Home ଜିଲ୍ଲା ପରିକ୍ରମା ଆକୁଲିକଣାରେ ଭୟାବହ ଅଗ୍ନିକାଣ୍ଡ, ୧୦ ପରିବାରର ୨୬ ବଖରା ଘର ପୋଡି, ଗାଈଗୋରୁ ଦଗ୍ଧ

ଆକୁଲିକଣାରେ ଭୟାବହ ଅଗ୍ନିକାଣ୍ଡ, ୧୦ ପରିବାରର ୨୬ ବଖରା ଘର ପୋଡି, ଗାଈଗୋରୁ ଦଗ୍ଧ

29

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପଞ୍ଚାୟତ ଆକୁଲିକଣା ଗ୍ରାମରେ ଗତକାଲି ରାତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୬ ବଖରା ଘର, ଗାଈଗୋରୁ ସମେତ ୨୦ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୧୦ ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି। ରାତ୍ର ପ୍ରାୟ ୧୦.୩୦ମି. ସମୟରେ ଗ୍ରାମର ରାଜକିଶୋର ସ୍ୱାଇଁଙ୍କ ଗୁହାଳ ଘରେ ନିଆଁ ଲାଗିଥିଲା। ଶୀତଦିନ ହୋଇଥିବାରୁ ପରିବାର ଲୋକେ ଶୋଇପଡିଥିଲେ। ନିଆଁ ଝୁଲ ପଡିବାରୁ ଲୋକେ ଉଠି ଅଗ୍ନି ବ୍ୟାପକ ଆକାର ଧାରଣ କରିଥିବା ଦେଖିଥିଲେ। ଉପାୟଶୂନ୍ୟ ହୋଇ ଅଗ୍ନିଶମକୁ ଖବର ଦେବା ନିମନ୍ତେ ୧୦୧ ନମ୍ବରକୁ କଲ କରିଥିଲେ। ଏହା ପୁଲିସ ନମ୍ବର ଥିଲା। ପୁଲିସ ଠାରୁ ସୂଚନା ପାଇ ଭଣ୍ଡାରିପୋଖରୀରୁ ଦମକଳ ଆଦି ବହୁ ବିଳମ୍ବରେ ପହଞ୍ôଚଥିଲା। ହେଲେ ପମ୍ପ କାର୍ଯ୍ୟକରିନଥିଲା ବୋଲି ଗ୍ରାମ ଲୋକେ କହିଛନ୍ତି। ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ଠାରୁ ଡାକରା ପାଇ ଯାଜପୁରରୁ ଦମକଳ ଆସି ମଳିତ ଭାବେ ନିଆଁକୁ ଆୟତ୍ତ କରିଥିଲେ। ସେତେ ବେଳକୁ ସବୁ ଜଳିଯାଇ ସାରିଥିଲା।

ଏହି ଅଗ୍ନିକାଣ୍ଡରେ ରାଜକିଶୋର ସ୍ୱାଇଁ, ଜଗନ ସ୍ୱାଇଁ, ହରେକୃଷ୍ଣ ସ୍ୱାଇଁ, ଚନ୍ଦନ ସ୍ୱାଇଁ, ହେମଲତା ସ୍ୱାଇଁ, ଲମ୍ବୋଦର ନାୟକ, ଉମାକାନ୍ତ ନାୟକ, ରମାକାନ୍ତ ନାୟକ, ସୁକାନ୍ତ ନାୟକ, କମଳଲୋଚନ ନାୟକଙ୍କ ମୋଟ ୨୬ ବଖରା ଘର ପୋଡି ପାଉଁଶ ହୋଇ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଥିଲା ବେଳେ ବହୁ ଗୋରୁ ଆହତ ହୋଇଛନ୍ତି। ଖବର ପାଇ ତହସିଲଦାର ସରୋଜକାନ୍ତ ନାୟକ, ସରପଞ୍ଚ ରଞ୍ଜନ କୁମାର ପରିଡା, ପୂର୍ବତନ ସରପଞ୍ଚ ବିରେନ୍ଦ୍ର କୁମାର ନାୟକ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ବିପନ୍ନଙ୍କ ପାଇଁ ସହାୟତା ବ୍ୟବସ୍ଥା କରିଥିଲେ। ପଞ୍ଚାୟତ ପକ୍ଷରୁ ସରପଞ୍ଚ ଶ୍ରୀ ପରିଡା ରନ୍ଧାଖାଦ୍ୟ ବ୍ୟବସ୍ଥା କରିଥିଲେ। ବିଜେପି ନେତା ବଦ୍ରୀନାରାୟଣ ଧଳ, କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତ ସାମଲ ଘଟଣାସ୍ଥଳକୁ ଯାଇ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ପଲିଥିନ ଓ ନଗଦ ଅର୍ଥ ସହାୟତା ଦେଇଥିଲେ। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ସହାୟତା ଓ ଥଇଥାନ ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.