Home କେନ୍ଦୁଝର ଆରମ୍ଭ ହେଲା ଆମ୍ବ ପଣସ ଋତୁ, ଗଜରାଜର ଉତ୍ପାତ ବଢ଼ିଲା

ଆରମ୍ଭ ହେଲା ଆମ୍ବ ପଣସ ଋତୁ, ଗଜରାଜର ଉତ୍ପାତ ବଢ଼ିଲା

69

ହାଟଡ଼ିହି, ୩୦ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆରମ୍ଭ ହୋଇଗଲା ଆମ୍ବ ଓ ପଣସ ସମୟ । ଗଜରାଜର ଉତ୍ପାତ ବଢ଼ିଲା । ଆଜିଠାରୁ ଗାଁ ଭିତରକୁ ପସିବା ଆରମ୍ଭ କଲାଣି ଦନ୍ତା । ପ୍ରତିବର୍ଷ ଆମ୍ବ ପଣସ ଋତୁ ଆରମ୍ଭ ହୋଇଗଲେ ହଦଗଡ ହସ୍ତୀ ଅଭୟାରଣ୍ୟ ଭିତରୁ ଦୁଇଟି ହାତୀ ସୋସୋ, କାନପୁର, ନିଉଦାନୀ, ଦନେଇପୁର, ବାଲିବରେଇ, ବାଘୁଆ, ନୁଆଗାଁ ଆଦି ଗ୍ରାମମାନଙ୍କୁ ପସିଆସି ଉତ୍ପାତ ଆରମ୍ଭ କରିଦିଏ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବାଲିବରେଇ ଓ ସୋସୋ ପଞ୍ଚାୟତରେ ଦୁଇଟି ହାତୀଙ୍କ ଉପଦ୍ରବ ଯୋଗୁଁ ଅଞ୍ଚଳର ଲୋକମାନେ ବର୍ଷ ବର୍ଷ ଧରି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଗତ ୪/୫ଦିନ ହେଲା ଗୋଟିଏ ହାତୀ ଅଭୟାରଣ୍ୟ ମଧ୍ୟରୁ ପଳାଇ ଆସି ବାଘୁଆ ତୋଟା ଓ ଦନେଇପୁର ତୋଟାର ରହୁଛି । ଦିନ ନାହିଁ ରାତି ନାହିଁ ହାତୀଟି ବାଘୁଆ ତୋଟା ସହିତ, ସୋସୋ, କାନପୁର, ଦନେଇପୁର ତୋଟା ମାନଙ୍କରେ ନିର୍ଭୟରେ ବିଚରଣ କରୁଥିବାରୁ ଆମ୍ବ ପଣସ ଚାଷୀମାନେ ଭୟରେ ତୋଟା ଭିତରକୁ ଯାଉ ନାହାନ୍ତି । ଗତକାଲି ରାତିରେ ନୁଆଗାଁ ଗ୍ରାମରେ ଗାଁ ଭିତରକୁ ପସି ଆସିଥିଲା । ଏବେଠାରୁ ରଜ ପର ପର୍ଯ୍ୟନ୍ତ ହାତୀମାନେ ଏହି ତୋଟା ଭିତରେ ରହୁଥିବାରୁ ଗତ ଚାରିବର୍ଷ ଧରି ଲଗାତର ଭାବେ ଚାଷୀମାନେ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିଲେବି ବନବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । ଏହି ହାତୀଙ୍କ ଆକ୍ରମଣରେ ଗତବର୍ଷ ଆତୁରିକୋଣା ଗ୍ରାମର ଡାହିସାହିର ଜଣେ ମହିଳା ମୃତ୍ୟୁବରଣ କରିଥିବାବେଳେ ତା ପୁର୍ବବର୍ଷ ତିନିଜଣଙ୍କ ମୃତ୍ୟୁ ଘଟିଥିଲା । ସନ୍ଧ୍ୟାହେଲେ ସୋସୋ, କାନପୁର, ଦନେଇପୁର, ନୁଆଗାଁ, ବାଘୁଆ, ପଢ଼ିଆରିପଲ୍ଲୀ, ନିଉଦାନି ଆଦି ଗ୍ରାମକୁ ହାତୀ ପସିଆସୁଥିବାରୁ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି । ଏ ସମ୍ପର୍କରେ ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କୁ ପଚାରିବାରେ ସେ କହିଥିଲେ ଯେ ଗତକାଲି ପେଟ୍ରୋଲିଂ କରାଯାଇ ହାତୀଟିକୁ ବାଙ୍ଗୋର ନିକଟରୁ ଘଉଡାଇ ଦେବାପରେ ହାତୀଟି ହଦଗଡ ଜଂଗଲ ଭିତରକୁ ପଳାଇ ଯାଇଛି । ଯେହେତୁ ଆମ୍ବ ପଣସ ସିଜିନି ଆସିଲା ତେଣୁ ସେହି ଗୋଟିଏ ଦୁଇଟି ହାତୀ ଆମ୍ବ ପଣସ ଖାଇବାକୁ ଜଂଗଲ ଭିତରୁ ପଳାଇ ଆସୁଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.