Home ଜିଲ୍ଲା ପରିକ୍ରମା ଆରମ୍ଭ ହେଲା ମୋଚିଛକ-ମା’ ଭଦ୍ରକାଳୀ ରାସ୍ତା ସଂପ୍ରସାରଣ ଉଚ୍ଛେଦ ପ୍ରକ୍ରିୟା, ୪ ପ୍ଲାଟୁନ ପୁଲିସ୍ ଫୋର୍ସ...

ଆରମ୍ଭ ହେଲା ମୋଚିଛକ-ମା’ ଭଦ୍ରକାଳୀ ରାସ୍ତା ସଂପ୍ରସାରଣ ଉଚ୍ଛେଦ ପ୍ରକ୍ରିୟା, ୪ ପ୍ଲାଟୁନ ପୁଲିସ୍ ଫୋର୍ସ ନିୟୋଜିତ

29

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଶାସନର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାୟୀ ଭଦ୍ରକ ସହର ମୋଚିଛକ ଠାରୁ ମା’ ଭଦ୍ରକାଳୀଙ୍କ ପୀଠ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ଆଜିଠାରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ସକାଳ ୮ ଘଟିକାରେ ପୁଲିସ୍ ଫୋର୍ସ ସହ ଜେସିବି ଲଗାଇ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ଏହି ଉଚ୍ଛେଦ ସଂପର୍କରେ ପ୍ରଶାସନ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା । ସହରବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାସ୍ତା ସଂପ୍ରସାରଣ ପାଇଁ ମାଇକ୍ ଯୋଗେ ଦୋକାନ ଖାଲି କରିବା ପାଇଁ ବ୍ୟବସାୟୀମାନଙ୍କୁ ସଚେତନ କରାଯାଇଥିଲା । ରାସ୍ତା ସଂପ୍ରସାରଣ ନେଇ ଉଭୟପାଶ୍ୱର୍ର କେତେ ଫୁଟ୍ ଭଙ୍ଗାଯିବ ଏ ନେଇ ଭଦ୍ରକ ତହସିଲ ଓ ପୌରପାଳିକା ତରଫରୁ ଡିମାରକେଶନ ମଧ୍ୟ କରାଯାଇଥିଲା । ତେବେ ପ୍ରଶାସନର ନିର୍ଦ୍ଦେଶକୁ ମାନି ବହୁ ବ୍ୟବସାୟୀ ସ୍ୱତଃ ପ୍ରବୃତ୍ତ ଭାବେ ସେମାନଙ୍କ ଦୋକାନକୁ ଖାଲି କରିଦେଇଥିଲେ । ଆଜିର ଜବରଦଖଲ ଉଚ୍ଛେଦ ଅଭିଯାନରେ ପାଖାପାଖି ୫୦ ରୁ ଉର୍ଦ୍ଧ୍ୱ ଦୋକାନ ଘରକୁ ମାଟିରେ ମିଶାଯାଇଛି । ପ୍ରଶାସନର ଏହି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଥିବାବେଳେ ବହୁ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଥିବାର ଉଚ୍ଛେଦ ପ୍ରକ୍ରିୟା ସମୟରେ ଦେଖିବାକୁ ମିଳିଥିଲା । ଥଇଥାନର ବ୍ୟବସ୍ଥା ନକରି ଭଙ୍ଗାରୁଜା କରିବା ପ୍ରଶାସନର ଅବିଚାର ବୋଲି କେତେକ ଦୋକାନୀ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷକରି ପୌରପାଳିକାର ଦୋକାନ ଗୃହରେ ଦୀର୍ଘ ୩୦/୪୦ ବର୍ଷରୁ ଉର୍ଦ୍ଧ୍ୱ ଧରି ଜୀବିକା ନିର୍ବାହ କରିଆସୁଥିବା ପରିବାର ଏବେ କିପରି ଚଳିବ, ପିଲାମାନଙ୍କ ପାଠପଢା, ଚିକିତ୍ସା ଖର୍ଚ୍ଚ କିଭଳି ବହନ କରାଯିବ ଏନେଇ ଗଣମାଧ୍ୟମ ଆଗରେ କେତେକ ଦୋକାନୀ କାନ୍ଦି କାନ୍ଦି ଦୁଃଖ ପ୍ରକାଶ କରୁଥିବାର ଦେଖିବାକୁ ମିଳିଥିଲା ।

ତେବେ ଉଚ୍ଛେଦ କରାଯାଇଥିବାବେଳେ ଦୋକାନୀମାନଙ୍କୁ ଆସନ୍ତା ୬ ମାସ ମଧ୍ୟରେ ଥଇଥାନ କରାଯିବ ବୋଲି ଜିଲାପାଳ ସିଦ୍ଧୋଶ୍ୱର ବଳିରାମ ବୋନ୍ଦର ପ୍ରତିଶ୍ରୁତି ଦେଇଥିବାର ଜିଲାପାଳଙ୍କୁ ଭେଟିଥିବା କେତେକ ଦୋକାନୀ କହିଛନ୍ତି । ମୋଟ ଉପରେ କହିବାକୁ ଗଲେ ପ୍ରଶାସନର ଏହି ଉଚ୍ଛେଦ ଅଭିଯାନକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଅନ୍ୟପକ୍ଷରେ ପ୍ରଶାସନର ଏହି ପଦକ୍ଷେପକୁ ସିଟୁ ନେତା ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ ତୀବ୍ର ବିରୋଧ କରିଛନ୍ତି । ତାଙ୍କ ପ୍ରେସ୍ ବିବୃତ୍ତିରେ ଶ୍ରୀ ନାୟକ ଜଣାଇଛନ୍ତି ଯେ ଭଦ୍ରକ ୩୦ ବର୍ଷ ଧରି ଜିଲାରେ ମାନ୍ୟତା ପାଇଛି । ଏହି ମାଟିରେ ବହୁ ଲବ୍ଧ ପ୍ରତିଷ୍ଠିତ ରାଜନେତା, ସାହିତ୍ୟିକ, ପ୍ରଶାସକ, ମନ୍ତ୍ରୀ, ବିଧାୟକ ଓ ପୌରାଧ୍ୟକ୍ଷଙ୍କୁ ସହରବାସୀ ଜନପ୍ରତିନିଧି ଭାବେ ବାଛିଛନ୍ତି । ସ୍ମାର୍ଟ ସିଟିର ପ୍ରତିଶ୍ରୁତି ଦେଇ ପୁଣି ୨୦୨୪ ନିର୍ବାଚନକୁ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡିଛନ୍ତି । ଉଚ୍ଛେଦ କରାଯିବା ପୂର୍ବରୁ ଜୀବିକା ହରାଉଥିବା ପରିବାରକୁ ଥଇଥାନ କରିବା ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି । ଆଜିପର୍ଯ୍ୟନ୍ତ ଯେତେ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି ପ୍ରଶାସନ କିମ୍ବା ଜନ ପ୍ରତିନିଧି ମାନଙ୍କ ପକ୍ଷରୁ ଏହି କ୍ଷୁଦ୍ର ବ୍ୟବସାୟୀଙ୍କୁ କିଭଳି ଥଇଥାନ କରାଯିବ, ଏ ନେଇ କୌଣସି ପଦକ୍ଷେପ ନିଆଯାଉନଥିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାୟକ କହିଛନ୍ତି । ଅପରପକ୍ଷରେ ସହରର ସୌନ୍ଦର୍ଯ୍ୟକରଣ ସହ ବିକାଶ ଧାରା ବଜାୟ ରହୁ । ଏହାସହିତ କ୍ଷୁଦ୍ରବ୍ୟବସାୟୀମାନଙ୍କୁ ଉପଯୁକ୍ତ ଥଇଥାନ କରାଯାଉ ବୋଲି ଦୋକାନୀ ମହାସଂଘ ପକ୍ଷରୁ ସିଟୁ ନେତା ଶ୍ରୀ ନାୟକ, ରାଧା ଦାସ, ସଂଜୟ ଶେଖର ନାୟକ, ସେକ୍ ମିନାଜ, ସେକ୍ କମର, ଦିଲ୍ଳୀପ ସାହୁ, ଅଭିରାମ ସାୟନ୍ତ, ସେକ୍ ଗୋଲାମ ଓ ସେକ୍ କାଲୁ ପ୍ରମୁଖ ଦାବି କରିଛନ୍ତି । ଥଇଥାନ କରାନଗଲେ ସଂଘ ପକ୍ଷରୁ ଆସନ୍ତା ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.