Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ପୀଠର ଉନ୍ନୟନ ପ୍ରକଳ୍ପ ପାଇଁ ସଂପନ୍ନ ହେଲା ଭୂମିପୂଜନ ଓ ଯଜ୍ଞ ଉତ୍ସବ, ପୂର୍ଣ୍ଣାହୁତି,...

ଆଖଣ୍ଡଳମଣିଙ୍କ ପୀଠର ଉନ୍ନୟନ ପ୍ରକଳ୍ପ ପାଇଁ ସଂପନ୍ନ ହେଲା ଭୂମିପୂଜନ ଓ ଯଜ୍ଞ ଉତ୍ସବ, ପୂର୍ଣ୍ଣାହୁତି, ଶିଳାପ୍ରସ୍ଥର ଉନ୍ମୋଚନରେ ଯୋଗଦେଲେ କନିକା ରାଜା, ୫ ପୀଠରୁ ଆସିଲା ଆଜ୍ଞାମାଳ

17

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣି ପୀଠର ହେବ ରୂପାନ୍ତରଣ । ଦ୍ୱିତୀୟ ପର୍ଯ୍ୟାୟ ଉନ୍ନୟନ ପ୍ରକଳ୍ପ ପାଇଁ ତିନିଦିନ ପର୍ଯ୍ୟନ୍ତ ଚାଲିଥିବା ଭୂମିପୂଜା ଓ ଯଜେ୍ଞାତ୍ସବ ସଂପନ୍ନ ହୋଇଛି । ପୂର୍ଣ୍ଣାହୁତି ଓ ଶିଳାପ୍ରସ୍ତର ଉନ୍ମୋଚନରେ କନିକାର ରାଜା ସାହେବ ସିବେନ୍ଦ୍ର ନାରାୟଣ ଭଞ୍ଜଦେଓ, ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟ, ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ, ରଂଜନ ସାହୁ, ଜିଲାପାଳ ତଥା ଉନ୍ନୟନ କମିଟିର ଅଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର, ଅତିରିକ୍ତ ଜିଲାପାଳ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ମନ୍ଦିର ଟ୍ରଷ୍ଟବୋର୍ଡ ସଭ୍ୟ ସରୋଜ ଦାସ, ସନ୍ତୋଷ ପାଢୀ, ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇଙ୍କ ସହ ଜିଲାର ବହୁ ପଦାଧିକାରୀ ଯୋଗ ଦେଇଥିଲେ ।

ଏହି ଉତ୍ସବରେ ପୀଠକୁ ସଫାସୁତୁରା ରଖିବା ପାଇଁ ୩ ଦିନ ଧରି ବାବାମଣି ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ସହ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଏନଏସଏସ ଛାତ୍ରଛାତ୍ରୀ ନିୟୋଜିତ ହୋଇ ସମସ୍ତ କାର୍ଯ୍ୟ ତୁଲାଇଥିଲେ । ମଣିବାବାଙ୍କ ମନ୍ଦିର ପରିସରର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୬ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ପୀଠର ବିଭିନ୍ନ ପ୍ରକଳ୍ପ ଓ ମନ୍ଦିରର ଚତୁଃପାଶ୍ୱର୍ ସଂପ୍ରସାରଣ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟରେ ଯୋଗାଇ ଦେଇଛନ୍ତି ୪୨ କୋଟି ଟଙ୍କା । ଏହି କାର୍ଯ୍ୟ ପାଇଁ ଅର୍ଥ ଆସିଥିବାରୁ କାର୍ଯ୍ୟ ପ୍ରାରମ୍ଭରୁ ଭୂମିପୂଜନ ଓ ଯଜ୍ଞ ଆରମ୍ଭ ହୋଇଛି । ଏହି ଉତ୍ସବରେ ନିମନ୍ତ୍ରିତ ହୋଇ ଆସିଥିବା ଶ୍ରୀକ୍ଷେତ୍ର ପୁରୀ, ଲିଙ୍ଗରାଜ, ବଳଦେବଜୀଉ, ମା’ ବିରଜା ଓ ମା’ ଭଦ୍ରକାଳୀଙ୍କ ପୀଠରୁ ଆସୁଥିବା ବ୍ରାହ୍ମଣମାନଙ୍କ ବେଦପାଠ ଓ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ପୀଠ । ଯଜ୍ଞ ନିମନ୍ତେ ପ୍ରତିଦିନ ଭୋର୍‌ରୁ ମଣିବାବାଙ୍କ ମଙ୍ଗଳ ଆରତୀ ସଂପନ୍ନ ହେବା ପରେ ଭୂମିପୂଜନ ପାଇଁ ଘଟ ଶୋଭାଯାତ୍ରା, ଘଟ ସ୍ଥାପନ, ରୁଦ୍ରାଭିଷେକ, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା, ଶିଳା ପ୍ରସ୍ତର ସ୍ଥାପନ, ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ ଭଳି ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଏଥିସହ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା, ଭଜନ ପରିବେଷଣ ଆଦି କରାଯାଇଥିଲା । ଏହି ଭୂମିପୂଜନ ଉତ୍ସବକୁ ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହେଉଛି ପୀଠରେ । ଅତିଥିମାନଙ୍କ ଦ୍ୱାରା ଯଜ୍ଞକୁଣ୍ଡରେ ପୂର୍ଣ୍ଣାହୁତି ସହ ଶିଳାପ୍ରସ୍ତର ଉନ୍ମୋଚନ କରାଯାଇଥିଲା । ମଣିବାବାଙ୍କ ବିଭିନ୍ନ ପୂଜା ପର୍ବାଣୀରେ ସେବା ଯୋଗାଉଥିବା ୮ଟି ଅନୁଷ୍ଠାନକୁ ମନ୍ଦିର ଟ୍ରଷ୍ଟି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.