Home ଜିଲ୍ଲା ପରିକ୍ରମା ଏଆଇସିସିଟିୟୁ ପକ୍ଷରୁ ଗଣ କନଭେନସନ୍‌, ସେପ୍ଟେମ୍ବର ୨୮ ଭୁବନେଶ୍ୱର ଚାଲ ଆହ୍ୱାନ

ଏଆଇସିସିଟିୟୁ ପକ୍ଷରୁ ଗଣ କନଭେନସନ୍‌, ସେପ୍ଟେମ୍ବର ୨୮ ଭୁବନେଶ୍ୱର ଚାଲ ଆହ୍ୱାନ

13

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୮ ତାରିଖ ସହିଦ ଭଗତ ସିଂଙ୍କ ଜନ୍ମତିଥୀରେ ଏଆଇସିସିଟିୟୁ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଶ୍ରମିକ ସମାବେଶକୁ ସଫଳ କରିବାକୁ ଭଦ୍ରକ ଠାରେ ଆୟୋଜିତ ଗଣ କନଭେନସନରେ ଭୁବନେଶ୍ୱର ଚାଲ ଆହ୍ୱାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ବାଲ ଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ଏକ ଗଣ କନଭେନସନର ଆୟୋଜନ କରାଯାଇଥିଲା। ଏଥିରେ ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତିର ରାଜ୍ୟ ସଂପାଦିକା ଜୟନ୍ତୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ। ଉକ୍ତ କନଭେନସନରେ ଏଆଇସିସିଟିୟୁର ରାଜ୍ୟ ସଂପାଦକ କମ୍ରେଡ ମହେନ୍ଦ୍ର ପରିଡ଼ା ଯୋଗଦେଇ ଉଭୟ କେନ୍ଦ୍ରର ମୋଦି ଓ ରାଜ୍ୟର ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ, ଜାତୀୟ ସମ୍ପତ୍ତିର ଘରୋଇକରଣ ବନ୍ଦ କରିବା, ସର୍ବନିମ୍ନ ମଜୁରୀ ୭ଶହ ଟଙ୍କା କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ନିର୍ମାଣ ଶ୍ରମିକମାନଙ୍କ ଅନଲାଇନ ପଞ୍ଜିକରଣ ବନ୍ଦ କରିବା, ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବା, ଗଣତାନ୍ତ୍ରୀକ ଅଧିକାରର ସୁରକ୍ଷା ପାଇଁ ଶ୍ରୀ ପରିଡ଼ା ନିଜ ବକ୍ତବ୍ୟରେ ଦାବି କରିଥିଲେ। ଏଥି ସହ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱର ଠାରେ ହେବାକୁ ଥିବା ଶ୍ରମିକ ସମାବେଶକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। କୋଭିଡ ସମୟରେ ଭାରତର ସମସ୍ତ ବର୍ଗର ଲୋକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ। ଏହି ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଆମ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସୂୁଚଜାଉଛି। କିନ୍ତୁ ମୋଦି ସରକାର ଏହି ସମୟରେ କରପୋରେଟ ହାଉସମାନଙ୍କ ତ୍ରାଣକର୍ତ୍ତା ସାଜିଥିଲେ। ଏହା ବ୍ୟତୀତ ସାମ୍ପ୍ରଦାୟିକ ସଦଭାବ ନଷ୍ଟ କରି ବିଦ୍ୱେଷ ସୃଷ୍ଟି କରିଚାଲିଛନ୍ତି। ଏହି ସମୟରେ ବେକାରୀ ପୂର୍ବର ସମସ୍ତ ରେକର୍ଡ଼କୁ ଭାଙ୍ଗି ଦେଇଥିବାବେଳେ, ଅତ୍ୟାବଶ୍ୟକ ସମାଗ୍ରୀଗୁଡ଼ିକର ମୂଲ୍ୟବୃଦ୍ଧି ଉପରେ ଅତ୍ୟଧିକ ଜିଏସଟି ଲାଗୁ କରିବା ଯୋଗୁଁ ଦେଶର ଅର୍ଥନିତିରେ ବହୁତ ବଡ଼ ବିଘଟନ ଦେଖିବାକୁ ମିଳିଛି।

