Home ଜିଲ୍ଲା ପରିକ୍ରମା ଆରୋପ ପ୍ରତ୍ୟାରୋପ ମଧ୍ୟରେ ମଳିନ ପଡ଼ୁଛି ବିକାଶର ଚିତ୍ର, ତୋଷାମଦକାରୀଙ୍କ ପାଇଁ ବଢ଼ୁଛି ବିଧାୟକ ବିରୋଧୀ...

ଆରୋପ ପ୍ରତ୍ୟାରୋପ ମଧ୍ୟରେ ମଳିନ ପଡ଼ୁଛି ବିକାଶର ଚିତ୍ର, ତୋଷାମଦକାରୀଙ୍କ ପାଇଁ ବଢ଼ୁଛି ବିଧାୟକ ବିରୋଧୀ ମନୋଭାବ

33

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରର କେତେକ ସ୍ଥାନରେ ମା’ଭଦ୍ରକାଳୀ ପୀଠ ସମେତ ପୁରୁଣାବଜାର ଅଞ୍ଚଳର କେତେକ ବିପର୍ଯ୍ୟସ୍ତ ରାସ୍ତା ଚିତ୍ର ସମ୍ବଳିତ ଫ୍ଲେକ୍ସ ବ୍ୟାନର ଲାଗିବା ପରେ ଭଦ୍ରକ ରାଜନିତୀ ଏବେ ଚଳଚଞ୍ଚଳ ହୋଇ ଉଠିଛି । କୌଣସି ନିର୍ଦ୍ଧିଷ୍ଟ ସଂଗଠନ ପକ୍ଷରୁ ଉକ୍ତ ବ୍ୟାନର ଲଗାଯାଇନଥିଲେ ମଧ୍ୟ ପୁରୁଣାବଜାର ଅଞ୍ଚଳବାସୀ ଏଥିରେ ନିବେଦକ ରହିଛନ୍ତି । ୧୮ଟି ରାସ୍ତାର ବିପର୍ଯ୍ୟସ୍ତ ରାସ୍ତାର ଭାଗ୍ୟ କେବେ ଖୋଲିବ ସେଥି ନେଇ ସେମାନେ ଭଦ୍ରକ ବିଧାୟକ ଓ ସାଂସଦଙ୍କୁ ଜବାବ ମାଗିଛନ୍ତି । ଅପରପକ୍ଷରେ ଅନୁରୂପ ଦାବିକୁ ନେଇ ୧୬ ତାରିଖ ପୁରୁଣାବଜାର ଅଞ୍ଚଳର କେତେକ ସମାଜିକ କର୍ମୀ ଜିଲ୍ଳାପାଳଙ୍କୁ ଭେଟି ଦାବିୀପତ୍ର ପ୍ରଦାନ କରିଛନ୍ତି । ବିଶେଷକରି ଭଦ୍ରକାଳୀ ପୀଠକୁ ରାସ୍ତା ଏଥିରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ, ଦୀର୍ଘ ବର୍ଷ ଧରି ନୀରବ ବସିଥିବା କେତେକ ବ୍ୟକ୍ତି ଏଥିରୁ ରାଜନୈତିକ ଫାଇଦା ନେବା ପାଇଁ ଇତିମଧ୍ୟରେ କେତେକ ଉଦ୍ୟମ ଆରମ୍ଭ କରିଛନ୍ତି । ମା’ଙ୍କ ପୀଠକୁ ଭଲ ରାସ୍ତା ନଥିବାରୁ ଉକ୍ତ ପୀଠକୁ ଶ୍ରଦ୍ଧାଳୁଙ୍କ ଯିବା ଆସିବା କମିବାରେ ଲାଗିଛି । କଚେରୀ ଛକରୁ ଉକ୍ତ ପୀଠକୁ ଯେଉଁ ରାସ୍ତା ଯାଇଛି, ତାହା ବହୁ ସ୍ଥାନରେ ଜବରଦକଳକାରୀଙ୍କ କବଜାରେ ରହିଛି । ଉକ୍ତ ଜବରଦଖଲ ନହଟିଲେ ଉକ୍ତ ରାସ୍ତାର ପୁନରୁଦ୍ଧାର କେବେ ମଧ୍ୟ ସମ୍ଭବ ନୁହେଁ । ଗତବର୍ଷ ସେପ୍ଟମ୍ବର ମାସ ୬ତାରିଖ ‘କଚେରୀ ବଜାର-ପୁରୁଣାବଜାର ରାସ୍ତା, ପୁରୁଣାବଜାର-ସଂଗତ ଭାୟା ବୋଖାରୀ ବାବାଙ୍କ ଆସ୍ଥାନ, ବାଙ୍କବାଜାର – ଉତ୍ତରବାହିନୀ ରାସ୍ତାର ପୁନରଦ୍ଧାର ପାଇଁ ଶିଳାନ୍ୟାସ ହୋଇଥିଲା । ଭଦ୍ରକ ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ପୂର୍ତ୍ତ ମନ୍ତ୍ରୀ ପ୍ରତାପ ଜେନା ଏହାର ଶୁଭ ଶିଳାନ୍ୟାସ କରିଥିଲେ । ପରବର୍ତ୍ତୀ ସମୟରେ ଏଭରଟେକ୍ସ ପ୍ରୋଜେକ୍ଟ ପ୍ର. ଲି. ଉକ୍ତ ଟେଣ୍ଡର ନେଇଥିଲା । କିନ୍ତୁ ଇତିମଧ୍ୟରେ ୧ବର୍ଷ ବିତିଯାଇଛି । କୌଣସି ବୈଷୟିକ ଅଥବା ଆର୍ଥୀକ କାରଣରୁ ଉକ୍ତ ରାସ୍ତା ସମୁହର କାର୍ଯ୍ୟ ଆରମ୍ଭ ହୋଇ ପାରୁନି । ପୂର୍ବରୁ ମଧ୍ୟ ଉକ୍ତ ରାସ୍ତାର ଯେଣ୍ଡର ଦୁଇଥର ବାତିଲ ହୋଇଥିବା ଜଣାଯାଏ । ତେଣୁ କାର୍ଯ୍ୟାରମ୍ଭ ଦିଗରେ ଯେଉଁ ପ୍ରତିବନ୍ଧକ ରହିଛି, ତାହା କିପରି ଦୂର ହେବ ସେଥି ପ୍ରତି ସମସ୍ତେ ଧ୍ୟାନ ଦେବାର ସମୟ ଆସିଛି ।

