Home Top News ଅସହାୟ ଗଣତନ୍ତ୍ର 

ଅସହାୟ ଗଣତନ୍ତ୍ର 

56

ଓଡିଶାରେ ପଂଚାୟତ ଓ ପୌର ନିର୍ବାଚନ ସମାପ୍ତ ହୋଇଛି। ଶାସକ ବିଜୁ ଜନତା ଦଳ ସବୁଥର ପରି ଏଥର ମଧ୍ୟ ନିର୍ବାଚନରେ ବାଜିମାତ କରିଛି। ମୁଖ୍ୟ ବିରୋଧି ବିଜେପି ଓ କଂଗ୍ରେସ ସବୁଥର ପରି ଏଥର ମଧ୍ୟ ମାଟି କାମୁଡି ପଡିଛି। ଏହାପରେ ଏହି ଦୁଇ ଦଳ ଆରମ୍ଭ କରିଛନ୍ତି ମାନସ ମନ୍ଥନ। ବିଜେପି ଓ କଂଗ୍ରେସ ହେଉଛି ଜାତୀୟ ଦଳ। ତେଣୁ ଏମାନଙ୍କ ମାନସ ମନ୍ଥନ ଦିଲ୍ଲୀ ଦରବାରରେ ହୁଏ। ରାଜ୍ୟ ବିଜେପି ସଭାପତି, କିଛି ବରିଷ୍ଠ ନେତା, ସାଂସଦ, ବିଧାୟକମାନେ ଦିଲ୍ଲୀ ଯାଇଥିଲେ। ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରିୟ ସଭାପତି ଓ ଅନ୍ୟ ଜାତୀୟ ସ୍ତରର ନେତୃବୃନ୍ଦଙ୍କୁ ଭେଟି କରି ଆସିଲେ। ପ୍ରଧାନମନ୍ତ୍ରୀ ଡାକିଥିବା ନୈଶ୍ୟ ଭୋଜିକୁ ମଧ୍ୟ ଯାଇଥିଲେ। ସେଠାରୁ ଫେରିଲା ପରେ କିଛି ନେତାଙ୍କ ସହିତ କଥାବାର୍ତ୍ତାରୁ ଜହାଜଣା ପଡିଲା – କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶାରେ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଯିବାକୁ ଚାହୁଁ ନାହାଁନ୍ତି। ରାଜ୍ୟ ବିଜେପି ନେତୃବୃନ୍ଦ ଖାଲି ମିଡିଆ ଆଗରେ ବାହାସ୍ପଟ ମାରିବା କଥା ମିଶନ୨୦୨୪ ପାଇଁ ଆମେ ଦିଲ୍ଲୀ ଯାଇଥିଲୁ। ସେମାନଙ୍କୁ ଭଲ ଭାବରେ ଜଣା ଯେ, ଦିଲ୍ଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଓଡିଶା ସଚିବାଳୟର ୩ୟ ମହଲା ଭିତରେ ଘନିଷ୍ଟ ସଂପର୍କ ରହିଛି। ଏହି ଦୁଇ ସଂପର୍କର ଉତମ ସେତୁ ବନ୍ଧ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେଣୁ ୨୦୨୪ରେ ସେମିତି କିଛି ଘଟଣା ଘଟିବାର ନାହିଁ। ନାମକୁ ମାତ୍ର ଜନତନ୍ତ୍ରକୁ ବୁଝାଇବାକୁ ଯାଇ ରାଜ୍ୟ ସଭାପତି ବଦଳାଇ ଦେବେ ଓ ଯେହେତୁ ବିରୋଧି ଦଳର ନେତା ଅସୁସ୍ଥ ତାଙ୍କୁ ମଧ୍ୟ ବଦଳାଇ ଦେବେ। ଏହା ବ୍ୟତୀତ କିଛି କେନ୍ଦ୍ରୀୟ ନେତା ଦିଲ୍ଲୀରୁ ଆସି ପ୍ରଧାନମନ୍ଦ୍ରୀଙ୍କର ଜନହିତକର କାର୍ଯ୍ୟ ବାବଦରେ ଲୋକଙ୍କୁ ବୁଝାଇ କରି ଯିବେ। ଏହା ଏକ ରୁଟିନ କାର୍ଯ୍ୟ। ଗଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଦେଇ ଯିବେ। ତେଣୁ ଓଡିଶାରେ ବିଜେପି ନେତୃବୃନ୍ଦ ଭକୁଆ, କର୍ମୀ ଭକୁଆ, ଜନତନ୍ତ୍ର ମଧ୍ୟ ଭକୁଆ। ଏକ ପ୍ରକାର ଭିତିରିଆ ଭାଗିଦାରୀ ଶାସନ ଚାଲିଛି କହିଲେ ଚଳେ। ଦଳର ଆଭ୍ୟନ୍ତରିଣ କନ୍ଦଳ ରାସ୍ତାରେ ପଡି ହାଟରେ ଗଡୁଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗୋଟିଏ ପଟେ ଏବଂ ବିଜେପିର ସବୁ ନେତା ଅନ୍ୟ ପଟେ। ପଂଚାୟତ ନିର୍ବାଚନ, ପୌର ନିର୍ବାଚନ, ମେୟର ନିର୍ବାଚନ ସବୁଥିରେ ଅପରାଜିତାଙ୍କୁ ଦଳ ଭିତିରିଆ ହତୋତ୍ସାହ କରିଛି। ଅପରାଜିତା ଅଧିକାଂଶ କ୍ଷେତ୍ରରେ ଶାସକ ବିଜେଡିକୁ ନିଶାଣା କରୁଛନ୍ତି। ଅପରାଜିତା ଓ ବିଜେଡି କଳି ଭିତରେ ବିଜେପିର କୌଣସି ନେତା ପାଟି ଫିଟାଉ ନାହାଁନ୍ତି। ଏହା ଅର୍ଥ ଅପରାଜିତାଙ୍କୁ ଛାଡି ଦେଲେ ସମୁଦାୟ ବିଜେପି ବିଜେଡିର ଶରଣଂ ଗଚ୍ଛାମୀ। ନିକଟରେ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ହେଲା। ଗୋଟିଏ ଘରୋଇ ସଂସ୍ଥା, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମିଳିତ ଭାବରେ ଏହାକୁ ଆୟୋଜନ କଲେ। ଭୁବନେଶ୍ୱରର ତିନି ବିଧାୟକ, ରାଜ୍ୟର ଅନେକ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ଅନ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ, ଜିଲ୍ଲାପାଳଙ୍କ ଛଡା ଅନେକ ସରକାରୀ ବାବୁ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଗଲା ଓ ସମସ୍ତେ ଆସିଲେ ମଧ୍ୟ। ମାତ୍ର ଖୋଦ ଭୁବନେଶ୍ୱର ସାଂସଦଙ୍କୁ ଏଥିରେ ଅଣଦେଖା କରାଗଲା। ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଏବଂ ଭୁବନେଶ୍ୱର ସାଂସଦଙ୍କୁ ନଡାକିବା ଘୋର ପରିତାପର ବିଷୟ। ଏତେ ବଡ ଘଟଣାରେ କୌଣସି ବିଜେପି ନେତା ପାଟି ଫିଟାଉ ନାହାଁନ୍ତି। ବିଜେପି କର୍ମୀମାନେ ମଧ୍ୟ ପାଟି ଫିଟାଉ ନାହାଁନ୍ତି। ଅପରାଜିତା କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଚାଲିଛନ୍ତି। ଓଡିଶା ବିଜେପିର ମଙ୍ଗୁଆଳ ଧରିଥିବା କେନ୍ଦ୍ରିୟ ନେତା ତୃତୀୟ ମହଲାରେ ନିଜ ସ୍ୱାଭିମାନକୁ ବନ୍ଧା ପଡିଥିବା ଜାଣି ସୁଦ୍ଧା ଅପରାଜିତା ନାଚାର। ୨୦୧୯ ନିର୍ବାଚନରେ ଅପରାଜିତା ଭୁବନେଶ୍ୱର ସାଂସଦ ହୋଇଥିଲେ। ଲୋକପ୍ରିୟତା ତାଙ୍କର ବଢିବାରେ ଲାଗିଲା। କ଼ାଳେ ଓଡିଶା ବିଜେପିର ସର୍ବେସର୍ବା ହୋଇଯିବେ ତେଣୁ ତାଙ୍କର ପକ୍ଷ ଛେଦନ ଆରମ୍ଭ ହୋଇଯାଇଛି। ତେଣୁ ତାଙ୍କୁ କାଉଂଟର କରିବା ପାଇଁ ବିଜେଡି ଜଣେ ଫାୟାର ବ୍ରାଣ୍ଡ ନେତ୍ରୀ ତାଙ୍କ ବିରୁଦ୍ଧରେ ଛିଡା କରାଇ ସାରିଲାଣି। ସେ ହେଉଛନ୍ତି ନବନିର୍ବାଚିତ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସୁଲୋଚନାଙ୍କୁ ମେୟର କରାଯାଇଛି ଅପରାଜିତାଙ୍କୁ ଚେକ୍ କରିବା ପାଇଁ। ପାଣିପାଗ ଠିକ୍‌ଠାକ୍ ରହିଲେ ସୁଲୋଚନା ଅପରାଜିତାଙ୍କ ବିରୁଦ୍ଧରେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ôଥ ହେବାର ଭିତିରିଆ ସୁତ୍ରରୁ ଜଣାପଡିଛି। ଏହା ଘଟିଲେ ଅପରାଜିତା ଆସନ୍ତା ନିର୍ବାଚନ ବୈତରଣୀ ପାର ହେବା ମୁସ୍କିଲ ହୋଇ ପଡିବ।

ତେଣୁ ଗଣତନ୍ତ୍ରର ପରିଭାଷା ଏକପ୍ରକାର ବଦଳି ଯାଇଛି। ଗଣତନ୍ତ୍ର ଏବେ କ୍ଷମତାରେ ବସିଥିବା ବ୍ୟକ୍ତିବିଶେଷଙ୍କ ହାତ ବାରିସି ସାଜିଛି କହିଲେ ଚଳେ। ଜନସାଧାରଣଙ୍କର ସାମାଜିକ ଅଧିକାର ଥିବା ମତଦାନ ମଧ୍ୟ ଏହି କ୍ଷମତା କୋଟରୀ ଆଗରେ ନାଚାର। ତେଣୁ ଏଥିରେ ପରିବର୍ତ୍ତନ ଅବଶ୍ୟାମ୍ଭବୀ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.