Home Top News ଆଉ ଗୋଟିଏ ଦିନ ପରେ ମିଳିବ କାଳିଆ ଦର୍ଶନ

ଆଉ ଗୋଟିଏ ଦିନ ପରେ ମିଳିବ କାଳିଆ ଦର୍ଶନ

33

ପୁରୀ, ୨୧/୨୦(ଓଡ଼ିଆ ପୁଅ/ବିଜୟ ନାୟକ) : ଦୀର୍ଘ ୯ ମାସ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ। ଏଥିପାଇଁ ବିସ୍ତୁତ ଏସଓପି ପ୍ରସ୍ତୁତ ହୋଇଛି। ପ୍ରଥମ ତିନିଦିନ ଅର୍ଥାତ, ୨୩ ରୁ ୨୫ ସେବାୟତ ଓ ତାଙ୍କ ପରିବାରର ସଦସ୍ୟ କରିବେ ଦର୍ଶନ। ସେମାନେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଯାଇଥିବା ସ୍ୱାସ୍ଥ୍ୟ କିମ୍ବା ଅନ୍ୟ ପରିଚୟପତ୍ର ଦେଖାଇ ଯାଇପାରିବେ। ୨୬ ରୁ ୩୧ ଯାଏଁ ପୁରୀ ସହରବାସୀ କରିବେ ଦର୍ଶନ। ପ୍ରତ୍ୟେକ ଦିନ ପାଞ୍ଚଟି ୱାର୍ଡ଼ର ଲୋକ କରିବେ ଦର୍ଶନ। ପ୍ରତି ୱାର୍ଡ଼ ପାଇଁ ଚାରୀ ଘଣ୍ଟା ରହିବ ଦର୍ଶନ ସମୟ। ପ୍ରତି ୱାର୍ଡ଼ରେ ପୈାରସଂସ୍ଥା ପକ୍ଷରୁ ଘରଘର ବୁଲି ଦିଆଯିବ ଚିରୁକୁଟି। ନିର୍ଦ୍ଧାରିତ ୱାର୍ଡ଼ ତାଲିକା ଅନୁଯାୟୀ ଦୁଇ ଦିନ ପୂର୍ବରୁ ଘରେ ଘରେ ସ୍ୱଚ୍ଛ ସାଥି, ଆଶା ଓ ଅଙ୍ଗନବାଡ଼ି କର୍ମୀ ଏହି ଚୀରୁକୁଟି ପହଞ୍ଚାଇବେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତତାରେ ଏସଓପି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି। ଏସଓପି ଅନୁଯାୟୀ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ୪ ଦ୍ୱାର ଦେଇ ପ୍ରବେଶ କରିପାରିବେ। ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି ସେବାୟତ ଓ ତାଙ୍କ ପରିବାରକୁ ପ୍ରମାଣପତ୍ର ଦ୍ୱାରା ଚିହ୍ନଟ କରିବେ। ୨୬ରୁ ସହରବାସୀ କରିବେ ଶ୍ରୀଜୀଉଙ୍କ ଦର୍ଶନ। ପ୍ରତି ୱାର୍ଡ଼ବାସୀଙ୍କୁ ପୈାରସଂସ୍ଥା ପକ୍ଷରୁ ମିଳିଥିବା ଚିରୁକୁଟିକୁ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିବାର ଅନୁମତି ମିଳିବ ୱାର୍ଡ଼ବାସୀ ମାର୍କେଟ ଛକରୁ ବ୍ୟାରିକେଡ଼ରେ ପ୍ରବେଶ କରିବେ। ମାର୍କେଟ ଛକରୁ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିବା ପରେ ସେଠାରେ ହୋଇଥିବା ସ୍ୱତନ୍ତ୍ର ୯ଟି ଧାଡ଼ିରେ ପ୍ରବେଶ କରିବେ ୱାର୍ଡ଼ବାସୀ। ସେଠାରେ ସହରବାସୀଙ୍କ ଫଟୋଗ୍ରାଫି କରାଯିବ। ବିନା କୋଭିଡ଼ ରିପୋର୍ଟରେ ପୁରୀବାସୀ ଦର୍ଶନ କରିପାରିବେ। ପ୍ରତ୍ୟେହ ସକାଳ ୭:୩୦ ରୁ ମହାପ୍ରଭୁଙ୍କ ପହୁଡ଼ ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଜାନୁୟାରୀ ୩ ପରେ ବଳକା ଥିବା ପୁରୀବାସୀଙ୍କୁ ସକାଳେ ଓ ସଂନ୍ଧ୍ୟାବେଳେ ମିଳିବ ଦର୍ଶନର ସୁଯୋଗ। ଅନ୍ୟ ସମୟରେ ଆସିଲେ ଦେଖାଇବାକୁ ପଡ଼ିବ କୋଭିଡ଼ ନେଗେଟିଭ ପ୍ରମାଣପତ୍ର। ତେବେ ଗଙ୍ଗାସାଗର ମେଳା ପର୍ଯ୍ୟନ୍ତ କଟକଣା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜାନୁୟାରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସେଦିନଠାରୁ ସମସ୍ତଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଜଗନ୍ନାଥବଲ୍ଲଭ ମଠରେ ହେବାକୁ ଥିବା ଅତିରିକ୍ତ ଚିରୁକୁଟି କାଉଣ୍ଟର ହେବ ନାହିଁ। କୋଭିଡ଼ ଗାଇଡ଼ ଲାଇନକୁ ପାଳନ କରି ଏହି ଦର୍ଶନ ଚାଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.