Home ଜିଲ୍ଲା ପରିକ୍ରମା ଋଣକିସ୍ତି ଆଦାୟରେ ଜୁଲମ୍‌ର ଶିକାର ଏସଏଚଜି ମହିଳା – ନିୟମ ଉଲ୍ଲଂଘନକାରୀ ଫାଇନାନ୍ସ ସଂସ୍ଥା ବିରୋଧରେ...

ଋଣକିସ୍ତି ଆଦାୟରେ ଜୁଲମ୍‌ର ଶିକାର ଏସଏଚଜି ମହିଳା – ନିୟମ ଉଲ୍ଲଂଘନକାରୀ ଫାଇନାନ୍ସ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

226

ବାଲେଶ୍ୱର, ୨ା୬(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ଜନିତ ଲକ୍ ଡାଉନ୍‌ରେ ପ୍ରଭାବ କାରଣରୁ ଋଣ ଗ୍ରହୀତାଙ୍କୁ ସାମୟିକ ଭାବେ କିସ୍ତିଅର୍ଥ ଛାଡ଼ ପାଇଁ ସରକାରୀ ନିର୍ଦ୍ଦେଶ ଥିବା ସତ୍ତ୍ୱେ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଉପରେ ହେଉଥିବା ଜୁଲମର ପ୍ରତିବାଦ କରିଛି ବାଲେଶ୍ୱରର ଅନ୍ୟତମ ସ୍ୱେଛାସେବୀ ସଂଗଠନ ‘ପ୍ରୟାସ ପରିବାର’। କରୋନା ଭଳି ସଙ୍ଗୀନ ସ୍ଥିତିରେ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ମାନେ ନେଇଥିବା ଋଣ ବାବଦୀୟ କିସ୍ତି ଆଦାୟ ଉପରେ ଅଙ୍କୁଶ ଲଗାଇବା ଦାବିରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି ଏହି ସଂଗଠନ। ସହରର ଏକାଧିକ ଏସଏଚଜିର ସଦସ୍ୟାଙ୍କ ସମେତ ପ୍ରୟାସ ପରିବାରର କର୍ମକର୍ତ୍ତାମାନେ ଆଜି ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସାମ୍ପ୍ରତିକ ସ୍ଥିତିରେ ଋଣଗ୍ରହୀତାଙ୍କ ଉପରେ ଅଣବ୍ୟାଙ୍କିଙ୍ଗ୍ ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ଦୌରାତ୍ମ୍ୟ ସମ୍ପର୍କରେ ଅବଗତ କରିଥିଲେ। ସେମାନଙ୍କ କହିବା ଅନୁସାରେ ଋଣଦେଇ ସଂସ୍ଥା ପକ୍ଷରୁ ଏସଏଚଜି ମହିଳାଙ୍କଠାରୁ ୧୭ରୁ ୨୪ ପ୍ରତିଶତ ସୁଧ ହାରରେ ମାସିକ, ପାକ୍ଷିକ ଓ ସାପ୍ତାହିକ କିସ୍ତିଅର୍ଥ ଆଦାୟ କରିଆସୁଥିଲେ। ତେବେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ପାଇଁ ମହିଳାମାନେ ନେଇଥିବା ଅର୍ଥକୁ ଛୋଟମୋଟ ବ୍ୟବସାୟରେ ଲଗାଇଥିଲେ। ମାତ୍ର ଲକ୍ ଡାଉନ୍ ଯୋଗୁଁ ୩ ମାସ ଧରି ସମସ୍ତ ବ୍ୟବସାୟ ବନ୍ଦ ରହିବା ଫଳରେ ଏସଏଚଜି ମହିଳାମାନେ ନେଇଥିବା କିସ୍ତି ତେ ଦେଇ ପାରିଲେନାହିଁ ବରଂ ଋଣ ଅର୍ଥକୁ ଖର୍ଚ୍ଚ କରିଚାଲିଛନ୍ତି ବୋଲି ପ୍ରୟାସ ପରିବାର ପକ୍ଷରୁ କୁହାଯାଇଛି। ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସମେତ କେନ୍ଦ୍ର ସରକାର ପ୍ରତ୍ୟେକ ଋଣ ଗ୍ରହିତାଙ୍କୁ ପ୍ରଥମେ ୩ ମାସ ଓ ପରେ ଆଉ ୩ ମାସ କିସ୍ତି ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ନିର୍ଦ୍ଦେଶକୁ ଏସଏଚଜିଙ୍କୁ ଋଣ ଦେଇଥିବା ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ଓ ବିଭିନ୍ନ ବ୍ୟାଙ୍କମାନେ ଅବଜ୍ଞା କରି କିସ୍ତି ଆଦାୟ କରିବାରେ ଲାଗିଛନ୍ତି। ଏମିତିକି କିସ୍ତି ଅର୍ଥ ଦେଇପାରୁନଥିବା ଗ୍ରୁପ୍‌ଙ୍କ ଉପରେ ଏବେ ଜୁଲମ୍ ଚାଲିଥିବା ସେମାନେ ଆରୋପ ଉଠାଇଛନ୍ତି। ମହିଳାଙ୍କ ଘରେ ପହଞ୍ଚି ସଂସ୍ଥାର ପ୍ରତିନିଧିମାନେ ସେମାନଙ୍କୁ ଭୟଭ୍ରାନ୍ତି କଥା କହି ମାନସିକ ନିର୍ଯାତନା ଦେବା ସହ କିସ୍ତି ଅର୍ଥ ଆଦାୟ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସଙ୍ଗୀନ ସ୍ଥିତିରେ ପ୍ରଶାସନ ତଥା ସରକାର ହସ୍ତକ୍ଷେପ କରିବା ସହ ଅଣବ୍ୟାଙ୍କିଙ୍ଗ୍ ସଂସ୍ଥାଙ୍କ କିସ୍ତି ଆଦାୟ ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ ପରିବାର ପକ୍ଷରୁ ଦାବି କରାଯାଇଛି। ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ଗ୍ରହଣ ସହ ସେମାନଙ୍କୁ ଋଣ ପ୍ରଦାନକାରୀ ସଂସ୍ଥାର ଜୁଲମରୁ ରକ୍ଷା କରିବା ଓ ଆଉଥରେ ଋଣ ପ୍ରଦାନ ପାଇଁ ମହିଳାମାନେ ଗୁହାରୀ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ବେଳେ ରୋଜି ପଟ୍ଟନାୟକ, ଜୟନ୍ତୀ ଦତ୍ତ, ଉର୍ମିଳା ଦାସ, ରୂପା ଗିରି ପ୍ରମୁଖ ପ୍ରୟାସ ପରିବାରର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଏକଏଚଜିର ବହୁ ସଦସ୍ୟା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.