Home ଜିଲ୍ଲା ପରିକ୍ରମା ଆଧାରକାର୍ଡ଼ ପାଇଁ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ଭିନ୍ନକ୍ଷମ

ଆଧାରକାର୍ଡ଼ ପାଇଁ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ଭିନ୍ନକ୍ଷମ

27

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ଆଧାରକାର୍ଡ଼ ବିନା କୌଣସି କାର୍ଯ୍ୟ କରିବା ଅସମ୍ଭବ। ଭତ୍ତା ପାଇବା, ରାସନ୍ ସାମଗ୍ରୀ ପାଇବା, ବ୍ୟାଙ୍କ ମାନଙ୍କରେ ଖାତା ଖୋଲିବା ଠାରୁ ଆରମ୍ଭ କରି ମୋବାଇଲ ସିମ୍ ପର୍ଯ୍ୟନ୍ତ ହେଉ, କିମ୍ଭା କୌଣସି ସରକାରୀ ଯୋଜନାର ସୁଫଳ ପାଇବାକୁ ହେଉ। ସବୁ କ୍ଷେତ୍ରରେ ଆଧାରକାର୍ଡ଼ ବାଧ୍ୟତା ମୂଳକ ଭାବେ ନିଆଯାଉଛି। ଯାହାକୁ ନେଇ ବହୁ ସମୟରେ ନାନାଦି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ଆଧାରକାର୍ଡ଼ ସେଣ୍ଟର ତଥା- ଜନସେବା କେନ୍ଦ୍ର, ବ୍ଲକ ଆଧାର ସେଣ୍ଟର, ପୋଷ୍ଟ ଅଫିସ ଆଧାର ସେଣ୍ଟର ଏବଂ ବ୍ୟାଙ୍କ ଆଧାର ସେଣ୍ଟର ମାନଙ୍କରେ ଭିଡ଼ ପ୍ରାୟ ସବୁ ଦିନ ଦେଖିବାକୁ ମିଳୁଛି। କୌଣସି ନା କୌଣସି ସମସ୍ୟାକୁ ନେଇ ଲୋକେ ଆଧାର ସେଣ୍ଟର ଆସୁଛନ୍ତି। ତେବେ ସବୁଠାରୁ ଅଧିକ ସମସ୍ୟା ଭୋଗୁଛନ୍ତି ଭିନ୍ନକ୍ଷମ ଲୋକ। ସେମାନଙ୍କ ଆଧାରକାର୍ଡ଼ ସହଜରେ ଅପଡେଟ୍ ହୋଇନପାରିବା ଯୋଗୁଁ ସେମାନେ ନାନାଦି ସମସ୍ୟା ଭୋଗୁଛନ୍ତି। ଏମିତିକି ସେମାନେ ପାଉଥିବା ସରକାରୀ ସୁବିଧା ମଧ୍ୟ ଧିରେ ଧିରେ ବନ୍ଦ ହେବାକୁ ଲାଗିଲାଣି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଗେଲପୁର ପଞ୍ଚାୟତରେ। ଏହି ପଞ୍ଚାୟତର ଗେଲପୁର ଗ୍ରାମର ଭିନ୍ନକ୍ଷମ ଯୁବକ ଶରତ ଦାସ ଏବେ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ରହିଛନ୍ତି। ସେ ଦୀର୍ଘ ୪ମାସ ହେଲା ରାସନ ସାମଗ୍ରୀ ପାଇପାରୁ ବଞ୍ଚିତ ରହିଛନ୍ତି। ଏ ବିଷୟରେ ଆମେ ରାସନ୍ ଦାଇତ୍ୱରେ ଥିବା ଏମ୍‌ଆଇଙ୍କ ସହ ଯୋଗାଯୋଗ କରିବାରୁ ଶରତ ଦାସଙ୍କର ଆଧାର ଅପ୍‌ଡେଟ୍ ନଥିବାରୁ ସେ ରାସନ୍ କାର୍ଡ଼ କଟିଯାଇଛି ଆଉ ସେ ରାସନ୍ ଚାଉଳ ପାଇବେ ନାହିଁ ବୋଲି କହିଛନ୍ତି। ଏପଟେ ଶରତ ଦୀର୍ଘ ବର୍ଷ ହେଲାଣି ଆଧାର କାର୍ଡ଼ ସଂସୋଧନ ପାଇଁ ଆଧାର ସେଣ୍ଟର ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି। ତଥାପି ତାଙ୍କର ଆଧାର କାର୍ଡ଼ ସଂସୋଧନ ହୋଇପାରୁ ନାହିଁ। ଆଧାର ସଂସୋଧନ ହୋଇନପାରିବା ଯୋଗୁଁ ତାଙ୍କର ରାସନ୍ କାର୍ଡ଼ରୁ ନାମ କଟିଯାଇଛି। ଯାହା ଫଳରେ ସେ ସିଧାସଳଖ ଏହାର ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛନ୍ତି। ପୁର୍ବରୁ ଅନେକ ଭିନ୍ନକ୍ଷମ ବ୍ୟକ୍ତି ହୁଅନ୍ତୁ କି ପିଲା, ସେମାନେ ଆଧାର କରିଥିବା ବେଳେ ଏବେ ଅନେକାଂଶରେ ସେ ଆଧାରକାର୍ଡ଼ କାମ ଦେଉନାର୍ହି। ଭତ୍ତା, ରାସନ୍ ସାମଗ୍ରୀ କିମ୍ଭା ବ୍ୟାଙ୍କ ମାନଙ୍କରେ କେୱାଇସି ଅପଡେଟ୍ ପାଇଁ ଆଖି କିମ୍ଭା ହାତ ଟିପ ଚିହ୍ନ ନନେବା କାରଣରୁ ସେମାନେ ନାନାଦି ଅନୁବିଧା ଭୋଗୁଛନ୍ତି। ସେମାନଙ୍କ ପାଇଁ ସରକାର କିମ୍ଭା ପ୍ରଶାସନ ପକ୍ଷରୁ କୌଣସି ସୁବିଧା ମଧ୍ୟ ଯୋଗାଇ ଦିଆଯାଉନାହିଁ। ଫଳରେ ରାସନ୍ ଚାଉଳ ଠାରୁ ଆରମ୍ଭ କରି ସରକାରୀ ସୁବିଧା ପାଇବାକୁ ସେମାନଙ୍କୁ ଅସୁବିଧା ହେଉଛି। ଅନେକ ଭିନ୍ନକ୍ଷମ ପିଲାଙ୍କର ରାସନ୍ କାର୍ଡ଼ ମଧ୍ୟ କଟିଗଲାଣି। ଆଧାର କାର୍ଡ଼ ଏବେ ସମାଜପାଇଁ ବେଶ ଗୁରୁତ୍ୱ ପୁର୍ଣ୍ଣ ଭୁମିକା ନେଇଛି। ବିଦ୍ୟାଳୟରେ ନାମଲେଖା ଠାରୁ ଆରମ୍ଭ କରି ବ୍ୟାଙ୍କ ପାସ୍‌ବୁକ୍ ଖୋଲିବା, ଗ୍ୟାସ ସଂଯୋଗଠୁ ଭୋଟର ତାଲିକା, ପ୍ରାୟ ସମସ୍ତ କ୍ଷେତ୍ରରେ ଏହାକୁ ବାଧ୍ୟତା ମୁଳକ କରାଯାଇଛି। ହେଲେ ଆଧାରକାର୍ଡ଼ରେ ଦେଖାଯାଉଥିବା ବ୍ୟାପକ ତ୍ରୃଟି କାରଣରୁ ଆଙ୍ଗୁଳି ଛାପ ଓ ଆଖି ସ୍କାନିଙ୍ଗ ଷ୍ପଷ୍ଟ ଭାବେ ହୋଇପାରୁନଥିବାରୁ କାର୍ଡ଼ଧାରୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ପ୍ରାୟ ୪୦ପ୍ରତିଶତ ଆଧାରକାର୍ଡ଼ରେ କିଛିନା କିଛି ତୃଟି ବାହାରୁ ଥିବା ଦେଖିବାକୁ ମିଳୁଛି। ବ୍ୟକ୍ତିଗତ ନାମଠାରୁ ଆରମ୍ଭ କରି ପରିବାର ବର୍ଗଙ୍କ ନାମ, ବୟସ ଏବଂ ବନାନଗତ ତ୍ରୃଟି ପରି ବିଭିନ୍ନ ସମସ୍ୟା ଦେଖାଦେଇଛି। ଏହାକିପରି ସଂସୋଧନ ହେବ ସେଥିନେଇ ବ୍ୟବସ୍ଥା ମଧ୍ୟ ରହିଛି। ସେହିପରି ନିଜ ଫୋନ୍ ନମ୍ବର ସହିତ ଆଧାର