୍ୟରେ ଯେ ଏକ ଶୀତଳ ଯୁଦ୍ଧ ଚାଲିଛି, ସେପରି ଅନୁଭବ ହେଉଛି।/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.