Home ଜିଲ୍ଲା ପରିକ୍ରମା ଇଦ୍‌-ଉଲ୍‌-ଅଜହା ପର୍ବ ପାଳନ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଇଦ୍‌-ଉଲ୍‌-ଅଜହା ପର୍ବ ପାଳନ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

46

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୁନ୍ ୨୯,୩୦ ଓ ଜୁଲାଇ ୧ ତାରିଖ ୩ ଦିନ ଧରି ଭଦ୍ରକରେ ପାଳିତ ହେବାକୁ ଥିବା ଇଦ୍‌ଉଲ ଅଜ୍‌ହା (ବକରିଦ୍‌) ପର୍ବ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ସହକାରୀ ଜିଲ୍ଲାପାଳ, ଜୁଡ଼ିସିଆଲ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଭାଇଚାରାର ପର୍ବ ଉଦ୍‌-ଉଲ-ଅଜ୍‌ହା ଭଦ୍ରକରେ ସମ୍ପୁର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ନିଆଯାଇଛି ବୋଲି ମୁସଲିମ୍ ଜମାତର କର୍ମକର୍ତ୍ତାମାନେ ବୈଠକରେ ପ୍ରକାଶ କରିଥିଲେ । ୨୯ ତାରିଖରେ ସକାଳ ୮ଟାରୁ ୧୦ଟା ମଧ୍ୟରେ ସମସ୍ତ ମସ୍‌ଜିଦ୍ ମାନଙ୍କରେ ସମୂହ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳ ୯ଟାରେ ଇଦ୍‌ଘାରେ ସାମୂହିକ ପ୍ରାର୍ଥନା ଆୟୋଜନ ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହି ପର୍ବ ପାଳନ ଉପଲକ୍ଷେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବାକୁ ଥିବା ଆବଶ୍ୟକ ସହଯୋଗ ସମ୍ବନ୍ଧରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ।

ଜନ ସମାବେଶ ଜାଗା ମାନଙ୍କରେ ପାନୀୟ ଜଳ ପାଇଁ ଟ୍ୟାଙ୍କର ବ୍ୟବସ୍ଥା ମୁଖ୍ୟ ପ୍ରାର୍ଥନା ସ୍ଥଳ ରାସ୍ତାଘାଟ ବିଶେଷ କରି ଇଦ୍‌ଘା ପରିସର ସଫେଇ, ଶାନ୍ତି ଶୃଙ୍ଖଳା ରକ୍ଷା, ଯାନବାହାନ ଓ ଗହଳି ନିୟନ୍ତ୍ରଣ ପାଇଁ ପୋଲିସ୍ ମୂତୟନ ଆଦି ଆବଶ୍ୟକ ବ୍ୟବସ୍ଥା ସମ୍ବନ୍ଧରେ କର୍ମକର୍ତ୍ତାଙ୍କ ପ୍ରସ୍ତାବ କ୍ରମେ ପଦକ୍ଷେପ ନିଆଯିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ଆବଶ୍ୟକ ଅନୁଯାୟୀ ପୋଲିସ୍ ମୂତୟନ, ପୋଲିସ୍ ପଇଁତରା ଆଦି ବ୍ୟବସ୍ଥା ସମ୍ବନ୍ଧରେ ଏସ୍‌.ପି. ସୂଚନା ପ୍ରଦାନ କରିଥିଲେ । ସାମାଜିକ ଗଣ ମାଧ୍ୟମର ଦୂରୁପଯୋଗ ନ କରିବାକୁ ଆଞ୍ଚଳିକ ସ୍ତରରେ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଦିଗରେ ଯତ୍ନବାନ୍ ହେବାକୁ ଏସ୍‌.ପି. କମିଟିକୁ ପରାମର୍ଶ ପ୍ରଦାନ କରିଥିଲେ । ସାମ୍ପ୍ରଦାୟିକ ସଦ୍ଭାବ ନେଇ ହିନ୍ଦୁ ମୁସଲିମ୍ ପରସ୍ପର ସହଯୋଗରେ ଏ ପର୍ବ ଖୁବ୍ ଶାନ୍ତି ଶୃଙ୍ଖଳାର ସହ ସମାପିତ ହୁଏ ବୋଲି ହିନ୍ଦୁ ସୁରକ୍ଷା ସମିତିର କର୍ମକର୍ତ୍ତା ବିଦ୍ୟାଧର ସାହୁ, ସୁଧାରକର ରାଉତ ପ୍ରମୁଖ ମତ ପ୍ରକାଶ କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ଏ ପର୍ବ ପାଳନ ପାଇଁ ପ୍ରଶାସନ ତରଫରୁ ଆବଶ୍ୟକୀୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଡ଼ି.ଏସ୍‌.ପି. ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ, ଆର.ଆଇ. ପୋଲିସ୍ ମନୋରଞ୍ଜନ ତରାଇ, ଟାଉନ୍‌, ପୁରୁଣାବଜାର ଓ ଗ୍ରାମାଞ୍ଚଳ ଥାନାର ଆଇ.ଆଇ.ସି. ସଂପୃକ୍ତ ବିଭାଗୀୟ ଅଧିକାରୀ, ମୂସଲିମ୍ ଜମାତ୍‌ର ସମ୍ପାଦକ ଅବ୍‌ଦୁଲ ମୋକିତ ଖାଁ ଓ ଅନ୍ୟ କର୍ମକର୍ତ୍ତା ସେକ୍ ମହମ୍ମଦ ଜକାଉଲ୍ଲା, ସେକ୍ ସେରାଜୁଦ୍ଦିନ୍‌, ଜମିଲ ଅଖତର ଖାଁ, ହାଜି କୟୁମ୍ ଅଲି ସାହା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.