ଭଦ୍ରକ, ୧୪-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଗତ ମଙ୍ଗଳବାର ନିଆରା ଭାବେ ପାଳିତ ହୋଇଯାଇଛି ପବିତ୍ର ଜନ୍ମାଷ୍ଟମୀ ନୀତି। ଚଳିତବର୍ଷ ମହାମାରୀ କରୋନା ନିମନ୍ତେ କଟକଣା ଜାରି ହୋଇଥିବାରୁ ସେବାୟତମାନେ ସାମାଜିକ ଦୂରତା ରକ୍ଷା କରି ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ। ପୀଠର ଶତାଧିକ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ମଧ୍ୟ ରାତ୍ରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବା ପରେ ଅନୁଷ୍ଠିତ ହୋଇଯାଇଥିଲା କଂସ ମହିପାଳ ନୀତି। ଏହି ନୀତ ପ୍ରାରମ୍ଭରୁ ନିଧି ପାଢୀ ସାହି ସ୍ଥିତ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ମଣ୍ଡପରେ ଭୋର ୫ଟାରେ ରୀତିନୀତି ଅନୁଯାୟୀ ଦ୍ୱାରଫିଟା, ମଙ୍ଗଳଆଳତୀ, ମହାସ୍ନାନ, ଘଟସ୍ଥାପନ, ଦ୍ୱାରାପାଳ ପୂଜା, ଷୋଡଶ ଉପଚାର ନୀତିକାନ୍ତି ସରିବା ପରେ ସଂଧ୍ୟା ଠାରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଖଣ୍ଡିକିଆ ହରିବଂଶ ପୁରାଣ ପଠନ କରାଯାଇଥିଲା। ରାତ୍ର ୧୨ଟାରେ ଅର୍ଥାତ ପୂରାଣ ବର୍ଣ୍ଣିତ ଅନୁଯାୟୀ ମଧ୍ୟରାତ୍ରରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବା ପରେ ଘଣ୍ଟା, କିର୍ତ୍ତନ, ଛତ୍ର, ଆଲଟ, ଚାମର ଆଦିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏକ ବିରାଟ ପଟୁଆର ସହ ବସୁଦେବ ସାଜିଥିବା ଶୁସାନ୍ତ ତ୍ରୀପାଠୀ ଆଖଣ୍ଡଳମଣିଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପୂର୍ବରୁ ମନ୍ଦିର ବେଢା ଦ୍ୱାର ନିକଟରେ ଜଗି ରହିଥିବା କାହ୍ନା ମିଶ୍ର ଉଗ୍ରେସନ ଭାବେ ଭଗବାନ ଶ୍ରୀକୃଷ୍ଣଙ୍କୁ ବାଟ ଓଗାଳିଥିଲେ। ଏପରିକି ଭଗବାନଙ୍କ ପରିଚୟ ରାଜା ଉଗ୍ରେସନ ପାଇବା ପରେ ଆଜ୍ଞାମାଳ ପ୍ରାପ୍ତ କରି ବାଟ ଛାଡିଥିଲେ। ଏହି କଂସ ମହିପାଳ ନୀତିକାନ୍ତି ସାରା ରାଜ୍ୟରେ ପାଳିତ ହେଉଥିବା ଜନ୍ମାଷ୍ଟମୀ ଠାରୁ ସ୍ୱତନ୍ତ୍ର ଓ ନିଆରା ବୋଲି ମନ୍ଦିରର ବରିଷ୍ଠ ସେବାୟତ ଗୋକୁଳା ନନ୍ଦ ପାଢୀ, ସୀତାନାଥ ପାଢୀ, ଶୁସାନ୍ତ ତ୍ରୀପାଠୀ, ଗୋପାଳକୃଷ୍ଣ ପାଢୀ ପ୍ରମୁଖ ପ୍ରକାଶ କରିଛନ୍ତି। ଏପରିକି ଜନ୍ମାଷ୍ଟମୀ ନୀତିକାନ୍ତି ବାବା ଆଖଣ୍ଡଳମଣିଙ୍କ ନୀତିକାନ୍ତି ସହ ଜଡିତ ରହୁଥିବାରୁ ମନ୍ଦିର ନୀତିକାନ୍ତି ଅନୁ୍ାୟୀ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ସେହିପରି ପୀଠର ବଡପଣ୍ଡା ସାହି, ମହାକାଳିମନ୍ଦିର, ଜଗନ୍ନାଥ ମନ୍ଦିର, ଧନି ପାଢୀ ସାହି, ରସିକ ନାଗର ମନ୍ଦିର, ମଠଡିହ ପତିତପାବନ ମନ୍ଦିର ସମେତ ଦୋହରାପାଟଣା, ସୁନ୍ଦରପୁର, ବାତୋଳ, ସିଂଗିପୁର, ଭୂଇଁପୁର ଆଦି ସମସ୍ତ ସ୍ଥାନରେ ଜାକଜମକର ସହ ପାଳିତ ହୋଇଯାଇଛି ଜନ୍ମାଷ୍ଟମୀ ନୀତିକାନ୍ତି।
Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ପୀଠରେ ଜନ୍ମାଷ୍ଟମୀ ନିଆରା ଭାବେ ପାଳିତ – ମଧ୍ୟରାତ୍ରରେ ସମ୍ପନ୍ନ ହେଲା କଂସ ମହିପାଳନୀତି...