Home କନ୍ଧମାଳ ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ...

ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ ଠପ

18

କନ୍ଧମାଳ, ୧୫/୦୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଧ୍ୟୁଷିତ ଏବଂ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଜିଲ୍ଲାରେ ଦିନ ଦିନ ଧରି ବିଏସ୍‌ଏନ୍‌ଏଲ୍‌ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ସମେତ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ସେବା କାର୍ଯ୍ୟ କରୁନି। ଜିଲ୍ଲାର ଅଧିକାଂଶ ବ୍ଲକ‌୍‌ରେ କ୍ରମାଗତ ଭାବେ ନେଟ୍‌ୱର୍କ ରହୁ ନଥିବାରୁ ମୋବାଇଲ୍‌ସେବା ବ୍ୟାହତ ହୋଇପଡ଼ିଛି। ଦିନତମାମ ସମଗ୍ର ଫିରିଙ୍ଗିଆ ବ୍ଲକ୍‌, ଫୁଲବାଣୀ ସଦର, ରାଇକିଆ, କ. ନୂଆଗାଁ ଓ ବାଲିଗୁଡା ବ୍ଲକ୍‌ରେ ବିଏସ୍‌ଏନ୍‌ଏଲ୍‌ନେଟ୍‌ୱର୍କ ଫେଲ୍‌ହୋଇ ପଡ଼ିଥିବାରୁ ମୋବାଇଲ ସେବା ଠପ୍‌ହୋଇ ଯାଇଥିଲା। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରୁ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଭଲ ରାସ୍ତା ନଥିବା ବେଳେ ବିପର୍ଯ୍ୟସ୍ତ ବିଏସ୍‌ଏନ୍‌ଏଲ୍‌ସେବା ବୋଝ ଉପରେ ନଳିତା ବିଡ଼ା ଭଳି ପରିସ୍ଥିତି ସୃଷ୍ଟି କରିଛି। ଏହାଯୋଗୁଁ ବିଭିନ୍ନ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହୋଇଛି।

