ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲ୍ଲାପରିଷଦର ଏକାଦଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ, ଧାମନଗର ବିଧାୟକ ତଥା ବିଧାନସଭା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲାପରିଷଦର ସମସ୍ତ ସଦସ୍ୟ ଏବଂ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ମୁଖ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଗତ ତା.୨୯.୧୨.୨୦୨୦ ରିଖରେ ଅନୁଷ୍ଠିତ ଭଦ୍ରକ ଜିଲ୍ଲା ପରିଷଦର ଦଶମ ବୈଠକର ଅନୁପାଳନ ବିବରଣୀ ଉପସ୍ଥାପନା ଆଧାରରେ ଅଦ୍ୟାବଧି ବିଭିନ୍ନ ବିଭାଗୀୟ କାର୍ଯ୍ୟର ପ୍ରଗତି, ସମସ୍ୟା, ସଫଳତା, କାର୍ଯ୍ୟଧାରା ଆଦି ସମ୍ବନ୍ଧରେ ଆଲୋଚନା ଆରମ୍ଭ କରାଯାଇଥିଲା । ବିଶେଷ କରି କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଡ଼ିଭିଜନ ୧ ଓ ୨ ସାଳନ୍ଦୀ କେନାଲ ଡ଼ିଭିଜନ୍ ପୂର୍ତ୍ତ ବିଭାଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ଆଦି ବିଭାଗର କାର୍ଯ୍ୟଧାରା ଓ ଯୋଜନା ଆଦି ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା ।
ମାନ୍ୟବର ବିଧାୟକମାନେ ଓ ବୈଠକରେ ଉପସ୍ଥିତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଉପାଧ୍ୟକ୍ଷ ଜିଲ୍ଲାପରିଷଦ ସଦସ୍ୟମାନେ ବିଭିନ୍ନ ବିଭାଗର କାର୍ଯ୍ୟ, ଯୋଜନା ବାବଦରେ ସଭାପତିଙ୍କ ଜରିଆରେ ପ୍ରଶ୍ନ ରଖିଥିଲେ । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ସେ ସମ୍ବନ୍ଧୀୟ ତଥା ବୈଠକରେ ଉପସ୍ଥାପନ କରିଥିଲେ । କାଳିଆ ଯୋଜନାରେ କିଛି ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବାବେଳେ କେତେ ଯୋଗ୍ୟ ହିତାଧିକାରୀମାନଙ୍କ ନାମ ପଞ୍ଜିକୃତ ନ ହୋଇ ପାିରବା, ବଳରାମ ଯୋଜନାରେ ଆଖି ଦୃଶିଆ ଅଗ୍ରଗତି ନ ହୋଇପାରିବା, ଯୋଗାଣ ବିଭାଗରେ ରେସନ୍କାର୍ଡ଼ରୁ କଟିଯାଇଥିବା ପରିବାରର ସଦସ୍ୟମାନଙ୍କ ନାମ ଅନ୍ତର୍ଭୁକ୍ତ ନ ହୋଇପାରିବା, କିରାସିନୀ ବଣ୍ଟନରେ ଅନିୟମିତତା ଦେଖାଯାଉଥିବା, ପାଇପ୍ଲାଇନ୍ ଦ୍ୱାରା ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ ବେଳେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଗ୍ରାମାଞ୍ଚଳରେ ଏବଂ ପି.ଏଚ.ଡି. ଦ୍ୱାରା ଭଦ୍ରକ ସହରରେ ରାସ୍ତା ପାଶ୍ୱର୍ ଖନନ ଯୋଗୁଁ ନବନିର୍ମିତ ରାସ୍ତା ଅନେକ ଜାଗାରେ ନଷ୍ଟ ହେବା ଏବଂ ତାର ମରାମତି ଦିଗରେ ସଂପୃକ୍ତ ବିଭାଗ ବା କମ୍ପାନୀ ଦ୍ୱାରା ପଦକ୍ଷପ ନିଆନଯିବା, ଜାମୁଝାଡ଼ି ଓ ଧାମରା ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନ ମାନର ଓ ଅନିୟମିତତା ମଧ୍ୟରେ ହେଉଥିବା, କେତୋଟି ରାସ୍ତା ଓ ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସିଟିସ୍କାନ୍ ମେସିନ୍ ଏବଂ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ପ୍ରଚଳନରେ ଡ଼େରି ହେବା, ଶିକ୍ଷା ବିଭାଗରେ କେତେକ ସ୍କୁଲରେ ଅନୁପାତ ଅନୁଯାୟୀ ଶିକ୍ଷକ ନ ରହିବା ଆଦି ସମସ୍ୟା ଉପରେ ବିଧାୟକ ଓ ଅନ୍ୟମାନେ ଆଲୋକପାତ କରିଥିଲେ । ତଦନୁଯାୟୀ ଜିଲ୍ଲାପାଳ ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୈଠକ ଶେଷରେ ଉପାଧ୍ୟକ୍ଷା ଧନ୍ୟବାଦ ଅର୍ପଣ କରିଥିଲେ ।








