Home Top News ଆଜି ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ଓ ଦଇତାପତି ପ୍ରବେଶ ନୀତି

ଆଜି ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ଓ ଦଇତାପତି ପ୍ରବେଶ ନୀତି

52

ପୁରୀ ୨୨-୬ (ଓଡ଼ିଆ ପୁଅ) ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ସକାଳ ଧୂପ, ଭୋଗ ମଣ୍ଡପ ନୀତି ଓ ଆଲଟ ଲାଗି ପରେ ତିନି ବାଡ଼ରେ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୋଇଥାଏ। ଏହା ପରେ ଶ୍ରୀଅଙ୍ଗରେ ସର୍ବାଙ୍ଗ ଚନ୍ଦନ ଲାଗି କରାଯାଇଥାଏ। ବେଶ ବଢ଼ି ମଧ୍ୟାହ୍ନ ଧୂପ ପରେ ପାଣି ପଡ଼ି, ବରକନ୍ୟା ଭିତରକୁ ବିଜେ ହୋଇଥାନ୍ତି। ବନ୍ଦାପନା ବଢ଼ିବା ପରେ, ବରକନ୍ୟା ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ ହୋଇ ବଡ଼ ଦେଉଳର ଚାରିପାଖରେ ବେଢ଼ାଏ ବୁଲି ସିଂହଦ୍ଵାର ଦେଇ ରାଜାଙ୍କ ନହରକୁ ବିଜେ କରିଥାନ୍ତି।

ରାଜା, ବିଜେ ଠାକୁରାଣୀଙ୍କୁ ବାଟରୁ ପାଛୋଟି ନେଇ ନହର ଅଗଣାରେ ରହିଥିବା ଖଟରେ ବିଜେ କରାଇଥାନ୍ତି। ଏଠାରେ ପଞ୍ଚୋପଚାର ପୂଜା କରାଯାଇଥାଏ ଏବଂ ପିଠା ମଣୋହି କରାଇ ପ୍ରସାଦ ଲାଗେ ଓ ପରେ ବନ୍ଦାପନା ସହ ଆଲଟ ଲାଗି ହୋଇଥାଏ। ଏହା ପରେ ନହର ଭିତର ଶୁଦ୍ଧ ହୋଇ ସେବକମାନେ ବାହାରକୁ ଆସିଥାନ୍ତି ଓ ନହରର ସିଂହଦ୍ବାର ବନ୍ଦ କରାଯାଇଥାଏ। ରାଣୀ ଓ ରାଜ ପରିବାର ବର୍ଗ ଆସି ବରକନ୍ୟାଙ୍କୁ ବନ୍ଦାପନା କରି ବି ଅନୁସାରେ ଭେଟ ଦେଇଥାନ୍ତି। ରାଣୀ ଓ ରାଜ ପରିବାର ବର୍ଗ ଭିତରକୁ ଗଲେ ସିଂହଦ୍ୱାର ଖୋଲିଥାଏ।

ଏହା ପରେ ବରକନ୍ୟାଙ୍କୁ ପାଲିଙ୍କିରେ ବିଜେ କରାଯାଇ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ନିଆଯାଇଥାଏ। ସେଠାରେ ପଞ୍ଚଗ୍ରାସି ଭୋଗ ହୋଇ ବନ୍ଦାପନା ହେବା ପରେ ବରକନ୍ୟା ବାହୁଡା ବିଜେ ହୋଇ ଦକ୍ଷିଣି ଘରକୁ ବିଜେ କରିଥାନ୍ତି। ଚଳିତ ଚତୁର୍ଦ୍ଦଶୀରେ କ୍ଷୟ କାର୍ଯ୍ୟ ପଡ଼ିଥିବାରୁ, ଚମ୍ପକ ଦ୍ୱାଦଶୀ ତିଥିରେ ଦଇତାମାନେ ପ୍ରବେଶ କରି, ବାହୁଟ କଣ୍ଟ କରିବେ। ଦଇତାମାନେ ଏହି ଦିନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ନୀତିକାନ୍ତି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.