Home ଜିଲ୍ଲା ପରିକ୍ରମା ବିଛଣାରେ ପଡ଼ିଥିବା ରାଜେଶଙ୍କ ପରିବାର ଉପରେ ଦୁଃଖର ପାହାଡ – ଦୁଇ ବର୍ଷର ଚିକିତ୍ସା ଖର୍ଚ୍ଚ...

ବିଛଣାରେ ପଡ଼ିଥିବା ରାଜେଶଙ୍କ ପରିବାର ଉପରେ ଦୁଃଖର ପାହାଡ – ଦୁଇ ବର୍ଷର ଚିକିତ୍ସା ଖର୍ଚ୍ଚ ଦେବାକୁ ପ୍ରଦେଶ ସେବା ସଂଗଠନର ପ୍ରତିଶ୍ରୁତି

119

ଭଦ୍ରକ, ୧୪-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ତିହିଡ଼ି ବ୍ଲକ ଅଧୀନ ବାହାବଳପୁର ପଞ୍ଚାୟତ ନନ୍ଦକନ୍ଦର୍ପ କୁବେରପୁର ଗ୍ରାମର ରାଜେଶ (୨୮)ଙ୍କ ଘର। ବାପା, ମା, ବର୍ଷେ ତଳେ ବିବାହ କରିଥିବା ପତ୍ନୀ ଓ ମାସକର ଶିଶୁ କନ୍ୟାକୁ ନେଇ ରାଜେଶଙ୍କ ପରିବାର। ରାଜେଶ ଜଣେ ଭଲ ରାଜମିସ୍ତ୍ରୀ ଭାବରେ ଆଖପାଖ ଅଞ୍ଚଳରେ ପରିଚିତ। ରାଜେଶ ଯାହା ରୋଜଗାର କରନ୍ତି ସେଇଥିରେ ଆନନ୍ଦରେ ଚଳିଯାଆନ୍ତି ପରିବାରର ଏହି ୫ ଜଣ। ତେବେ ତାଭାଗ୍ୟର ବିଡ଼ମ୍ବନା ଦୁଇ ମାସ ତଳେ ରାଜେଶ ଗାଁରେ କୋଠାଘର କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳକୁ ଖସିପଡ଼ିବା ଫଳରେ ସେ ସଂପ୍ରତି ବିଛଣାରେ ପଡ଼ିଛନ୍ତି। ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଛି। ଦେହ ହାତ ସବୁ ଅକାମୀ ହୋଇଯାଇଛି। ରାଜେଶଙ୍କୁ ଭୁବନେଶ୍ୱରରେ ଏକ ହସପିଟାଲରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର କରାଯାଇଛି। ଏଥିପାଇଁ ଯେଉଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାଜେଶଙ୍କ ବାପା ବାଇଧର (୬୨) ନିଜର ଯେଉଁ ସର୍ବମୋଟ ୧୦ ଗୁଣ୍ଠ ଜମି ରହିଥିଲା ତାହାକୁ ବିକ୍ରୟ କରିବାକୁ ଚୁକ୍ତିନାମା କରି କିଛି ଟଙ୍କା ଆଣିଥିଲେ। ଆହୁରି ମଧ୍ୟ ଦୁଇ ସେଲଫ ହେଲପ ଫାଇନାନ୍ସ କମ୍ପାନୀ ନିକଟରୁ ୮୦ ହଜାର ଓ ୫୦ ହଜାର ଏହିପରି ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ଋଣ ଆଣିଛନ୍ତି। ତେବେ ଡାକ୍ତର କହିଛନ୍ତି ପୁଣି ଏକ ଅସ୍ତ୍ରୋପଚାର ହେବ। ଏଥିପାଇଁ ପୁଣି ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଭଲ ହେବା ନହେବାରେ କୌଣସି ନିଶ୍ଚୟତା