Home ଜିଲ୍ଲା ପରିକ୍ରମା ଆଇନ ଛାତ୍ରୀ ଶ୍ରାବଣୀଙ୍କ କୁକୁଡା ଫାର୍ମ , କରୋନା ଯନ୍ତ୍ରଣା ସୃଷ୍ଟି କରିଛି ନୂଆ ଚେତନା

ଆଇନ ଛାତ୍ରୀ ଶ୍ରାବଣୀଙ୍କ କୁକୁଡା ଫାର୍ମ , କରୋନା ଯନ୍ତ୍ରଣା ସୃଷ୍ଟି କରିଛି ନୂଆ ଚେତନା

58

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ବହୁ ବ୍ୟକ୍ତିବିଶେଷଙ୍କ ଜୀବନ ଶୈଳୀ ବଦଳାଇ ଦେଇଛି । କେତେକଙ୍କ ମଧ୍ୟରେ ସୃଷ୍ଟି କରିଛି ନୂତନ ଦିଗନ୍ତ ଓ ଚିନ୍ତାଧାରା । କାହା ଉପରେ ନିର୍ଭରଶୀଳ ନହୋଇ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ସାହସ ଯୋଗାଇଛି ନିରାଶା ମଧ୍ୟରେ ଗତି କରୁଥିବା ବ୍ୟକ୍ତିଙ୍କୁ । ଦାଦନ ଖଟୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମନର୍ଭରଶୀଳ ହେବାର ଭାବନା ସୃଷ୍ଟି କରିଛି । ସେହିପରି ବହୁ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କ ମଧ୍ୟରେ ଅଭିନବ ଉତ୍ସାହ ସୃଷ୍ଟି କରିଛି । ଏହି କ୍ରମରେ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ବହୁ ଲୋଭନୀୟ ଚାକିରୀକୁ ଅଣ ଦେଖା କରି କିଛି ନୂଆ କରିବାକୁ ଉଦ୍ୟମ କରିଛନ୍ତି । ଆଇନ ପାଠରେ ସର୍ବୋଚ୍ଚ ଡିଗ୍ରୀ ସହିତ ନାଲସା ଓ ପଶୁ କଲ୍ୟାଣ ଆଇନ ବିଦ୍ୟାରେ ଡିଗ୍ରୀ ହାସଲ କରିବା ପରେ ମଧ୍ୟ ଚାକିରୀ ପରିବର୍ତ୍ତେ ଅତ୍ୟାଧୁନିକ ପଦ୍ଧତିରେ କୁକୁଡ଼ା ଚାଷ ପ୍ରତି ଆଗ୍ରହୀ ହେବାର ଆଗ୍ରହ ଓ ଏହି ପ୍ରକଳ୍ପରେ ଏକାଧିକ ବ୍ୟକ୍ତିଙ୍କ ପରିବାରକୁ କର୍ମ ନିଯୁକ୍ତି ଯୋଗାଇ ଦେବାର ଅଭିନବ ଚିନ୍ତାଧାରା ତାଙ୍କ ନୂତନ ଚିନ୍ତାଧାରା ସମ୍ପର୍କରେ ବହୁତ କିଛି ବୟାନ ରଖୁଛି । ଶ୍ରାବଶୀ କର । ଭଦ୍ରକର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହରେକୃଷ୍ଣ କର ଓ ଗୃହିଣୀ ଗୀତାରାଣୀ କରଙ୍କର ଏକମାତ୍ର ଅଲିଅଳି କନ୍ୟା । ସ୍ଥାନୀୟ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟରୁ ସିବିଏସଇ ବୋର୍ଡ଼ ପାସ କରିବା ପରେ କଟକର ଏକ ଘରୋଇ ଆବାସିକ ଯୁକ୍ତ ୨ ବିଦ୍ୟାଳୟରେ ପାଠ ପଢ଼ିଥିଲେ । ଯୁକ୍ତ ୨ ପରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ବିବିଏ(ଏଲଏଲବି) ସମନ୍ୱିତ ପାଠ୍ୟକ୍ରମ ଶେଷ କରିବା ପରେ କଟକ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ପରେ ନାଲସା(ନେସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଏଣ୍ଡ ରିସର୍ଚ୍ଚ)ରୁ ମଧ୍ୟ ଡିଗ୍ରୀ ହାସଲ କରିଥିଲେ । ଶେଷରେ ପଶୁ କଳ୍ୟାଣ ଆଇନ ବିଦ୍ୟାରେ ମଧ୍ୟ ଏକ ବର୍ଷ ପିଜି ଡିପ୍ଲୋମା କୋର୍ସ କରିଥିଲେ । କିନ୍ତୁ କରୋନା ଯନ୍ତ୍ରଣା କାଳରେ ସମସ୍ତଙ୍କ ପରି ଶ୍ରାବଣୀ ମଧ୍ୟ ଗୃହବନ୍ଦୀ ହୋଇ ଯାଇଥିଲେ । ଏହି ସମୟରେ ତାଙ୍କ ମୁଣ୍ଡକୁ ଆସିଥିଲା ଏକ ନୂତନ ଚିନ୍ତା । ଘଣ୍ଟେଶ୍ୱର ଟୋଟାପଡ଼ାରେ ବାପାଙ୍କ ଫାର୍ମର ଏକ ଅଂଶରେ ଶ୍ରାବଣୀ ଏକ କୁକୁଡ଼ା ଫାର୍ମ ଆରମ୍ଭ କରିବାକୁ ଯୋଜନା କରି ସଫଳ ହୋଇଥିଲେ । ବାପାଙ୍କ ବିଶାଳ ଫାର୍ମରୁ ମାତ୍ର ଏକ ଏକର ପରିମିତ ଜମି ଉପରେ ଆରମ୍ଭ କରିଥିଲେ ଏକ କୁକୁଡ଼ା ଫାର୍ମ । ତେବେ ପ୍ରଥମେ ମାତ୍ର ୫୦ ଚିଆଁକୁ ନେଇ ଆରମ୍ଭ ହୋଇଥିଲା ଏହି ଫାର୍ମ । ଏବେ ଉକ୍ତ ଫାର୍ମରେ ରହିଛନ୍ତି ୩ଶହ ଚିଆଁ ।

କରୋନା ସମୟରେ କର୍ମ ସଂସ୍ଥାନ ହରାଇ ଘରୁ ଫେରି ଆସିଥିବା ୪ଜଣ ପ୍ରବାସୀ ଓଡ଼ିଆ ଏବେ ସେଠାରେ କାର୍ଯ୍ୟରତ । ଏହି ଚିଆଁଙ୍କ ମଧ୍ୟରେ ରହିଛି ସୋନାଲି ପରି ଅତ୍ୟାଧୁନିକ ଦେଶୀ କୁକୁଡ଼ା ଚିଆଁ, ବର୍ଷରେ ୩ଶହ ଅଣ୍ଡା ଦେଉଥିବା ଆରଆଇଆର, ଆସିଲ ପରି ଲଢ଼ୁଆ ପ୍ରଜାତିର କୁକୁଡ଼ା ଚିଆଁ । ଫାର୍ମ ଆରମ୍ଭ କରିବାକୁ ଇତି ମଧ୍ୟରେ ୮ମାସ ବିତିଗଲାଣି । ଚିଆଁ ସବୁ ବଡ଼ ବଡ଼ ହୋଇ ଗଲେଣି । ଆରଆଇ ଆର ପ୍ରଜାତିର କୁକୁଡ଼ା ଅଣ୍ଡା ଦେବା ଆରମ୍ଭ କଲେଣି । ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିବା ଏହି ଫାର୍ମର ସଫଳତା ଦେଖି ଶ୍ରାବଣୀ ଏବେ ବେଶ ଚକିତ ଓ ଉତ୍ସାହିତ ମଧ୍ୟ । ଫାର୍ମକୁ ଅଧିକ ସଂପ୍ରସାରିତ କରିବାକୁ ଇତିମଧ୍ୟରେ ଯୋଜନା ପ୍ରସ୍ତୁତ କରୁଛନ୍ତି ଶ୍ରାବଣୀ । ପିଲାଟି ଦିନରୁ ପଶୁ ପକ୍ଷୀଙ୍କ ପ୍ରତି ମୋର ଦୁର୍ବଳତା ରହି ଆସିଛି । ମୋଟଲ ଛକ ଭିଆଇପି ରୋଡରେ ଥିବା ଆମ ଘର ଭାଡ଼ିରେ ଧଳା ପାରାଙ୍କ ସହିତ ସକାଳେ, ବାପାଙ୍କ ପୋଷା କୁକୁର ସହିତ ମୁଁ ସ୍କୁଲରୁ ଫେରିଲେ ସମୟ କଟାଇବା ବେଳେ, ସମୟ କେମେିତି ବିତିଯାଏ ମୁଁ ଜାଣି ପାରେନି । ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟିରୁ ବ୍ୟାଚଲର ଡିଗ୍ରୀ ଇନ ବିଜିନେସ ଆଡମିନିଷ୍ଟ୍ରେସନ(ଆଇନ), କଟକ ନ୍ୟାସନାଲ ଲ ୟୁନିଭରସିଟିରୁ ମାଷ୍ଟର୍ସ ଡିଗ୍ରୀ (ଆଇନ) କରିବା ପରେ ପଶୁ ପକ୍ଷୀଙ୍କ ପ୍ରତି ଥିବା ଅହେତୁକ ଦୁର୍ବଳତା ପାଇଁ ପଶୁ କଲ୍ୟାଣ ଆଇନ ପାଠ ପ୍ରତି ଆକର୍ଷିତ ହୋଇ ଏକ ବର୍ଷର କୋର୍ସ କରିଛି । କରୋନା ସମୟରେ ସବୁଠି ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଥିବାବେଳେ, ମୁଁ ଏହି ଫାର୍ମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲି । ତେବେ ଫାର୍ମକୁ ନେଇ ମୁଁ ବହୁତ ଖୁସୀ । ଏହି ଫାର୍ମରେ ଏବେ ବିଭିନ୍ନ ରାଜ୍ୟରୁ କର୍ମ ସଂସ୍ଥାନ ହରାଇ ଫେରି ଆସିଥିବା ୪ଜଣ ପ୍ରବାସୀ କାମ କରୁଛନ୍ତି । ଏଥିରୁ ମୋତେ ବହୁତ ଆତ୍ମସନ୍ତୋଷ ମିଳୁଛି ବୋଲି କୁହନ୍ତି ଶ୍ରାବଣୀ । କିନ୍ତୁ ବାପା ଓ ମା’ଙ୍କ ଚାପରେ ଭବିଷ୍ୟତରେ ଆଇନ ଶିକ୍ଷାରେ ଅଧ୍ୟାପନା କରିବାକୁ ମୋତେ କୁହାଯାଉଛି । ମୁଁ ସେମାନଙ୍କ କଥା ମାନିବି । କିନ୍ତୁ ଏହି ଫାର୍ମ ମୋର ସ୍ୱପ୍ନର ପ୍ରକଳ୍ପ । ଫାର୍ମକୁ ଲାଗି ରହିଛି ୫ଏକରରୁ ଉର୍ଦ୍ଧ୍ୱ ପରିମିତ ଜମିରେ ବାପାଙ୍କ ଫାର୍ମ । ତେବେ ମୁଁ ଆରମ୍ଭ କରିଥିବା ପ୍ରକଳ୍ପରୁ କେବେ ମଧ୍ୟ ହଟିବି ନାହିଁ । ଅଧ୍ୟାପନା କରିବା ସତ୍ତ୍ୱେ ଏହି ପ୍ରକଳ୍ପକୁ ପ୍ରତ୍ୟେକ ମୁହୂର୍ତ୍ତରେ ବଞ୍ଚାଇ ରଖିବି । ଆବଶ୍ୟକ ପଡ଼ିଲେ ଅଧ୍ୟାପନା ଅପେକ୍ଷା ଏହି ପ୍ରକଳ୍ପକୁ ଆଗେଇ ନେବାକୁ ଅଧିକ ପସନ୍ଦ କରିବି ବୋଲି କହିଛନ୍ତି ଶ୍ରାବଣୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.