Home ଜିଲ୍ଲା ପରିକ୍ରମା ଆଗକୁ ଟୀକାକରଣ ବାକିଅଛି, କୋଭିଡ୍ ଯୋଦ୍ଧାଙ୍କ ଚାକିରୀ ସରିଗଲା

ଆଗକୁ ଟୀକାକରଣ ବାକିଅଛି, କୋଭିଡ୍ ଯୋଦ୍ଧାଙ୍କ ଚାକିରୀ ସରିଗଲା

20

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶରେ କରୋନା ମହାମାରୀ ସମୟରେ ଲୋକମାନେ ଘରୁ ବାହାରିନଥିବାବେଳେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ସରକାର କୋଭିଡ୍ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଇଥିଲେ । ଏବେ ଦେଶ ଓ ଆମ ରାଜ୍ୟରେ କରୋନା ଧୀରେ ଧୀରେ ଦୁର୍ବଳ ହେବାକୁ ଯାଉଛି । ଏହାକୁ ସଂପୂର୍ଣ୍ଣ ନିପାତ କରିବା ପାଇଁ ସରକାର ସଂଘର୍ଷ ଜାରି ରଖିଛନ୍ତି । ଆଉ ଅଳ୍ପ ସମୟ ମଧ୍ୟରେ କରୋନା ଟୀକା ମଧ୍ୟ ଆସିଯିବ । ଯାହାକୁ ନେଇ ସରକାର ଡ୍ରାଏ ରନ୍ ଭାବେ ପ୍ରତିଷ୍ଠା ଜାରି ରଖିଛନ୍ତି । ଏଭଳି ଅବସ୍ଥାରେ କରୋନା ଯୋଦ୍ଧାମାନଙ୍କୁ ଚାକିରୀରୁ ବାହାର କରିବା କେତେଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏବେ ଚାକିରୀରୁ ଘରମୁହାଁ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନ୍ୟାୟ ଦାବିରେ ଏହି କୋଭିଡ୍‌-୧୯ ସ୍ୱାସ୍ଥ୍ୟକର୍ମୀମାନେ ନିଜ ଜିଦ୍‌ରେ ଅଟଳ ଅଛନ୍ତି । ଉଚ୍ଚ ନ୍ୟାୟାଳୟ ଏମାନଙ୍କ ଦାବିକୁ ଗୁରୁତ୍ୱ ଦେଇ ଛଟେଇ କର୍ମଚାରୀଙ୍କୁ ତୁରନ୍ତ ଚାକିରୀ ଦେବାକୁ ନିର୍ଦ୍ଦେଶ ଦେବାପରେ ଭଦ୍ରକ ଜିଲାରେ ୩୩ ଜଣଙ୍କୁ ପୁନର୍ବାର ନିଯୁକ୍ତି ଦିଆଯାଇଛି । ହେଲେ ଏହି ପୁନଃ ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଯୋଗ୍ୟତା ଭିତ୍ତିରେ ପୁନଃ ନିଯୁକ୍ତି ଦେବାକୁ ନେଇ ଅନଶନରେ ବସିଥିଲେ ଏହି ସ୍ୱାସ୍ଥ୍ୟକର୍ମୀମାନେ । ଏବେ ସିଡିଏମ୍‌ଓଙ୍କ ଅନୁପସ୍ଥିତିରେ ଏଡିଏମ୍‌ଓ ଡ. ମୁରଲୀ ପାଢୀ ସେମାନଙ୍କ ଦାବି ଶୁଣିବା ସହିତ ବିଶେଷ ଆଲୋଚନା କରିଥିଲେ । ଏବଂ ସିଡିଏମ୍‌ଓଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି କର୍ମୀମାନଙ୍କୁ ଜିଲାପାଳ ଡକାଇବା ପରେ ସେମାନେ ତାଙ୍କ କାର୍ଯ୍ୟାଳୟକୁ ଯିବା ମଧ୍ୟରେ ପୁଲିସ୍ ଗେଟ୍‌ରେ ଚାବି ପକାଇବା ଘଟଣା ସେମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ଜିଲାପାଳ ସେମାନଙ୍କ ସହ ଆଲୋଚନା କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ତର୍ଜମା କରିବା ପରେ ସେମାନଙ୍କ ଦାବିର ପୁନଃ ବିଚାର ହେବ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.