Home କେନ୍ଦୁଝର ଆବାସ ଯୋଜନା ଅନୁଦାନ ଅର୍ଥ ମିଳୁନି, ନିରାଶ ହେଲେଣି ହିତାଧିକାରୀ

ଆବାସ ଯୋଜନା ଅନୁଦାନ ଅର୍ଥ ମିଳୁନି, ନିରାଶ ହେଲେଣି ହିତାଧିକାରୀ

106

ହାଟଡିହି- ୩୧ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସରକାର ଗରିବ ହିତାଧିକାରୀଙ୍କୁ ବାସଗୃହ ଯୋଜନାରେ ସାମିଲ କରି ସେମାନେ କିଭଳି ଶିଘ୍ର ଘରକାମ ସାରିବେ ସେନେଇ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇ ବୈଠକ ଉପରେ ବୈଠକ କରି ସମୀକ୍ଷା କରୁଛନ୍ତି । କିନ୍ତୁ ହାଟଡିହି ବ୍ଲକରେ କିଛି କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ଯୋଜନାରେ ହିତାଧିକାରୀ ମାନେ ଘରକରି ନାନା ହଇରାଣ ହେଉଛନ୍ତି । ଆଜି ଏନେଇ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମର ଜଣେ ହିତାଧିକାରୀ ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । । ଅଭିଯୋଗକାରୀ ଶିବନାରାୟଣପୁର ଗ୍ରାମର କାର୍ତ୍ତିକ ମହାନ୍ତି ଗତ ୨୦୨୦/୨୧ରେ ବିଜୁ ପକ୍କାଘର ଯୋଜନାରେ ଘର ଖଣ୍ଡିଏ ପାଇଥିବାବେଳେ ତାଙ୍କୁ ପ୍ରଥମ କିସ୍ତି ୨୦ହଜାର ଟଙ୍କା ମିଳି ନଥିଲା । ସେ ବାରମ୍ବାର ବ୍ଳକକୁ ଦୌଡିବାପରେ ତାଙ୍କ ଅନୁଦାନ ଟଙ୍କା ଗିରିଗାଁ ଗ୍ରାମର କାର୍ତ୍ତିକ ଜେନାଙ୍କ ଏକାଉଣ୍ଟକୁ ପଳାଇଥିବା ଜଣାପଡିବାପରେ ବହୁ କଷ୍ଟକରି ଦୀର୍ଘଦିନ ଦୌଡା ଦୌଡି କରିବାପରେ ତାଙ୍କ ଏକାଉଣ୍ଟକୁ ଏହି ଟଙ୍କା ଫେରସ୍ତ ଅଣାଯାଇଥିଲା । ପ୍ରଥମ କିସ୍ତି ମିଳିବାପରେ କାର୍ତ୍ତିକ ଘରକାମ ଆରମ୍ଭ କରିଥିଲେ । ପରେ କାମର ଅଗ୍ରଗତି ଦେଖିବାପରେ ତାଙ୍କୁ ଦ୍ୱିତୀୟ କିସ୍ତି ବାବଦକୁ ୩୫ହଜାର ଟଙ୍କା ମିଳିଥିଲା । ଏହି ଟଙ୍କାରେ ସେ ଘରର ଛାତ ପର୍ଯ୍ୟନ୍ତ କାମ ସାରିଦେଇଥିବା ବେଳେ ଏବେ ଛାତ ପକାଇବା କାମ ବାକି ଅଛି । ତାଙ୍କୁ ତୃତୀୟ କିସ୍ତି ଅନୁଦାନ ଯୋଗାଇଦେବାକୁ ଥିବାବେଳେ ତିନି ମାସ ହେଲା ତାଙ୍କ ଘରର ଫଟୋ ଉଠାଇ ଆଣିଥିଲେ ମଧ୍ୟ ତାଙ୍କୁ ତୃତୀୟ କିସ୍ତି ଟଙ୍କା ଦିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଅନଲାଇନରେ ତାଙ୍କ ଘର କାମ ସମ୍ପୁର୍ଣ୍ଣ ହୋଇଯାଇଛି ବୋଲି ମଧ୍ୟ ଦର୍ଶାଯାଇଛି । ସେ ଘରର ଛାତ ପକାଇ ନଥିବାବେଳେ କିପରି ତାଙ୍କ ଘରକାମ ସରିଗଲା ସେନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ ଏବେ ବାଡିରେ ଝୁମ୍ପୁଡିଟିଏ କରି ରହୁଥିବାବେଳେ ଆଗକୁ ବର୍ଷା ଦିନ ଆସୁଥିବାରୁ ସେ କିପରି ପରିବାର ନେଇ ସେଠାରେ ଚଳିବେ ସେନେଇ ଆଶଙ୍କାରେ ଦିନ କାଟୁଛନ୍ତି । ଅନ୍ୟପକ୍ଷରେ ତାଙ୍କ ଗ୍ରାମରେ୧୦ରୁ ଉର୍ଦ୍ଧ ଅଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ପୁର୍ବରୁ ପକ୍କାଘର ଥିଲେ ମଧ୍ୟ ପୁନର୍ବାର ଘର ଯୋଗାଇ ଦିଆଯାଇଛି ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସେ ଏନେଇ ବିଡିଓଙ୍କୁ ଏକ ଦାବିପତ୍ର ଦେବାସହ କେନ୍ଦୁଝର ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରୀ, ଆନନ୍ଦପୁର ଉପଜିଲ୍ଲାପାଳ ପ୍ରମୁଖଙ୍କୁ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.