Home ଜିଲ୍ଲା ପରିକ୍ରମା ଇଂ ପ୍ରତାପ ମହାନ୍ତିଙ୍କ ପରଲୋକ

ଇଂ ପ୍ରତାପ ମହାନ୍ତିଙ୍କ ପରଲୋକ

78

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ପଞ୍ଚାୟତ ପିରିପୁର ଗ୍ରାମବାସୀ ତଥା ଅବସରପ୍ରାପ୍ତ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ଗତ ଶନିବାର ରାତ୍ର ପ୍ରାୟ ୮ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୬୨ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମହାନ୍ତି ଭଦ୍ରକ ବାସଭବନରେ ହୃଦଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମରଶରୀରକୁ ରବିବାର ଶୋଭାଯାତ୍ରାରେ ପୈତୃକ ଗ୍ରାମ ପିରିପୁରକୁ ନିଆଯାଇ ବାସଭବନ ହତାରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏକମାତ୍ର ପୁଅ ରାଜା ମୁଖାଗ୍ନି ଦେଇଥିଲେ । ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସଙ୍କ ସମେତ ବହୁ ବ୍ୟକ୍ତି ତାଙ୍କୁ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ସ୍ୱର୍ଗତ ମହାନ୍ତିଙ୍କର ବଳିଷ୍ଠ ଅବଦାନ ରହିଥିଲା । ପୈତୃକ ଗ୍ରାମରେ ପିତାଙ୍କ ନାମରେ ପ୍ରଭାକର ମହାନ୍ତି ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରି ଶିକ୍ଷାର ପ୍ରସାର ଦିଗରେ ସେ ପଦକ୍ଷେପ ଗ୍ରହଣ କରିଥିଲେ । କହରାପୋଖରୀ-ପାଟୁଳୀ ଗ୍ରାମ୍ୟ ଉନ୍ନୟନ ରାସ୍ତା, ପିରିପୁର-ମଜୁରୀଗଡିଆ ଗ୍ରାମ୍ୟ ଉନ୍ନୟନ ରାସ୍ତା ସମେତ ବହୁ ରାସ୍ତାର ନିର୍ମାଣ ତାଙ୍କର ପ୍ରଚେଷ୍ଟାରେ ସମ୍ଭବ ହୋଇଥିଲା । ଭଦ୍ରକ ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତା ନିର୍ମାଣର ଆରମ୍ଭ ମଧ୍ୟ ସ୍ୱର୍ଗତ ମହାନ୍ତିଙ୍କ ଦ୍ୱାରା ହୋଇଥିଲା । ତାଙ୍କ ବିୟୋଗରେ ବ୍ଳକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.