Home ଜିଲ୍ଲା ପରିକ୍ରମା ଅଶୋକ ଶତପଥୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

ଅଶୋକ ଶତପଥୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

32

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଶୋକ ଶତପଥୀ । ଜିଳା ହାଇସ୍କୁଲର ଜଣେ ଲୋକପ୍ରିୟ ବିଜ୍ଞାନ ଶିକ୍ଷକ । ସବୁବେଳେ ହସହସ ମୁହଁ, କର୍ମ ତତ୍ପର ମଧ୍ୟ । ଯେତେବେଳେ ଖୋଜିଲେ ଦେଖିବାକୁ ମିଳେ ଛାତ୍ରଛାତ୍ରୀଙ୍କ ଗହଣରେ । ଶିକ୍ଷକତା ମଧ୍ୟରେ ଲୁଚି ରହିଥାଏ ତାଙ୍କ ଚରିତ୍ରର ଆଉ ଏକ ଦିଗ । ଗରିବ ଓ ମେଧାବୀ ଛାତ୍ରଙ୍କୁ ଜଣେ ଭଲ ମଣିଷ କରି ଗଢି ତୋଳିବାର ନିଶା ତାଙ୍କୁ ଲୋକପ୍ରିୟ କରିଛି । ଏହାବ୍ୟତୀତ ରୋଟାରୀ କ୍ଲବ୍‌ର ସାମାଜିକ କାର୍ଯ୍ୟରେ ମଧ୍ୟ ସେ ଆଗଧାଡିର ସେବକ । ୨୦୨୦-୨୧ ବର୍ଷ ପାଇଁ ଶିକ୍ଷକଙ୍କ ନିମନ୍ତେ ଜାତୀୟ ପୁରସ୍କାର ଘୋଷଣା ହୋଇଥିବାବେଳେ ଓଡ଼ିଶାରୁ ୨ ଜଣ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଅଶୋକ ସାର । ବିଭିନ୍ନ ସମୟରେ ବହୁ ଆର୍ଥିକ ଦୁର୍ବଳ ବର୍ଗର ମେଧାବୀ ଛାତ୍ର ପାଠ ପଢିବାକୁ ଇଛା ଥାଇ ମଧ୍ୟ ଉପଯୁକ୍ତ ମାର୍ଗ ଦର୍ଶନରୁ ବଂଚିତ ହୋଇଥାନ୍ତି । ସେମାନଙ୍କୁ ଠିକ୍ ଭାବରେ ଗଢି ତୋଳିବାକୁ ବ୍ୟକ୍ତିଗତ ସ୍ତରରେ ଓ କିଛି ପୁରାତନ ଛାତ୍ରଙ୍କ ସହାୟତାରେ ଉଦ୍ୟମ କରି ସଫଳ ହେଲେ ମୋତେ ସବୁଠାରୁ ଅଧିକ ଆନନ୍ଦ ମିଳିଥାଏ ବୋଲି କୁହନ୍ତି ଶ୍ରୀ ଶତପଥୀ । ମୋ ପାଇଁ ସମସ୍ତ ଛାତ୍ରଛାତ୍ରୀ ସମାନ । ଛୋଟ କାମ ହେଉ କି ବଡ ଚାକିରୀ କରିଥାଉ । ମୋ ଛାତ୍ରଟି ଭଲ ମଣିଷଟିଏ ହୋଇଥିଲେ ମୋତେ ଆତ୍ମସନ୍ତୋଷ ମିଳିଥାଏ । ଅପରପକ୍ଷେ ଶ୍ରୀ ଶତପଥୀଙ୍କ କାର୍ଯ୍ୟଶୈଳୀକୁ ଉଚ୍ଚ ପ୍ରଶଂସା କରିଛନ୍ତି ବ୍ଲକ୍ ଶିକ୍ଷାଧିକାରୀ ତଥା ଜିଲା ସ୍କୁଲର ପ୍ରଧାନ ଶିକ୍ଷକ ଚକ୍ରଧର ମଲ୍ଲିକ । ଏପରି ଜଣେ ଶିକ୍ଷକଙ୍କ ପାଇଁ କେବଳ ଜିଲାସ୍କୁଲା ନୁହେଁ ବରଂ ସମଗ୍ର ଜିଲା ଗର୍ବିତ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଶ୍ରୀ ଶତପଥୀଙ୍କ ଏହି ସଫଳତାରେ ଭାବ ବିହ୍ୱଳ ହୋଇପଡିଛନ୍ତି ତାଙ୍କର ଜଣେ ଛାତ୍ରୀ ବନ୍ଦିତା ରାଉତ । ଗରିବ ମେଧାବୀଙ୍କୁ ସେ ସମ୍ବଳ ଯୋଗାଇ ଦେଇଥାନ୍ତି । ତାଙ୍କ ପାଠପଢା ଶୈଳୀ ନିଆରା । ସେ ପଢାଇବା ସମୟରେ ଜଣେ ବହି ପଢିବାର ଅନୁଭୂତି ପାଇବା ପରି ଲାଗିଥାଏ ।