ତେବେ ଉପରୋକ୍ତ ରାସ୍ତା ପ୍ରସଙ୍ଗକୁ ନେଇ ବିଧାୟକ ସଂଜୀବ ମଲ୍ଲିକଙ୍କର କେତେକ ଆଗଧାଡ଼ିର ସମର୍ଥକ ମୁହଁ ଖୋଲିଛନ୍ତି । ଏପରି ପ୍ରସଙ୍ଗ ଉଠାଇଥିବା ବ୍ୟକ୍ତବିଶେଷଙ୍କୁ କୁଚକ୍ରୀ ଗୋଷ୍ଠିର ଆଖ୍ୟା ଦେଇଛନ୍ତି । ବିଧାୟକ ହେବା ପରେ ଶ୍ରୀ ମଲ୍ଲିକ ମା’ଙ୍କ ପୀଠକୁ ୧କୋଟି ଟଙ୍କା ସମେତ ନିଜସ୍ୱ ପାଣ୍ଠିରୁ ୧୯ଲକ୍ଷ ଟଙ୍କାର ଅନୁଦାନ, ଜାମା ମସଜିଦର ଉନ୍ନତି ପାଇଁ ୧କୋଟି ଟଙ୍କା, ଉକ୍ତ ରାସ୍ତାର ଆଲୋକୀକରଣ, ପୌରଞ୍ଚଳରେ ୧୧କୋଟି ଟଙ୍କାର କାର୍ଯ୍ୟ କରାଯାଇଥିବା କହିବା ସହ ସ୍ମାର୍ଟ ଷ୍ମଶାନ, ସ୍ମାର୍ଟ ଚୂଲା ପାଇଁ ବିଧାୟକ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି । ୧୯ମାସର ବିଧାୟକତ୍ୱ ସମୟ ମଧ୍ୟରେ କରୋନା ପାଇଁ ୯ମାସ ବିକାଶ ଧିମେଇଛି । ତେଣୁ ବିଧାୟକଙ୍କୁ ବଦନାମ ନକରି ସମସ୍ତ କାର୍ଯ୍ୟ ପାଇଁ ଧର୍ଯ୍ୟ ଧରିବାକୁ ସେମାନେ ସାମାଜିକ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି । ତେବେ ଏକଥା ସତଯେ ବିଧାୟକ ଶ୍ରୀ ମଲ୍ଲିକଙ୍କର ଭଦ୍ରକର ଉନ୍ନତି ପାଇଁ ଗଠନମୂଳକ ଚିନ୍ତାଧାରା ରହିଛି । ଆରମ୍ଭରୁ ସେ ଏଦିଗରେ ଉଦ୍ୟମ ଜାରୀ ରଖିଛନ୍ତି । କିନ୍ତୁ କେତେକ ତୋଷମଦକାରୀ ତାଙ୍କୁ ଘେରି ରହିଛନ୍ତି, ଯେଉଁମାନେକି ଗତ ନିର୍ବାଚନ ବେଳେ, ଅନ୍ୟ ଦଳରୁ ଆସି ବିଜେଡ଼ିରେ ଯୋଗଦେଇଥିଲେ । ସେମାନେ ନିୟମିତ ନିଜର ଫାଇଦା ଉଠାଉଛନ୍ତି । ବିଭିନ୍ନ ଯୁକ୍ତିଯୁକ୍ତ ପ୍ରକଳ୍ପ ପ୍ରସଙ୍ଗରେ ବିଧାୟକଙ୍କୁ ଅନ୍ଧାରରେ ରଖି ନିଜ ପସନ୍ଦର ପ୍ରକଳ୍ପକୁ ପାସ କରାଉଛନ୍ତି । ସେମାନେ ଉପରୋକ୍ତ ରାସ୍ତାର ଗୁରୁତ୍ୱ ସମ୍ପର୍କରେ କେବେ ମଧ୍ୟ ବିଧାୟକଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ଉଚିତ ମନେ କରି ନାହାନ୍ତି । ତେଣୁ ବିଧାୟକଙ୍କୁ କୌଣସି ବିରୋଧୀ ଦଳ ନେତା ବା କର୍ମୀ ନୁହେଁ ବରଂ ଦଳ ମଧ୍ୟରେ ରହି ନିୟମିତ ନିଜର ସ୍ୱାର୍ଥ ସାଧନ କରୁଥିବା କେତେକ ତୋଷାମଦକାରୀଙ୍କ ପାଇଁ ଆଜି ବିଧାୟକ ବଦନାମ ହେଉଛନ୍ତି ବୋଲି ଖୋଦ ଦଳର ମୂଳ ତଥା ବହୁ ପୁରୁଖା ନେତା ଓ କର୍ମୀ ମତପୋଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.