Home ଜିଲ୍ଲା ପରିକ୍ରମା ଆଜି ଜାଗର, ଉତ୍ସବ ମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ, ଏକବାର ନୀତିରେ ମନ୍ଦିର ଚୂଡାରେ ଲାଗିଲା...

ଆଜି ଜାଗର, ଉତ୍ସବ ମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ, ଏକବାର ନୀତିରେ ମନ୍ଦିର ଚୂଡାରେ ଲାଗିଲା ନୂଆ ନେତ, ରାତି ୧ଟାରେ ସୁନାବେଶ, ଭୋର୍ ୫ଟାରେ ଚୂଡାକୁ ଉଠିବ ମହାଦୀପ

9

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମହାଶିବରାତ୍ରୀ (ଜାଗର) ପାଇଁ ଆଜିଠାରୁ ଉତ୍ସବ ମୁଖର ହୋଇଉଠିଛି ବାବା ଆଖଣ୍ଡଳମଣିଙ୍କ ପୀଠ । ଏଥିପାଇଁ ଆଜି ଏକବାର ନୀତି ନିମନ୍ତେ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ପରେ ମଧ୍ୟାହ୍ନ ନୀତି, ଯୋଗୀ ବେଶ, ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁଯାୟୀ ମଣିବାବାଙ୍କ ପାଖରେ ଆଜ୍ଞାମାଳ ଓ ନୂଆ ନେତ ଆସିବା ପରେ ସେବାୟତଙ୍କ ଦ୍ୱାରା ମନ୍ଦିର ଚୂଡାରେ ଲାଗି କରାଯାଇଥିଲା । ଏଥିସହ ନୂଆ ଚାନ୍ଦୁଆ ଗର୍ଭଗୃହରେ ଲାଗି କରାଯାଇଥିଲା । ଆଜି ମହାଶିବରାତ୍ରୀର ରୀତି ନିମନ୍ତେ ଭୋର୍ ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, କନିକା ରାଜାଙ୍କ ସପକ୍ଷରୁ ପହିଲି ଘର୍ଷଣ ଲାଗି ସରିବା ପରେ ସକାଳ ୫ଟାରେ ବଢା ଭାତ (ଖେଚୁଡି ଅନ୍ନ) ରୀତି ଭୋଗ ଲାଗି କରାଯିବା ପରେ ସକାଳ ୫ ରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଲା କରାଯାଇ ରାତି ୧ଟାରେ ସୁନାବେଶ ସଂପନ୍ନ କରାଯିବା ସହ ଭୋର୍ ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସଂପନ୍ନ ହୋଇଛି । ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ୍ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜାଗର ଯାତ୍ରାରେ ଦୂର ଦୂରାନ୍ତରୁ ଲକ୍ଷାଧିକ ଭକ୍ତ ଯେଭଳି ମଣିବାବାଙ୍କୁ ଶୃଙ୍ଖଳିତ ଦର୍ଶନ ସହ ଉଜାଗର ରହି ଜାଗର ଦୀପ ଜାଳିବା ସହ ମହାଦୀପ ଦର୍ଶନ କରିବେ, ସେଥିପାଇଁ ଗତକାଲି ଅପରାହ୍ନରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ଚାନ୍ଦବାଲି ତହସିଲଦାର ଅଶ୍ୱିନୀ ଭୂୟାଁ, ବିଡିଓ ଅସିତ୍ ମହାନ୍ତି, ପୂର୍ତ୍ତ ବିଭାଗର ଉଚ୍ଚ ପଦାଧିକାରୀ ଦୀପକ ପାଣିଗ୍ରାହୀ, ଅମ୍ବିକା ସ୍ୱାଇଁ, ଜଳ ପରିମଳ ବିଭାଗର ନିର୍ବାହୀ ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖଙ୍କ ସହ ଜିଲାର ବିଭିନ୍ନ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ସହ ପୀଠର ସମୀକ୍ଷା କରିଥିଲେ । ବିଶେଷକରି ଭକ୍ତମାନେ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେଥିପାଇଁ ନିର୍ମାଣାଧୀନ ବ୍ୟାରିକେଡ୍ ଦେଖିବା ସହ ଅସ୍ଥାୟୀ କ୍ୟାମ୍ପ, ପରିମଳ, ପାନୀୟଜଳ, ସ୍ୱାସ୍ଥ୍ୟ ଆଦି ଯେଭଳି ୨୪ ଘଣ୍ଟିଆ ବ୍ୟବସ୍ଥା କରାଯିବ, ସେଥିପାଇଁ ସମସ୍ତ ବିଭାଗର ଅଧିକାରୀଙ୍କ ସହ ଜିଲାପାଳ ଆଲୋଚନା କରିଥିଲେ । ଏପଟେ ସେବାୟତଙ୍କ ପକ୍ଷରୁ ଏକବାର ନୀତି ସହ ଜାଗର ନୀତିକାନ୍ତି ନିମନ୍ତେ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି । ଚଳିତବର୍ଷ ଜାଗର ମହୋତ୍ସବ ୩ ଦିନ ଧରି ପାଳନ ହୋଇଥିବାରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ଶ୍ରୀ ବୋନ୍ଦର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.