ସଂଯୋଗ ମଧ୍ୟ ଜରୁରୀ ହୋଇପଡ଼ିଛି। ସହରାଞ୍ଚଳରେ ଏହି ସୁବିଧା ସହଜରେ ମିଳିପାରୁଥିଲେ ମଧ୍ୟ ଗ୍ରାମାଞ୍ଚଳ ମାନଙ୍କରେ ଏହାର ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ମାତ୍ର ସହରରେ ଯେତିକି ଆଧାର କେନ୍ଦ୍ର ରହିଛି ତାହା ପର୍ଯ୍ୟାପ୍ତ ନୁହେଁ। ଫଳରେ ଏହାକୁ ନେଇ କାର୍ଡ଼ଧାରୀଙ୍କ ମଧ୍ୟରେ ବହୁ ଆଶଙ୍କା ସୃଷ୍ଟି ହେଉଛି। କାର୍ଡ଼କୁ ସଂଶୋଧନ କରିବାକୁ ଯାଇ ଲୋକମାନେ ଏଣେତେଣେ ଘୁରିବୁଲୁଛନ୍ତି। ସହରରେ ଆଧାର କେନ୍ଦ୍ର ଆଗରେ ଲମ୍ବାଲାଇନ୍ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ପୁର୍ବରୁ ଆଧାର ପ୍ରସ୍ତୁତ ପାଇଁ କେତେକ ଠିକା କମ୍ପାନିଙ୍କୁ ଦାଇତ୍ୱ ଦିଆଯାଇଥିଲା। କମ୍ପାନି କର୍ତ୍ତୁପକ୍ଷ ମଧ୍ୟ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ ପାଇଁ ବିଭିନ୍ନ ସ୍ଥାନ ମାନଙ୍କରେ ପୁର୍ବ ସୂଚନା ମୁତାବକ କ୍ୟାମ୍ପ ଖୋଲିଥିଲେ। ହେଲେ ଏହି ପ୍ରକ୍ରୀୟା ଅନେକାଶଂରେ ଭୁଲ ସାବ୍ୟସ୍ଥ ଥିବା ଅଭିଯୋଗ ହୋଇଥିଲା। ଅନଭିଜ୍ଞ ଡାଟାଏଣ୍ଟ୍ରୀ ଅପରେଟରଙ୍କ ପାଇଁ ପରବର୍ତ୍ତି ସମୟରେ ଅଧିକାଂଶ କାର୍ଡ଼ରେ ତୃଟି ପରିଲିକ୍ଷିତ ହୋଇଥିଲା। ଏହାର ବ୍ୟବହାର ବାଧ୍ୟତା ମୁଳକ ହୋଇଥିବାରୁ କିପରି ନିର୍ଭୁଲ ଆଧାରକାର୍ଡ଼ ମିଳିପାରିବ ଓ ତ୍ରୃଟି ଯୁକ୍ତ କାର୍ଡ଼ର ସଂଶୋଧନ ହୋଇପାରିବ, ସେ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି। କାରଣ କାର୍ଡ଼ରେ ଥିବା ତ୍ରୃଟିକୁ ସଂଶୋଧନ କରିବାକୁ ଯାଇ ବହୁ କାର୍ଡ଼ଧାରୀ ସହରରେ ଥିବା କେତେକ ଜନସେବା କେନ୍ଦ୍ରଦ୍ୱାରା ଶୋଷଣର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ତେବେ ଆଧାରକୁ ନେଇ ସବୁଠାରୁ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି ଭିନ୍ନକ୍ଷମ। ତେଣୁ ଆଧାରଜନିତ ସମସ୍ୟାର ସମାଧାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ସହ ଭିନ୍ନକ୍ଷମ ମାନଙ୍କ ପାଇଁ କୌଣସି ନୂତନ ବ୍ୟବସ୍ଥା ପାଇଁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.