Home Top News ଆଜି ବାହୁଡ଼ା ଯାତ୍ରା: ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଅପେକ୍ଷା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ – ଜନ୍ମବେଦୀରୁ...

ଆଜି ବାହୁଡ଼ା ଯାତ୍ରା: ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଅପେକ୍ଷା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ – ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ, ସଜେଇ ହେଇଛି ବଡ଼ ଦେଉଳ

114

ପୁରୀ ୨୦-୭ (ଓଡ଼ିଆ ପୁଅ) ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜିଉ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ। ଗତବର୍ଷ ପରି ଚଲିତ ବର୍ଷ ମଧ୍ୟ କୋଭିଡ କଟାକଣାରେ ହେଉଛି ବାହୁଡ଼ାଯାତ୍ରା। ଆଜି ହରିଶୟନ ଏକାଦଶୀ। ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ପୂଜ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହୋଇଛି। ସୂର୍ଯ୍ୟପୂଜା ସକାଳ ୫ଟା ୩୦ରେ ସରିଥିବା ବେଳେ, ଦ୍ୱାରପାଳ ପୂଜା ୫ଟା ୪୦ରେ ଓ ବେଶ ଶେଷ ସରିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ପହଣ୍ଡି। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା। ଅପରାହ୍ନ ୪ଟା ସୁଦ୍ଧା ରଥଟଣା।

ଆସନ୍ତା କାଲି ଦ୍ୱାଦଶୀ, ସୁନାବେଶ ଅନୁଷ୍ଠିତ ହେବ। ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ। ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସରିବ। ୨୨ତାରିଖରେ ଅଧରପଣା ଓ ୨୩ ତାରିଖରେ ନୀଳିଦ୍ରି ବିଜେ କରିବେ ମହାପ୍ରଭୁ।

ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଓ କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବିଶୋଧନ ବା ସାନିଟାଇଜ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ବାହୁଡା଼ ଯାତ୍ରା ସହ ସଂପୃକ୍ତ ସମସ୍ତ ସେବାୟତ ଓ ଅଧିକାରୀମାନଙ୍କର ଆରଟିପିସିଆର ପରୀକ୍ଷା କରାଯାଇଛି।

ବାହୁଡା଼ ଯାତ୍ରା ପାଇଁ ମାଉସୀମା’ଙ୍କ ପୋଡ ପିଠା ଭୋଗ ନୀତି ନିମନ୍ତେ ପ୍ରଭୁଙ୍କ ପ୍ରିୟ ପୋଡ ପିଠା ପ୍ରସ୍ତୁତି ସରିଛି।

ଏହାସହ ତିନି ରଥରେ ଚାରମାଳ ବନ୍ଧା ସରିଛି। ଭକ୍ତଶୂନ୍ୟ ବାହୁଡ଼ାଯାତ୍ରା ପାଇଁ ଉଭୟ ପୋଲିସ ଓ ପ୍ରଶାସନ ନିଜନିଜର ସମସ୍ତ ବଳ ଲଗାଇଛନ୍ତି। ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ ପାଇଁ କଡାକଡି ବ୍ୟବସ୍ଥା ହୋଇଛି। ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖ ବ୍ୟାର୍କେଟ୍ ଲାଗିଛି କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେବ ବାହୁଡ଼ା ଯାତ୍ରା।

ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.