Home ଓଡ଼ିଶା ଅସାବଧାନତା ଯୋଗୁଁ ଧାନକଳରେ ପଶି ମହିଳା ଗୁରୁତର

ଅସାବଧାନତା ଯୋଗୁଁ ଧାନକଳରେ ପଶି ମହିଳା ଗୁରୁତର

36

ହରିଚନ୍ଦନପୁର,ତା ୧୬ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ନର୍ଦ୍ଦାଙ୍ଗିପେଣ୍ଠ ଗ୍ରାମରେ ଧାନ ମେସିନ୍ ବା କଳ ସଂସ୍ପର୍ଶରେ ଆସି ମହିଳା ଗୁରୁତର । ମିଳିଥିବା ଖବର ଅନୁଯାୟୀ ମଙ୍ଗଳବାର ଅପରାହ୍ନ ସମୟରେ ଉକ୍ତ ଗ୍ରାମର ରବି ମୁଣ୍ଡାଙ୍କ ପତ୍ନୀ ପାର ମୁଣ୍ଡା ଧାନ ପେସାଇବା ନିମନ୍ତେ ଗ୍ରାମର ଥିବା ମେସିନ୍ ଘରକୁ ଯାଇଥିଲେ । ସେଠାରେ ଧାନ ପେସା ଚାଲିଥିବା ବେଳେ ଅସାବଧାନତା କିମ୍ବା କୌଣସି କାରଣରୁ ମେସିନର ପାର୍ଶ୍ବରେ ଲାଗିଥିବା ଚକିରେ ମହିଳାଙ୍କ ଶାଢ଼ୀ ଲାଗି ଗୁଡ଼ାଇ ହୋଇଯାଇଥିଲା । ସେଥିରୁ ଶାଢ଼ୀ ଛଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ମୁଣ୍ଡର ବାଳ ସହ ଶାଢ଼ୀଟି ଚକିରେ ଗୁଡ଼ାଇ ହୋଇଯାଇଥିଲା । ଫଳରେ ମହିଳାଙ୍କ ମୁଣ୍ଡର ଚମଡ଼ା ସହ ବାଳ ଉଠିଯାଇ ରକ୍ତାକ୍ତ ହୋଇ ଗୁରୁତର ହୋଇଥିଲେ । ମହିଳାଙ୍କ ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.