ବିଏସ୍‌ଏନ୍‌ଏଲ୍‌ସେବା ଠପ୍‌ହୋଇଯାଇ ଥିବାରୁ ବିଶେଷ କରି ସ୍ବାସ୍ଥ୍ୟ ସେବା ଉପରେ ଏହାର କୁପ୍ରଭାବ ପଡ଼ିଛି। ମୋବାଇଲରେ ନେଟ୍‌ୱର୍କ ରହୁ ନଥିବାରୁ ଦୁର୍ଗମ ଅଞ୍ଚଳବାସୀ ଆମ୍ବୁଲାନ୍‌ସକୁ ଖବର ଦେଇ ନପାରି ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି। ଦେଶର ସର୍ବବୃହତ୍‌ଟେଲି ଯୋଗାଯୋଗ ସଂସ୍ଥା ବିଏସ୍‌ଏନ୍‌ଏଲ୍‌କନ୍ଧମାଳ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମାତ୍ର ୬୦ ପ୍ରତିଶତ ‌ମୋବାଇଲ୍‌ସେବା ଯୋଗାଇ ଦେବାରେ ସମର୍ଥ ହୋଇଛି। କେନ୍ଦ୍ର ସରକାର ପ୍ରତି ପଞ୍ଚାୟତକୁ ଇଣ୍ଟରନେଟ୍‌ସେବା ଯୋଗାଇ ଦେବା କଥା କହୁଥିବା ବେଳେ କନ୍ଧମାଳ ଜିଲ୍ଲାର ୧୭୧ଟି ପଞ୍ଚାୟତକୁ ଇଣ୍ଟରନେଟ୍‌ସେବା ଦିବା ସ୍ବପ୍ନ ଭଳି ମନେ ‌ହେଉଛି।ବିଏସ୍‌ଏନ୍‌ଏଲ୍‌ବିଭାଗର ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରେ ମାତ୍ର ୧୪୨ଟି ଟାୱାର୍‌ରହିଛି। ସେଥିମଧ୍ୟରୁ ଜିଲ୍ଲା ପ୍ରଶାସନ ସହଯୋଗରେ ୧୬ଟି ମିନି ଟାୱାର୍‌ନିର୍ମାଣ କରାଯାଇଛି। ଗତ ଦୁଇବର୍ଷ ହେଲା ଜିଲ୍ଲାରେ ଆଦୌ ନୂଆ ଟାୱାର୍‌ପ୍ରତିଷ୍ଠା ହୋଇନାହିଁ। ଜିଲ୍ଲାରେ ଆଉ ୫୦ଟି ନୂଆ ବିଏସ୍‌ଏନ୍‌ଏଲ୍‌ଟାୱାର୍‌ସ୍ଥାପନ ହେବବୋଲି ଗତବର୍ଷ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ମାତ୍ର, ଏହା କେବଳ ଘୋଷଣାରେ ରହିଯାଇଛି। ଏନେଇ ଫୁଲବାଣୀ ବିଏସ୍‌ଏନ୍‌ଏଲ୍‌ଟେଲିକମ୍‌ଏସ୍‌ଡିଓ ମନୋଜ କୁମାର ପଟ୍ଟନାୟକଙ୍କ ସହ ଯୋଗାଯୋଗ କରା ଯାଇଥିଲା। ଜିଲ୍ଲାର ୧୭୧ଟି ପଞ୍ଚାୟତରୁ ୧୫୧ଟିରେ ଇଣ୍ଟରନେଟ୍‌ସୁବିଧା ଅଛି ବୋଲି ଶ୍ରୀ ପଟ୍ଟନାୟକ କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା ସତ୍ୟ ଭଳି ମନେ ହେଉନାହିଁ। ଫୁଲବାଣୀ, ବାଲିଗୁଡ଼ା ଭଳି ସଦର ମହକୁମାକୁ ଛାଡ଼ିଦେଲେ ବାକି ଦୁର୍ଗମ ବ୍ଲକ୍‌ରେ ଅଧିକାଂଶ ସମୟ ମୋବାଇଲ୍‌ନେଟ୍‌ୱର୍କ ରହୁନ‌ାହିଁ। ଇଣ୍ଟରନେଟ୍‌ସେବା କଥା କଳ୍ପନା କରିବା ବୃଥ‌ା।ଅପରପକ୍ଷେ, ଜିଲ୍ଲାରେ ୨୧ଟି ନୂଆ ଟାୱାର୍‌ନିର୍ମାଣ ପାଇଁ ଜମି ଓ ଘର ଏଗ୍ରିମେଣ୍ଟ ସରିଥିବାବେଳେ ୩ ବର୍ଷ ହେଲା ଟାୱାର୍‌ନିର୍ମାଣ ପାଇଁ ଯନ୍ତ୍ରାଂଶ ଆସିପାରୁ ନାହିଁ। ଆସନ୍ତା ମାର୍ଚ୍ଚ ସୁଦ୍ଧା ଯନ୍ତ୍ରାଂଶ ଆସିବା ସମ୍ଭାବନା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ମୋବାଇଲ ସେବା ଠପ୍‌ହୋଇଯିବା କାରଣରୁ ପୁଲିସ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଗ୍ରାମାଞ୍ଚଳର ଥାନାଗୁଡ଼ିକ ସହ ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଫୁଲବାଣୀ ସହରରେ ଅଧିକାଂଶ ସମୟରେ ଇଣ୍ଟରନେଟ୍‌ସେବା ବାଧାପ୍ରାପ୍ତ ହେଉଛି। ଏଥିଯୋଗୁଁ ଟେଲି ଯୋଗାଯୋଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆଗାମୀ ଦିନରେ ଟେଲି ଯୋଗାଯୋଗ ସେବାକୁ ସ୍ବାଭାବିକ କରା ନଗଲେ ଆନ୍ଦୋଳନ ଜୋର୍‌ଦାର୍‌କରାଯିବ ବୋଲି ବିଶିଷ୍ଟ ଶ୍ରମିକ ନେତା ତଥା ଏଆଇସିସି ସଦସ୍ୟ ଘନ ଶବର ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.