ଅନୁରୂପ ଅନ୍ୟ ଜଣେ ଛାତ୍ର ଜ୍ୟୋତିରଂଜନ ମିଶ୍ରଙ୍କ କହିବା ଅନୁଯାୟୀ ପଢିବା ସମୟରେ ଅଶୋକ ସାର ମୋତେ ବିଭିନ୍ନ ସମୟରେ ଆର୍ଥିକ ସହାୟତା ଦେଇ ଆସିଛନ୍ତି । ବାସ୍ତବରେ ତାଙ୍କ ପରି ଜଣେ ଆଦର୍ଶ ଶିକ୍ଷକ ଏହି ସମ୍ମାନ ପାଇବାକୁ ହକ୍‌ଦାର । ଶ୍ରୀ ଶତପଥୀଙ୍କ ଘର କଟକ ସହରର ମଙ୍ଗଳାବାଗ ଥୋରିଆ ସାହି । ବୋର୍ଡ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିବା ପରେ ଖ୍ରୀଷ୍ଟ କଲେଜରେ ଯୁକ୍ତ ୨ ଓ ୩ ବିଜ୍ଞାନରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ରାଧାନାଥ ଟ୍ରେନିଂ କଲେଜରୁ ବିଏଡ୍ ଡିଗ୍ରୀ ହାସଲ କରିଥିଲେ । ଓଡ଼ିଶା ଷ୍ଟାଫ୍ ସିଲେକସନ୍ ବୋର୍ଡ ଦ୍ୱାରା ମନୋନୀତ ହେବା ପରେ ୧୯୯୯ ମସିହାରେ ଟ୍ରେଣ୍ଡ ଗ୍ରାଜୁଏଟ୍ ଶିକ୍ଷକ ଭାବେ ଜୟପୁର ପୁଜାରିପୁଟ ସରକାରୀ ହାଇସ୍କୁଲରେ ଯୋଗ ଦେଇଥିଲେ । ୨ ବର୍ଷ ପରେ ଶ୍ରୀ ଶତପଥୀ ଭଦ୍ରକ ଜିଲାସ୍କୁଲରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଦୀର୍ଘ ୧୯ ବର୍ଷ ଧରି ସେ ଏହି ବିଦ୍ୟାଳୟରେ ଶିକ୍ଷକତା କରିଆସୁଛନ୍ତି । ବିଦ୍ୟାଳୟ ଯାବତୀୟ କାର୍ଯ୍ୟରେ ଶ୍ରୀ ଶତପଥୀଙ୍କ ରହିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଅପରପକ୍ଷେ ନିଜର ବୌଦ୍ଧିକ ଜ୍ଞାନକୁ ବିଭିନ୍ନ ଖବରକାଗଜ ଜରିଆରେ ସ୍ତମ୍ଭ ମାଧ୍ୟମରେ ପ୍ରକାଶ କରି ଆସିଛନ୍ତି । ଜାତୀୟ ପୁରସ୍କାର ପାଇଁ ଜିଲାସ୍ତରରେ ଆବେଦନ କରିବାକୁ ପଡିଥାଏ । ଜିଲାସ୍ତରରୁ ରାଜ୍ୟକୁ ଶିକ୍ଷକଙ୍କ ନାମ ସୁପାରିଶ କରାଯାଇଥାଏ । ରାଜ୍ୟ କମିଟିର ଯାଞ୍ଚ ପରେ ପ୍ରତ୍ୟେକ ରାଜ୍ୟରୁ ୬ ଜଣଙ୍କ ନାମ ଜାତୀୟ ସ୍ତରକୁ ସୁପାରିଶ କରାଯାଇଥାଏ । ପରେ ଜାତୀୟ ଚୟନକର୍ତ୍ତାଙ୍କ ସମ୍ମୁଖରେ ଅନଲାଇନ୍‌ରେ ୧୦ ମିନିଟ୍‌ର ପ୍ରେଜେଣ୍ଟେସନ ଦେବାକୁ ହୁଏ । ସେହି ଅନୁଯାୟୀ ଜାତୀୟ ପୁରସ୍କାର ପାଇଁ ନାମ ମନୋନୟନ କରାଯାଇଥାଏ । ଚଳିତବର୍ଷ ଅଗଷ୍ଟ ୫ ତାରିଖ ଉଚ୍ଚ ମାଧ୍ୟମିକ ବୋର୍ଡର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଶ୍ରୀ ଶତପଥୀ ଜାତୀୟ ଚୟନକର୍ତ୍ତାଙ୍କ ସମ୍ମୁଖରେ ନିଜର ଆଭିମୁଖ୍ୟ ରଖିଥିଲେ । ଏଥିରେ ସଫଳ ହୋଇ ଭଦ୍ରକ ଜିଲାର ଗୌରବ ବୃଦ୍ଧି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.