ବହୁ ପରିମାଣରେ ଶ୍ରମିକ ଓ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି। ଯେଉଁମାନେ କାର୍ଯ୍ୟରେ ଥିଲେ ସେମାନଙ୍କ ବେତନ ଅଧା କରି ଦିଆଯାଇଥିଲା। ଶ୍ରମ ଶକ୍ତିର ବ୍ୟାପକ ଅସ୍ଥାୟୀ ଠିକାରକରଣ, ଠିକା ନିଯୁକ୍ତି, ଗରିବ ତଥା ଅସମ୍ମାନତାର ବ୍ୟାପକ ବୃଦ୍ଧି ସହିତ ସବୁଠାରୁ ନିଷ୍ଠୁର ଆକ୍ରମଣ ଥିଲା ଦେଶର ଚାରୋଟି କରପୋରେଟ ସପକ୍ଷବାଦୀ ଶ୍ରମ ସଂହିତା ଅଧିନିୟମ ଉପରେ କାର୍ଯ୍ୟ କରିବା। ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଶ୍ରମିକମାନଙ୍କୁ ଦାସତ୍ୱ ଭିତରକୁ ଠେଲିଦେବା ସମସ୍ତ କଲ୍ୟାଣବୋର୍ଡ଼କୁ ଭାଙ୍ଗିଦେବା, ସମସ୍ତ ସାମଜିକ ସୁରକ୍ଷା ପ୍ରଣାଣୀଗୁଡ଼ିକୁ ନଷ୍ଟ କରିଦେବା ଓ ସେସବୁକୁ ଇ-ପୋର୍ଟାଲରେ ବଦଳାଇବା। ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ଓ ସରକାରୀ ବିଭାଗର ଘରୋଇକରଣ କରାଯିବା ସହିତ ଇ-ଶ୍ରମ ପୋର୍ଟାଲ ବିମୁଦ୍ରିକରଣ ନୀତି ଆପଣେଇବା ଯେଉଁଥିରେକି ଦେଶର ଲୋକମାନଙ୍କ ଜୀବନ ମହତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଇଥିଲା। ରେଳ, ସୈନ୍ୟବାହିନୀ, ବ୍ୟାଙ୍କ, ବୀମା କ୍ଷେତ୍ରରେ ଘରୋଇକରଣ ପ୍ରଭାବ ଯୋଗୁଁ ଦେଶର ଅର୍ଥନୀତି ବିଗିଡ଼ିବାରେ ଲାଗିଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ର. ଅଟଳ ବିହାରୀ ନାୟକ, ବରିଷ୍ଠ ଆଇନଜୀବୀ ଅଗଣି ଚରଣ ଜେନା, ବିଶିଷ୍ଟ ବାମପନ୍ଥୀ ନେତା ଗିରିଧାରୀ ନାଥ ପ୍ରମୁଖ ଉସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ୧୭ଜଣିଆ ଜିଲ୍ଲା କମିଟି ଗଠନ ହୋଇଥିଲା। ଜିଲ୍ଲା ସଂପାଦକ ଭାବେ ସମର ବଳ, ଗାୟତ୍ରୀ ବେହେରା ସଭାପତି, ସହ ସଂପାଦକ ଭାବେ ଶତୃଘ୍ନ ମୁଦୁଲି, ମିନତୀ ରାଉତ, କୋଷାଧ୍ୟକ୍ଷ ଭାବେ ସୁବାଷ ମହାଳିକ, ଉପସଭାପତି ଭାବେ ଗୟାଧର ସେଣ ଓ ରମାକାନ୍ତ ଦାସ, ମନୋନୀତ ହୋଇଥିଲେ। ସେହିପରି ସନାତନ ଖଟୁଆ, ଲେକିନ ବାରିକ, ସଂଜିବ ଭଞ୍ଜ, ରାଜକିଶୋର ଓଝା, ପ୍ରିୟରଂଜନ ବାରିକ, ବିଶ୍ୱମ୍ଭର ମଲିକ, ସୀମା ନାୟକ, କିଶୋର ଜେନା ପ୍ରମୁଖ ଜିଲ୍ଲଊା କମିଟିରେ ସ୍ଥାନ ପାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.