ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସଦର ମହୁକୁମାର ଏକ ପ୍ରମୁଖ ଜାତୀୟକରଣ ବ୍ୟାଙ୍କର ମୁଖ୍ୟ ଦ୍ୱାରକୁ ଯଦି ୭ଦିନ ମଧ୍ୟରେ ବ୍ୟବହାର ଉପଯୋଗୀ କରାନଯାଏ ତେବେ ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ୧୩ ନମ୍ବର ୱାର୍ଡ଼ ଅପର୍ତ୍ତିବିନ୍ଧା ବାସୀ ଉକ୍ତ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବାକୁ ଚେତାବାନୀ ଦେଇଛନ୍ତି । ଏହି ମର୍ମରେ ସମାଜସେବୀ ଅପୂର୍ବ ରଂଜନ ବେହେରାଙ୍କ ନେତୃତ୍ୱରେ ଶତାଧିକ ଅପର୍ତ୍ତିବିନ୍ଧାବାସୀଙ୍କ ସ୍ୱାକ୍ଷର ସମ୍ବଳିତ ଏକ ସ୍ମାରକପତ୍ର ସଂପୃକ୍ତ ବ୍ୟାଙ୍କର ମୁଖ୍ୟ ଶାଖା ପ୍ରବନ୍ଧକଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀ ବେହେରା, ଶହିଦ ଖାନ, ସନ୍ତୋଷ ମହାପାତ୍ର, ଅମରେନ୍ଦ୍ର ଘୋଷ, ଅମୂଲ୍ୟ ନାୟକ, ଶୁଭେନ୍ଦୁ ଜେନା, ଅନିଲ ନାୟକଙ୍କ ସମେତ ଶତାଧିକ ୧୩ ନମ୍ବର ୱାର୍ଡ଼ବାସୀଙ୍କ ସ୍ୱାକ୍ଷର ସମ୍ବଳିତ ଅଭିଯୋଗ ଅନୁଯାୟୀ ଅପର୍ତ୍ତିବନ୍ଧା ଛକ ଠାରେ ରହିଛି ଦେଶର ସର୍ବବୃହତ୍ ଜାତୀୟକରଣ ବ୍ୟାଙ୍କର ମୁଖ୍ୟ ଶାଖା । ଏହାର ମୁଖ୍ୟ ଫାଟକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପାଶ୍ୱର୍ରେ ପଶ୍ଚିମ ଦିଗକୁ ମୁହଁ କରି ରହିଛି । କିନ୍ତୁ ନୂତନ କାର୍ଯ୍ୟାଳୟ ବିଲଡିଂ ଆରମ୍ଭ ହେବା ଦିନ ଠାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଫାଟକକୁ ବ୍ୟବହାର କରୁ ନାହାନ୍ତି ।
ବରଂ ଅପର୍ତ୍ତିବିନ୍ଧା, ଏଲଖା, କୁମ୍ଭାରସାହିକୁ ଯାଇଥିବା ବ୍ୟସ୍ତବହୁଳ ରାସ୍ତା ସମ୍ମୁଖରେ ଅନ୍ୟ ୨ଟି ଫାଟକ ନିର୍ମାଣ କରି ବ୍ୟବହାର କରୁଛନ୍ତି । ଏହା ଏକ ପ୍ରମୁଖ ବ୍ୟାଙ୍କ ହୋଇଥିବାରୁ ପ୍ରତ୍ୟେକ ଦିନ ସହସ୍ରାଧିକ ଉପଭୋକ୍ତା ଉକ୍ତ ବ୍ୟାଙ୍କକୁ ସେମାନଙ୍କ ଆର୍ଥକୀକ ଓ ବ୍ୟବସାୟିକ ନେଣଦେଣ କାର୍ଯ୍ୟରେ ଆସିଥାନ୍ତି । ତେଣୁ ସେମାନେ ବ୍ୟାଙ୍କ ପାଶ୍ୱର୍ବର୍ତ୍ତୀ ଫାଟକକୁ ବ୍ୟବହାର କରିଥାନ୍ତି । ଏହାବ୍ୟତୀତ ଏହି ରାସ୍ତାର ରହିଛି ଉକ୍ତ ବ୍ୟାଙ୍କର ଏଟିଏମ କାଉଣ୍ଟର । ଫଳରେ ଟଙ୍କା ଉଠାଣ ପାଇଁ ଏଠାରେ ସ୍ୱାଭୀବିକ ଭାବରେ ଭିଡ଼ ଲଗି ରହିଥାଏ । ଏହା ଦ୍ୱାରା ଉପରୋକ୍ତ ଅଞ୍ଚଳକୁ ଯାଇଥିବା ରାସ୍ତାର ଟ୍ରାଫିକ ଜାମ ଅବସ୍ଥା ସୃଷ୍ଟି ହୋଇଥାଏ । ୧୩ ନମ୍ବର ୱାର୍ଡ଼ର ୫ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ ଥିବାବେଳେ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମନମାନୀ ପାଇଁ ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଉଛି ଓ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇ ଚାଲିଛନ୍ତି । ଉକ୍ତ ବ୍ୟାଙ୍କର ମୁଖ୍ୟ ଫାଟକ ଥାଉ ଥାଉ, କେଉଁ କାରଣ ପାଇଁ କର୍ତ୍ତୃପକ୍ଷ ଏହାକୁ ବ୍ୟବହାର ନକରି ଅପର୍ତ୍ତିବିନ୍ଧାକୁ ଯାଇଥିବା ସଂକୀର୍ଣ୍ଣ ରାସ୍ତା ପାଶ୍ୱର୍ ଫାଟକକୁ ବ୍ୟବହାର କରୁଛନ୍ତି ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ପୂର୍ବରୁ ମଧ୍ୟ ଅଞ୍ଚଳବାସୀ ଏସମ୍ପର୍କରେ ଉକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳି ପାରି ନାର୍ହି । ତେଣୁ ୭ଦିନ ମଧ୍ୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ମୁଖ୍ୟ ଫାଟକକୁ ବ୍ୟବହାର କରିବାକୁ ସେମାନେ ଦାବି କରିଛନ୍ତି । ନଚେତ ଅଞ୍ଚଳବାସୀ ଉକ୍ତ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବ୍ୟାଙ୍କ ମୁଖ୍ୟ ପରିଚାଳକଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରିନାହିଁ ।