Home ଜିଲ୍ଲା ପରିକ୍ରମା ଆମର ଧ୍ୟେୟ କାର୍ଯ୍ୟରେ ରୂପାନ୍ତରିତ ହେବା ଆବଶ୍ୟକ: ଆରଏସପିର ସିଇଓ

ଆମର ଧ୍ୟେୟ କାର୍ଯ୍ୟରେ ରୂପାନ୍ତରିତ ହେବା ଆବଶ୍ୟକ: ଆରଏସପିର ସିଇଓ

98

ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : “ସୁରକ୍ଷା ସନ୍ଦର୍ଭରେ ଆମର ଧ୍ୟେୟ କାର୍ଯ୍ୟରେ ରୂପାନ୍ତରିତ ହେବା ଆବଶ୍ୟକ। ଆସନ୍ତୁ ଏକ ଶପଥ ନେବା ଯେ, ମୁଁ କୌଣସି ଅସୁରକ୍ଷିତ କାର୍ଯ୍ୟ କରିବି ନାହିଁ ଏବଂ ଅନ୍ୟକୁ ମଧ୍ୟ ଏଭଳି କାର୍ଯ୍ୟରୁ ନିବୃତ୍ତ କରାଇବି, ” ବୋଲି ରାଉରକେଲା ଇସ୍ପାତ କାରଖାନାର ସୁରକ୍ଷା ଇଞ୍ଜିନିୟରିଂ ବିଭାଗ ଦ୍ଵାରା ସିପିଟିଆଇ ଠାରେ ଅଗଷ୍ଟ ୨୧ ତାରିଖରେ ବିଦ୍ୟୁତ ସୁରକ୍ଷା ସନ୍ଦର୍ଭରେ ଆୟୋଜିତ ଏକ କର୍ମଶାଳାରେ ଉଦବୋଧନ ଦେଇ ଆରଏସପିର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ଓଡିଶା ସରକାରଙ୍କ ଫେକ୍ଟୋରି ଓ ବୟଲର ବିଭାଗର ଉପନିର୍ଦ୍ଦେଶକ, ଶ୍ରୀ ଏ ନାୟକ, ସହାୟକ ନିର୍ଦ୍ଦେଶକ, ଶ୍ରୀ ଏମ କେ ମିଶ୍ର, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଗୌତମ ବାନର୍ଜୀ, ଆରଏସପିର ଜିଏମ ଇଲେକ୍ଟ୍ରିକଲ, ଶ୍ରୀ ଏସ ଚକ୍ରବର୍ତ୍ତୀ ଏବଂ ଅଗ୍ନିଶମ, ସୁରକ୍ଷା ଓ ପରିବେଶ ବିଭାଗର ଡ଼ିଜିଏମ ଇନ ଚାର୍ଜ, ଶ୍ରୀ ଏସ ଆଚାର୍ଯ୍ୟ ମଞ୍ଚାସୀନ ଥିଲେ।

ସୁରକ୍ଷା ସନ୍ଦର୍ଭରେ ଯଥାର୍ଥ ମନୋଭାବ ପୋଷଣ ଉପରେ ଗୁରୁତ୍ଵାରୋପ କରି ସିଇଓ ଆହୁରି ମଧ୍ୟ କହିଥିଲେ ଯେ, “ମନୋଭାବ ସମସ୍ତ କାର୍ଯ୍ୟର ଚାଳକ ଅଟେ। ଆମେ ମାନସିକତାରେ ପରିବର୍ତ୍ତନ ଆଣି ସକରାତ୍ମକ ଅଭିପ୍ରାୟର ସହିତ କାର୍ଯ୍ୟ କଲେ ହିଁ ନିୟମାବଳୀ, ନିୟନ୍ତ୍ରଣ, ବ୍ୟବସ୍ଥା ଏବଂ ସମସ୍ତ ପ୍ରଣାଳୀର ଆକାଙ୍ଖିତ ଫଳାଫଳ ମିଳିପାରିବ।” ସୁରକ୍ଷାକୁ ଅଧିକ ସୁଦୃଢ କରିବା କ୍ଷେତ୍ରରେ ଆରଏସପି ସାମୁଦାୟିକଙ୍କ ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଚଟ୍ଟରାଜ କହିଥିଲେ ଯେ, “ଆମ ସୁରକ୍ଷା ରେକର୍ଡ ମଧ୍ୟ ଆମର ଉତ୍କୃଷ୍ଟ ଉତ୍ପାଦନ ପ୍ରଦର୍ଶନର ସମାନୁରୂପ ହେବା ଆବଶ୍ୟକ। ଏହା ଆମ୍ଭ କାରଖାନାର ଭବିଷ୍ୟତ ସମ୍ପ୍ରସାରଣର ମାର୍ଗ ପ୍ରଶସ୍ତ କରିବ।” ଆରଏସପିକୁ ଦୁର୍ଘଟଣା ମୁକ୍ତ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା ନିମନ୍ତେ ସେ ସମସ୍ତଙ୍କୁ ଆହ୍ଵାନ ଜଣାଇଥିଲେ।

