Home ଜିଲ୍ଲା ପରିକ୍ରମା ଆଖୁଆପଦା ବ୍ୟାରେଜ ନିର୍ମାଣ ଦାବିରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଆଖୁଆପଦା ବ୍ୟାରେଜ ନିର୍ମାଣ ଦାବିରେ ବିଜେପିର ସାମ୍ବାଦିକ ସମ୍ମିଳନୀ

18

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦାରେ ବିଜେପି ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଆଖୁଆପଦାରେ ବ୍ୟାରେଜ ନିର୍ମାଣ ପାଇଁ ଅଭିଯାନ ଆରମ୍ଭ ଘୋଷଣା କରାଯାଇଛି। ବନ୍ୟା ପ୍ରପୀଡିତ ଭଣ୍ଡାରିପୋଖରୀବାସୀଙ୍କ ଚାଷକଷ୍ଟ ଓ ବନ୍ୟାକଷ୍ଟ ଲାଘବ କରିବାର ଏକମାତ୍ର ଉପାୟ ଆଖୁଆପଦା ବ୍ୟାରେଜ ନିର୍ମାଣ ବୋଲି ଦଳ ପକ୍ଷରୁ ଦୋହରାଯାଇ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ତୀବ୍ର ସମାଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସାଢେ ଚାରିକୋଟି ପରିବାର ମଧ୍ୟରୁ ଭଣ୍ଡାରିପୋଖରୀ ବନ୍ୟାକ୍ଳିଷ୍ଟ ବାଦ ପଡିଲେ କିପରି ବୋଲି ଦଳର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ତଥା ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ ଜଗନ୍ନାଥପ୍ରସାଦ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ପ୍ରଶ୍ନ କରିଥିଲେ। ଆଖୁଆପଦାରେ ସୁଦୃଢ ଭିତ୍ତିଭୂମି, ବହୁମୁଖି ଉପଯୋଗୀତା, ଜଳସେଚନର ବ୍ୟାପକ ପ୍ରସାର ପାଇଁ ଆଖୁଆପଦା ବ୍ୟାରେଜ ସମତୁଲ ଅନ୍ୟ କୌଣସି ବ୍ୟାରେଜ ପ୍ରକଳ୍ପ ହେବ ନାହିଁ ବୋଲି ଜାରି ସୁଦ୍ଧା ରାଜ୍ୟ ସରକାର ଏହାକୁ ଗଡାଇ ଚାଲିଛନ୍ତି। ଏହା ଗ୍ରହଣୀୟ ନୁହେଁ। ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଲକ୍ଷ୍ୟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରସ୍ତୁତ କରାଯାଇ ‘ମାଟି ସୁରକ୍ଷା’ ନାମରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ ଆରମ୍ଭ କରାଗଲା ବୋଲି ପ୍ରକାଶ କରିଥିଲେ। ଏଥିସହ ବନ୍ଦାଳୋ-ମଢିଆଳି, ଝୁଟୁଣା ପଞ୍ଚାୟତକୁ କୂଳକ୍ଷରୁ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ, କଣ୍ଟିଘାଇ ଓ ବାଲିପୋଖରୀ ଏସକେପର ଉଚ୍ଚତା ବୃଦ୍ଧି, ଖୋଲାପଡିଥିବା ବୈତରଣୀ ନଦୀ ପଠାରେ ବନ୍ଧ ନିର୍ମାଣ, ଆଖୁଆପଦା ଆନିକଟର ସମସ୍ତ କେନାଲର ପୁନରୁଦ୍ଧାର ଦାବି ମଧ୍ୟ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ପ୍ରକାଶ ମହାପାତ୍ର, ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ତପସ୍ୱିନୀ ମହାପାତ୍ର, ନରନାରାୟଣ ପରିଡା, ଅବିନାଶ ନାୟକ, ସୁଶାନ୍ତ ପାତ୍ର, ଦେବାଶିଷ ପଣ୍ଡା, ଦଶରଥ ମଲ୍ଲିକ, ଗଙ୍ଗାଧର ସାମଲ, ଲଳିତ ନାୟକ, ବିଶ୍ୱନାଥ ଜେନା, ବ୍ରଜକିଶୋର ନାୟକ, ସୁଦର୍ଶନ ସାମଲ, ରଶ୍ମିରଞ୍ଜନ ମହାପାତ୍ର, ରାମକୃଷ୍ଣ ମହାପାତ୍ର, ପ୍ରପୁଲ୍ଲ ବରିକ, କେଦାର ସାହୁ ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.