Home ଜିଲ୍ଲା ପରିକ୍ରମା ଆମ ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି, ଭଦ୍ରକ ଜିଲ୍ଲାପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆମ ଓଡ଼ିଶା...

ଆମ ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି, ଭଦ୍ରକ ଜିଲ୍ଲାପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ, ୩,୩୩୭ ଟି ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କାର ଅନୁଦାନ

41

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ପ୍ରତିକ୍ଷିତ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ପ୍ରଥମ ଦିନରେ ହିଁ ଭଦ୍ରକ ଜିଲ୍ଲାପାଇଁ ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ୭ଟି ଯାକ ବ୍ଲକ୍ ପାଇଁ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଦତ୍ତ ଅନୁଦାନ ରେ ପ୍ରତି ପଞ୍ଚାୟତକୁ ସଶକ୍ତ କରିବା ପାଇଁ ଆହ୍ୱାନ କରିଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ କାଳରେ ତୃଣମୂଳ ସ୍ତରରୁ ସଂଗୃହୀତ ବିଭିନ୍ନ ଅଭିଯୋଗ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ବିଭିନ୍ନ ପ୍ରକଳ୍ପ ଓ ସେଥିପାଇଁ ମଞ୍ଜୁର କରାଯାଇଥିବା ଅନୁଦାନ ସମ୍ପର୍କରେ ଶ୍ରୀଯୁକ୍ତ ପାଣ୍ଡିଆନ ସୂଚନା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଭଦ୍ରକ ବ୍ଲକ୍‌ର ୩୬ ଗ୍ରାମପଞ୍ଚାୟତକୁ ୫୮୯ ପ୍ରକଳ୍ପ ପାଇଁ ୧୮ କୋଟିଟଙ୍କା, ବାସୁଦେବପୁର ବ୍ଲକ୍ ର ୩୬ ଗ୍ରାମପଞ୍ଚାୟତକୁ ୪୯୫ ଟି ପ୍ରକଳ୍ପ ପାଇଁ ୧୮ କୋଟି ଟଙ୍କା, ଚାନ୍ଦବାଲି ବ୍ଲକ ର ୩୬ ଗ୍ରା.ପ.କୁ ୫୭୮ଟି ପ୍ରକଳ୍ପ ପାଇଁ ୧୮ କୋଟି ଟଙ୍କା, ତିହିଡ଼ି ବ୍ଲକ୍ର, ୩୧ଟି ଗ୍ରା.ପ.କୁ ୪୦୨ ଟି ପ୍ରକଳ୍ପ ପାଇଁ ୧୫ କୋଟି ୫୦ ଲକ୍ଷ ଟଙ୍କା, ବନ୍ତ ବ୍ଲକର ୨୫ ଗ୍ରା.ପ.କୁ ୩୮୩ ପ୍ରକଳ୍ପ ପାଇଁ ୧୨ କୋଟି ୫୦ଲକ୍ଷ ଟଙ୍କା, ଧାମନଗର ବ୍ଲକ୍‌ର ୩୧ ଟି ଗ୍ରା.ପ. ପାଇଁ ୫୦୦ ଟି ପ୍ରକଳ୍ପକୁ ୧୫ କୋଟି ୫୦ ଲକ୍ଷ ଟଙ୍କା, ଭଣ୍ଡାରିପୋଖରୀ ବ୍ଲକ୍‌ର ୨୩ ଗ୍ରା.ପ.କୁ ୩୯୦ ଟି ପ୍ରକଳ୍ପ ପାଇଁ ୧୧ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ନେଇ ଘୋଷଣା କରାଯାଇଥିଲା । ସମସ୍ତଙ୍କୁ ସମ୍ମାନ ସମସ୍ତଙ୍କ ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅନୁମୋଦିତ ଅର୍ଥକୁ ସ୍ୱଚ୍ଛତାର ସହ ବ୍ୟୟ କରି ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସବୁର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା ।

ଏଥିପାଇଁ ପ୍ରତି ବ୍ଲକରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମହାସମାରୋହରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭଦ୍ରକ ବ୍ଲକ୍ ତଥା ଭଦ୍ରକ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ସଂଜୀବ କୁମାର ମଲ୍ଲିକ୍‌, ବାସୁଦେବପୁର ପାଇଁ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ପାଇଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ପାଇଁ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ପାଇଁ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳପ କରିବାସହ ଭଦ୍ରକର ବିକାଶ ଦିଗରେ ଅନୁମୋଦିତ ପ୍ରକଳ୍ପ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ । ବନ୍ତବ୍ଲକ୍ ପାଇଁ ସରପଞ୍ଚ ଅଶୋକ କୁମାର ସାହୁ ଓ ତିହିଡ଼ି ବ୍ଲକ୍ ପାଇଁ ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ, ପଙ୍କଜିିନୀ ଲେଙ୍କା ଓ ଯଶୋଦା ମଲ୍ଲିକ୍ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଜିଲ୍ଲାବାସୀ ଓ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଜିଲ୍ଲାର ଏହି ମହାସମାରୋହରେ ଯୋଗ ଦେଇଥିବା ସମସ୍ତ ବିଧାୟକ, ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ, ୱାର୍ଡ଼ମେମ୍ବର, ନିୟୋଜିତ ପ୍ରଶାସନିକ ଅଧୀକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟକି ପ୍ରତି ବ୍ଲକ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ସଂପୃକ୍ତ ବି.ଡ଼ି.ଓ., ତହସିଲଦାରମାନେ ଦାୟିତ୍ୱ ନିର୍ବାହ କରିଥିଲାବେଳେ ଜିଲ୍ଲା ପ୍ରଶାସନ ତରଫରୁ ଜଣେ ଜଣେ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା । ତିହିଡ଼ି ପାଇଁ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଧାମନଗର ପାଇଁ ଅତିରିକ୍ତ ସି.ଡ଼ି.ଓ କୁଶଳ ଚନ୍ଦ୍ର ନାଏକ, ବାସୁଦେବପୁର ପାଇଁ ସି.ଡ଼ି.ଓ ସରୋଜ କୁମାର ଦତ୍ତ, ଚାନ୍ଦବାଲି ପାଇଁ ଉପଜିଲ୍ଲାପାଳ ମନୋଜ ପାତ୍ର, ଭଣ୍ଡାରିପୋଖରୀ ପାଇଁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି, ବନ୍ତ ପାଇଁ ଡେପୁଟୀ କଲେକ୍ଟର କାର୍ତ୍ତିକନାଥ ମଣ୍ଡଳଙ୍କୁ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ପାଇଁ ତଦାରଖ କରିବା ଦାୟିତ୍ୱ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.