ଶ୍ରୀ ନାୟକ ନିଜର ଅଭିଭାଷଣରେ କହିଥିଲେ ଯେ, ଆରଏସପି ଅନ୍ୟ କାରଖାନା ଓ ପ୍ରତିଷ୍ଠାନ ନିମନ୍ତେ ସୁରକ୍ଷା ସନ୍ଦର୍ଭରେ ଏକ ଆଦର୍ଶ ହେବା ଉଚିତ। ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତଙ୍କର ସହଭାଗିତା ଓ ସହଯୋଗ ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ସେ କର୍ମଚାରୀମାନଙ୍କୁ ମାତ୍ରାଧିକ ଆତ୍ମବିଶ୍ଵାସ ଏବଂ ଅସାବଧନତା ଏଡେଇବା ତଥା ପୂର୍ବ ତୃଟିରୁ ଶିକ୍ଷା ଗ୍ରହଣ କରିବା ପାଇଁ ଆହ୍ଵାନ ଜଣାଇଥିଲେ।

ନିଜର ବକ୍ତବ୍ୟରେ ଶ୍ରୀ ମିଶ୍ର କହିଥିଲେ ଯେ, ସର୍ବାଧିକ ନିଯୁକ୍ତି ଦାତା ତଥା ଓଡିଶାର ଶିଳ୍ପ କୋଣାର୍କ ରୂପେ ବିଦିତ ଆରଏସପି ଓଡିଶା ସରକାରଙ୍କ ଭିଜନ ଶୂନ୍ୟ ତତ୍ତ୍ଵ ସାକାର କରିବା ପାଇଁ ଅଧିକ ବୃହତ୍ତର ଭୂମିକା ଗ୍ରହଣ କରିବା ଆବଶ୍ୟକ। ଦୁର୍ଘଟଣା ଏଡେଇବା ନିମନ୍ତେ ଇଞ୍ଜିନିୟରିଂ, ଏଜୁକେସନ ଏବଂ ଏନଫୋର୍ସମେଣ୍ଟର କାର୍ୟ୍ୟାନ୍ୱୟନ ଉପରେ ସେ ଗୁରୁତ୍ଵାରୋପ କରିଥିଲେ। କାରଖାନାରେ ଏଭଳି ଏକ କର୍ମଶାଳାର ଆୟୋଜନ ନିମନ୍ତେ ସେ ଆରଏସପିର ସିଇଓଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ନିଜର ବକ୍ତବ୍ୟରେ ଶ୍ରୀ ବାନାର୍ଜୀ କହିଥିଲେ ଯେ, ଆରଏସପି ପ୍ରବନ୍ଧନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛି ଏବଂ କାରଖାନାରେ ପ୍ରତ୍ୟେକ କାର୍ଯ୍ୟ ସୁରକ୍ଷା ଉପରେ ଆଲୋଚନା ସହିତ ଆରମ୍ଭ ହେଉଛି। ବିଦ୍ୟୁତ ସୁରକ୍ଷା ଉପରେ ଆୟୋଜିତ ଏହି ଅନନ୍ୟ କାର୍ଯ୍ୟକ୍ରମରୁ ସର୍ବାଧିକ ଲାଭ ନେବା ପାଇଁ ସେ ସମସ୍ତଙ୍କୁ ଆହ୍ଵାନ ଜଣାଇଥିଲେ।

ଶ୍ରୀ ଚକ୍ରବର୍ତ୍ତୀ ନିଜର ବକ୍ତବ୍ୟରେ ବିଦ୍ୟୁତ ଜନିତ କାର୍ଯ୍ୟ ନିମନ୍ତେ ସଠିକ କର୍ମଚାରୀଙ୍କ ମୁତୟନ ତଥା ସୁରକ୍ଷିତ ରୂପେ କାର୍ଯ୍ୟ କରିବା ନିମନ୍ତେ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଓ କର୍ମଶାଳା ଆୟୋଜନ ଉପରେ ଗୁରୁତ୍ଵ ଆରୋପ କରିଥିଲେ।

ଶ୍ରୀ ଆଚାର୍ଯ୍ୟ ନିଜର ସ୍ଵାଗତ ଅଭିଭାଷଣରେ ସୁରକ୍ଷା ପ୍ରବନ୍ଧନକୁ ନିରବଚ୍ଛିନ୍ନ ପ୍ରକ୍ରିୟା ରୂପେ ଅଭିହିତ କରିଥିଲେ ଏବଂ ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ସୁରକ୍ଷା ଇଞ୍ଜିନିୟରିଂ ବିଭାଗର ଡ଼ିଜିଏମ ଇନ ଚାର୍ଜ, ଶ୍ରୀ ଏସ ସି ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କର୍ମଶାଳାରେ କାରଖାନାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୧୦୦ ଜଣ କର୍ମଚାରୀ ତଥା ଠିକା ଶ୍ରମିକ ଭାଗ ନେଇଥିଲେ। ସିପି-୨ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ସୁଶ୍ରୀ ଅଙ୍କିତା ବିଲୁଙ୍ଗ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.