ମଧ୍ୟ ନାହିଁ। ସମସ୍ତ ସମ୍ଭଳ ହରାଇଥିବା ବାଇଧରଙ୍କ ପାଇଁ ପୁଅର ଚିକିତ୍ସା ପାଇଁ ଏତେ ଅର୍ଥ ଆଣିବା ସମ୍ଭବ ମଧ୍ୟ ନୁହେଁ। ଘରେ ଅଧଦିନ ଚୁଲି ଜଳୁନାହିଁ। ଫାଇନାନ୍ସ କମ୍ପାନୀର ଲୋକେ ମଧ୍ୟ ଘର ପିଣ୍ଡାରେ ବସୁଛନ୍ତି କିସ୍ତି ଅର୍ଥ ପାଇଁ। ଏଭଳି ପରିସ୍ଥିତିରେ ଶିଶୁ କନ୍ୟାଟି ଅସୁସ୍ଥ ହେବା ପରେ ତାକୁ ଡାକ୍ତରଖାନା ନେବା ପାଇଁ ଅର୍ଥ ମଧ୍ୟ ପରିବାର ଯୋଗାଡ଼ କରିପାରିନଥିଲ। ଶେଷରେ ଗ୍ରାମର କିଛି ବ୍ୟକ୍ତି ଅବଶ୍ୟ ଆର୍ଥିକ ସହାୟତା କରିବା ଫଳରେ ଶିଶୁ କନ୍ୟାକୁ ଡାକ୍ତରଖାନା ନିଆଯାଇଥିଲା। ରାଜେଶଙ୍କ ବାଦ ଦେଲେ ଘରର କେହି ସଦସ୍ୟ ସଦସ୍ୟାଙ୍କର ରୋଜଗାର କରିବାର କ୍ଷମତା ନାହିଁ। ତେବେ ଦାରିଦ୍ର‌୍ୟର କଷାଘାତରେ ଆଉଟୁ ପାଉଟୁ ହେଉଥିବା ଏହି ପରିବାରକୁ ସରକାର ଦେଉଛନ୍ତି କ’ଣ। ଖାଲି ଯାହା ୩ ଜଣଙ୍କ ପାଇଁ ଚାଉଳ ମିଳୁଛି। ରାଜେଶଙ୍କ ସ୍ତ୍ରୀଙ୍କ ନାମ ମଧ୍ୟ ରାସନ କାର୍ଡ଼ରେ ଚଢ଼ି ନାହିଁ। ବାଇଧରଙ୍କ ବୟସ ହୋଇଯାଇଥିଲେ ବି ଭତ୍ତା ମିଳିନାହିଁ। ଏପରି ପରିସ୍ଥିତିରେ ସାହାଯ୍ୟ କରିବା ପାଇଁ ଯେତେବେଳେ ପ୍ରଦେଶ ସେବା ସଂଗଠନର କର୍ମକର୍ତ୍ତାମାନେ ପହଞ୍ôଚଲେ ସେମାନଙ୍କ ଆଖିରେ ଲୁହ ଝରିପଡିଥିଲା। ‘କ’ଣ ରୋଷାଇ କରିବୁ ଭାବୁଥିବା ବେଳେ ତମେମାନେ ଦେବଦୂତ ପରି ଆସି ପହଞ୍ôଚଲ’ ବୋଲି କହି ପକାଇଥିଲେ ରାଜେଶଙ୍କ ବାପା ବାଇଧର। ସଂଗଠନ ପକ୍ଷରୁ ଯାଇଥିବା ସଭାପତି ରଂଜନ କୁମାର ମିଶ୍ର, ଚିତ୍ତରଂଜନ ସେଠୀ, ଅକ୍ଷୟ ରଣା, ସୁଭଦ୍ରା ଭାରତୀ, ଗୌତମ ମିଶ୍ର ପ୍ରମୁଖ ପରିବାରର ଦୁଃଖ ଦେଖିବା ପରେ ଗୋଟିଏ ବର୍ଷ ପାଇଁ ଚାଉଳକୁ ବାଦ ଦେଇ ମାସିକ ୭ ଶହ ଟଙ୍କାର ରାସନ ସାମଗ୍ରୀ ଦେବା ପାଇଁ ଘୋଷଣା କରିଥିଲେ। ସେହିପରି ଶିଶୁକନ୍ୟାର ଦୁଇ ôବର୍ଷର ସମସ୍ତ ପ୍ରକାର ଚିକିତ୍ସା ପାଇଁ ଯାହା ଅର୍ଥ ଆବଶ୍ୟକ ତାହା ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ତେବେ ରାଜେଶଙ୍କ ଦ୍ୱିତୀୟ ଅସ୍ତ୍ରୋପଚାର ପାଇଁ ଅର୍ଥ କେଉଁଠୁ ଆସିବ ତାହାହିଁ ବଡ଼ ପ୍ରଶ୍ନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.