Home Top News ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ : ପୋଲିସ ସାଜିଛି ବିଜେଡିର ହାତବାରିଶି – ନରସିଂହ

ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ : ପୋଲିସ ସାଜିଛି ବିଜେଡିର ହାତବାରିଶି – ନରସିଂହ

47

ବଲାଙ୍ଗୀର, ୨୭-୧୦ (ଓଡ଼ିଆ ପୁଅ) : ବିଜେଡି ନେତାଙ୍କ ପ୍ରତ୍ସାହନରେ ବଢି ଚାଲିଛି ଗୁଣ୍ଡାରାଜ ଖୋଲା ଖୋଲି ଭାବେ ଶାସକ ଦଳ ସାରା ରାଜ୍ୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ସ୍ପଷ୍ଟ ପ୍ରମାଣିତ ହୋଇଛି। ବଲାଙ୍ଗିର ଜିଲ୍ଲା ରେ ଦିନକୁ, ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଯିବା ସହ ପୋଲିସ ଓ ପ୍ରଶାସନିକ ନିଷ୍କ୍ରିୟତା ଅତ୍ୟନ୍ତ ନିନ୍ଦନୀୟ। ଦ୍ୱୀପହରେ ଲୁଟତରାଜ, ରାହାଜାନୀ, ହତ୍ୟା ଏକ ସାଧାରଣ ଘଟଣା ପାଲଟି ଯାଇଛି। ପୋଲିସ ଏ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛି। ସହରର ପ୍ରତ୍ୟେକ ଗଳି କନ୍ଦିରେ ମଦ, ଗଞ୍ଜେଇ, ଓ ନିଶା କାରବାର ବେଧଡକ୍ ଚାଲିଥିବା ବେଳେ ତାକୁ ରୋକିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ସ୍ଥାନୀୟ ବିଜେଡି ଦଳ ନେତାମାନେ ଏ ସବୁ ଅସାମାଜିକ ତତ୍ୱଙ୍କୁ ପ୍ରଚ୍ଛଦ ପଟରୁ ସବୁ ପ୍ରକାର ସାହାଯ୍ୟ ଯୋଗାଉଛନ୍ତି ଏବଂ ପୋଲିସ ମଧ୍ୟ ସେମାନଙ୍କର ହାତ ବାରିଶି ସାଜିଛି ବୋଲି ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ବଲାଙ୍ଗିର ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପଛପଟେ ଏକ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ତାର ଲାଇଭ୍ ଭିଡିଓ ଭାଇରାଲ କରିଥିଲେ। ଯେହେତୁ କଳାହାଣ୍ଡି ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଏବଂ ସଂପୃକ୍ତ ଥିବା ନେତା ମନ୍ତ୍ରୀମାନ ଙ୍କୁ ଘଣ୍ଟ ଘୋଡାଇବା ପାଇଁ ପୋଲିସ ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଛି ଏବଂ ତଦନ୍ତକୁ ବାଟବଣା କରିବା ପାଇଁ ଚେଷ୍ଟା ଜାରି ରଖିଛି, ଏହି ଘଟଣାରୁ ଅପରାଧି ମାନେ ଆହୁରି ଉତ୍ସାହିତ ହୋଇ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପଛ ପଟରେ ଅପରାଧିମାନେ ସ୍ପଷ୍ଟ ଦିବାଲୋକରେ ଠିକ୍ ଏହି ପରି ଏକ ହତ୍ୟା ଘଟଣା ଘଟାଇଛନ୍ତି। କିଛି ଦିନ ପୂର୍ବରୁ ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ଥିବା ଜଣେ ମନ୍ତ୍ରୀଙ୍କ ଗୁଣ୍ଡାମାନେ ସୋନପୁର ଠାରେ ଛାତ୍ର କଂଗ୍ରେସ ନେତା ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜି ବିଜେଡି ଦଳର ହାତ ବାରିଶି ସାଜିଛି। ଆହୁରି ମଧ୍ୟ ବିଜୁ ଜନତା ଦଳର ନିର୍ବାଚନ ହାରି ଯାଇଥିବା ବରିଷ୍ଠ ରାଜ୍ୟ ଉପ-ସଭାପତି ଏବଂ ତାଙ୍କ ଦୁଇ ପୁଅ ଅନଧିକାର ଭାବରେ ପୂର୍ବରୁ ବିଧିବଦ୍ଧ ଭାବେ ସରକାରୀ ସ୍ତରରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ ହୋଇସାରିଥିବା ସକମା ସ୍କୁଲର ଖେଳ ପଡିଆକୁ ବେଆଇନ ଭାବେ ପୁନଃ ଉଦ୍‌ଘାଟନ କରିଛନ୍ତି। ସେଠାରେ ସେ ଲୋକଙ୍କୁ ଭୟଭିତ କରିବା ପାଇଁ ନିଜ ଦଳର ଅନେକ

କର୍ମୀଙ୍କୁ ନେଇ ଦଳୀୟ ସଭା କରି ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ଲୋକଙ୍କୁ ଆହ୍ୱାନ କରୁଛନ୍ତି, ଏବଂ ଆଶ୍ଚର୍ଯ୍ୟ କଥା ଏହି ସବୁ ବେଆଇନ କାର୍ଯ୍ୟକ୍ରମ ବିରୁଦ୍ଧରେ ନା ସ୍କୁଲ କର୍ତ୍ତୃପକ୍ଷ ନା ବ୍ଲକ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇ ପାରୁଛନ୍ତି। ଏ ସବୁ ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ବଲାଙ୍ଗିର ରେ ବର୍ତ୍ତମାନ ସରକାରୀ ଦଳର ନେତା, ମନ୍ତ୍ରୀ ଏକ ଅଶାନ୍ତ ବାତାବରଣ ସୃଷ୍ଟି କରିବାରେ ଲାଗିଛନ୍ତି ଏବଂ ଏ ସବୁ କୁ ପୋଲିସ ପ୍ରଶାସନ ସମ୍ପୁର୍ଣ୍ଣ ସମର୍ଥନ ଅଛି ବୋଲି ଆଲୋଚନା ହେଉଛି। ଏପରି କି ଏଇ କିଛି ମାସ ମଧ୍ୟରେ ଅନେକ ଜାଗାରେ ଦିନ ଦ୍ଵିପହର ରେ ହତ୍ୟା, ଲୁଣ୍ଠନ, ଦାଦାଗିରି, ନିଶା କାରବାର ଚାଲିଥିଲେ ହେଁ ଅପରାଧିମାନଙ୍କୁ ଗିରଫ କରିବାରେ ପୋଲିସ ପକ୍ଷରୁ ସେପରି କିଛି ତତ୍ପରତା ଦେଖାଉନାହିଁ। ଏପରି ଯଦି ଆଉ କିଛି ଦିନ ଚାଲେ ତେବେ ଶାନ୍ତ ବଲାଙ୍ଗିର ଓ ଏହି ଜିଲ୍ଲାର ସାଧାରଣ ଜିବନ, ଯାପନ ବ୍ୟାଘାତ ହେବା ଆଶଂକା ଦେଖାଦେଇଛି। ତେଣୁ ପୋଲିସ ପ୍ରଶାସନ ଆଉ ସରକାରୀ ଦଳର ହାତ ବାରିଶ ନ ସାଜି ଲୋକଙ୍କ ସେବାରେ ମନପ୍ରାଣ ଦେଉ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.